ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ରହିଛି। ଏପଟେ ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟିବା ପାଇଁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସିଛନ୍ତି। ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆସି ମହାଲକ୍ଷ୍ମୀଙ୍କୁ ରଥ ପରିକ୍ରମା କରାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟ କରାଇଥିଲେ।

ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନରେ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲା। ପତିମହାପାତ୍ର ସେବାୟତ ଏହି ଆଜ୍ଞାମାଳ ନେଇ ମହାଲକ୍ଷ୍ମୀଙ୍କୁ ଦେବା ପରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା। ମହାପ୍ରଭୁଙ୍କୁ ଭେଟିବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି।

ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଥାଏ ଅନେକ ଅନନ୍ୟ ପରମ୍ପରା।  ତା’ମଧ୍ୟରେ ମହାଲକ୍ଷ୍ମୀଙ୍କୁ ନେଇ ରହିଛି କେତୋଟି ନୀତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ ସାଥୀରେ ନ ନେଇ ଗୁଣ୍ଡିଚା ଯାତ୍ରା କରିଥିବାରୁ ଲକ୍ଷ୍ମୀ ରୋଷ ପ୍ରକଟ କରିଥାନ୍ତି।  ଫେରିବା ବେଳେ ରାଗରେ ଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗିବା ପରମ୍ପରା ରହିଛି।  ସେହିପରି ବାହୁଡ଼ା ଦିନ ଆଉ ଏକ ଅନନ୍ୟ ପରମ୍ପରା ରହିଛି, ଯାହାର ନାଁ ହେଉଛି ଲକ୍ଷ୍ମୀନାରାୟଣ ଭେଟ।

ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥିଲା। ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବିଜେ କରାଇ ପାଲିଙ୍କିରେ ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନେଇଥାନ୍ତି।

ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥାଏ। ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ହୋଇଥାନ୍ତି।

ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି। ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ଵାରଠାରେ ରଖାଯାଇଥାଏ। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିଥାନ୍ତି।

Comment