ଓଡ଼ିଶାଲାଇଭ୍ ବ୍ୟୁରୋ

ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ଏବଂ ଟଙ୍କା ହେରଫେର ମାମଲାରେ ତାଙ୍କୁ ଜେରା କରାଯାଉଛି।

ଏହି ମାମଲାରେ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଗତ ଫେବ୍ରୁଆରି ୧୭ ତାରିଖରେ ହାଜର ହେବା ଲାଗି ନୋଟିସ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ଏହା ସହ ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବା ପାଇଁ ଇଡି ପକ୍ଷରୁ କୁହାଯାଇଥିଲା।

ନିଜ ଓକିଲଙ୍କ ଜରିଆରେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଇଡିରେ ହାଜର ହେବା ଲାଗି ସମୟ ମାଗିଥିଲେ ପ୍ରଫୁଲ୍ଲ ସାମଲ। ପରେ ଗତ ଫେବ୍ରୁଆରି ୨୮ ତାରିଖରେ ସେ ଇଡିରେ ହାଜର ହୋଇଥିଲେ। ଦୀର୍ଘ ୮ ଘଣ୍ଟା ଧରି ଜେରା ହେବା ପରେ ସେ ଫେରିଥିଲେ।

କିନ୍ତୁ ପ୍ରୟାସକାନ୍ତି ସାମଲ ଇଡିରେ ହାଜର ହୋଇନଥିଲେ। ପୁନର୍ବାର ଇଡି ପକ୍ଷରୁ ତାଙ୍କୁ ହଜାର ହେବା ଲାଗି ନୋଟିସ କରାଯାଇଥିଲା।

ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଫେବ୍ରୁଆରି ୧୫ ତାରିଖରେ ଭଦ୍ରକ ସହରର ୬ଟି ସ୍ଥାନ ଓ ଭୁବନେଶ୍ଵରର ୪ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିଲା। ବରପଦା ଇଂଜିନିୟରିଂ କଲେଜ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା।

ଚଢ଼ାଉ ବେଳେ ଇଡି ଟିମ୍ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା। ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତୃଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ସୂଚନା ମିଳିଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମଲଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ପ୍ରାୟ ୮ ବର୍ଷ ତଳେ ବରପଦା ଇଂଜିନିୟରିଂ କଲେଜରେ ଟଙ୍କା ହେରଫେର ଏବଂ ୨୦ କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ମାମଲା ଆସିଥିଲା। ଦରମା ନମିଳିବାରୁ ବରପଦା ଇଂଜିନିୟରିଂ କଲେଜର କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଭଦ୍ରକ ବନ୍ଦ ଡାକରା ଦେଇଥିଲେ।

ସେହି ସମୟରେ ବରପଦା ଇଂଜିନିୟରିଂ କଜେଲର ଚେୟାରମ୍ୟାନ ଥିଲେ ପ୍ରୟାସକାନ୍ତି ସାମଲ। କଲେଜ କର୍ମଚାରୀମାନେ ଦରମା ପାଉ ନଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ଇଡିର ଖୋଳତାଡ଼ ଆରମ୍ଭ କରିଥିଲା।

Tags: #ED #EDOffice #PrayaskantiSamal #PrafullaSamal #BarapadaEngineeringCollegeScam #Bhadrak #Odisha

LEAVE A REPLY

Please enter your comment!
Please enter your name here