ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସାଧାରଣ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଲେ ପ୍ରଶ୍ନ।

ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିଭିନ୍ନ ସମାବେଶରେ ଯେମିତି ଭାଷଣ ଦେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରି ମଧ୍ୟ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଥାନ୍ତି। ରବିବାର ମୋଦିଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଟୁଇଟର୍‌ରେ ଆଜି ମୋଦି ସାଧାରଣ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ବିଶେଷକରି ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଲୋକେ ମୋଦିଙ୍କୁ ପ୍ରଶ୍ନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ କି – ଅବିଶ୍ବାସ ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ ଆପଣ ଦେଢ଼ ଘଣ୍ଟା ଧରି ଉଦବୋଧନ ଦେଇଥିଲେ। ଏହାପରେ ଉତ୍ତରପ୍ରଦେଶର ଶାହଜହାଁପୁର ରାଲିରେ ଆପଣ ଉଦ୍‌ବୋଧନ ଦେଇଥିଲେ। ୭୦ ବର୍ଷ ବୟସରେ ଆପଣ ଏତେ ସକ୍ରିୟ କେମିତି?

ମୋଦି ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଭାରତର ୧୨୫ କୋଟି ଲୋକଙ୍କର ଆଶୀର୍ବାଦ ହେଉଛି ମୋ ପାଇଁ ସାହସ। ଏହି ବୟସରେ ସକ୍ରିୟ ରହିବାକୁ ସେମାନେ ମତେ ଶକ୍ତି ଦେଉଛନ୍ତି। ମୋଦି ଆହୁରି କହିଥିଲେ ଯେ ଦେଶବାସୀଙ୍କ ପାଇଁ ମୁଁ ମୋର ସବୁ ସମୟ ଦେବାକୁ ପ୍ରସ୍ତୁତ ଅଛି। ଏହାସହ ଆଉ ଜଣେ ବ୍ୟକ୍ତି ଟୁଇଟର୍‌ରେ ମୋଦିଙ୍କ ସ୍ମିତହାସ୍ୟକୁ ପ୍ରଶଂସା କରିଥିଲେ।

ଏନଡିଏ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଥିବାରୁ ଆଉ କିଛି ଲୋକ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ମୋଦି ମଧ୍ୟ ସେମାନଙ୍କୁ ଧନ୍ୟବାଦ କହିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଇସାଇ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ନରେନ୍ଦ୍ର ମୋଦି ଟୁଇଟର୍‌ରେ ସକ୍ରିୟ ଅଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କର ୫୩.୨ ମିଲିୟନ ଫଲୋୟର୍ସ ରହିଥିବା ବେଳେ ପୋପ୍ ଫ୍ରାନ୍ସିସ୍‌ଙ୍କ ୫ ମିଲିୟନରୁ ଅଧିକ ଫଲୋୟର୍ସ ଅଛନ୍ତି। ତାଙ୍କ ପଛରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟର୍‌ରେ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୪୩.୨ ମିଲିୟନ ଫଲୋୟର୍ସ।

Comment