ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡ଼ୁଆ। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପ୍ରଫୁଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବା ଲାଗି ଇଡି ପକ୍ଷରୁ କୁହାଯାଇଛି।

ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଫେବ୍ରୁଆରି ୧୫ ତାରିଖରେ ଭଦ୍ରକ ସହରର ୬ଟି ସ୍ଥାନ ଓ ଭୁବନେଶ୍ଵରର ୪ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିଲା। ବରପଦା ଇଂଜିନିୟରିଂ କଲେଜ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା।

ଏହି ମାମଲାରେ ଶୁକ୍ରବାର ଦିନ ପ୍ରୟାସକାନ୍ତି ସାମଲଙ୍କ ଭୁବନେଶ୍ଵର ପଳାଶପଲ୍ଲୀ ସ୍ଥିତ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଜବତ କରିଥିଲା ଇଡି ଟିମ।

ପ୍ରାୟ ୮ ବର୍ଷ ତଳେ ବରପଦା ଇଂଜିନିୟରିଂ କଲେଜରେ ଟଙ୍କା ହେରଫେର ଏବଂ ୨୦ କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ମାମଲା ଆସିଥିଲା। ଦରମା ନମିଳିବାରୁ ବରପଦା ଇଂଜିନିୟରିଂ କଲେଜର କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଭଦ୍ରକ ବନ୍ଦ ଡାକରା ଦେଇଥିଲେ। ସେହି ସମୟରେ ବରପଦାର ଚେୟାରମ୍ୟାନ ପ୍ରଫୁଲ୍ଲ ସାମଲଙ୍କ ପୁଅ ଥିଲେ। ଏହି ମାମଲାରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଚଢ଼ଉ କରାଯାଇଥିଲା। ବର୍ତ୍ତମାନ ଏହି ମାମଲା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି।

Tags: #ED #EDRaid #PrafullaSamal #EDSummon #BarapadaEngineeringCollegeScam #Bhadrak #Odisha

LEAVE A REPLY

Please enter your comment!
Please enter your name here