ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ପୁରୀ ଆଜି ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ଭିଜିଥିଲେ।

ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ବାହୁଡ଼ା ଦଶମୀରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଆସିଥିଲେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଲାଗିଥିଲା। ବାହୁଡ଼ା ଦଶମୀ ପରେ ଆଜି ହେଉଛି ହରିଶୟନ ଏକାଦଶୀ। ଏହି ତିଥିରେ ମହାପ୍ରଭୁଙ୍କୁ ସୁନା ଅଳଙ୍କାରରେ ଆଭୂଷିତ କରାଯାଇଥିଲା।

ସିଂହାରୀ, ପାଳିଆ, ଖୁଣ୍ଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବାୟତମାନେ ମହାପ୍ରଭୁଙ୍କୁ ସୁନା ଅଳଙ୍କାରରେ ସଜାଇ ଦେଇଥିଲେ।

ଶ୍ରୀଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରେ ସଜେଇ ଦିଆଯାଏ।

ସେହପିରି ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ସଜେଇ ଦିଆଯାଏ।

ମା’ ସୁଭଦ୍ରାଙ୍କୁ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯାଇଥାଏ।

ଏହି ସୁନା ଅଳଙ୍କାର ପରିଧାନ କରି ମହାପ୍ରଭୁ ଝଟକୁଥିଲେ। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ଭକ୍ତମାନେ ଭାବରସରେ ଭିଜିଥିଲେ।

ମହାପ୍ରଭୁଙ୍କ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ତିନି ରଥ ସମ୍ମୁଖରେ ବ୍ୟାରିକେଟ୍ ନିର୍ମାଣ କରାଯିବା ସହ କଡ଼ା ପୋଲିସ ପହରା ଦିଆଯାଇଥିଲା। ସିସିଟିଭି କ୍ୟାମେରା ନଜରରେ ତିନି ରଥ ରହିଥିଲା। ଧାଡ଼ି ବାନ୍ଧି ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ।

ହରିଶୟନ ଏକାଦଶୀ ଅବସରରେ ମହାପ୍ରଭୁଙ୍କୁ ଚୁଡ଼ାଘଷା ଭୋଗ ଲାଗି କରାଯାଇଥିଲା। ଭକ୍ତମାନେ ବଡ଼ଦାଣ୍ଡରେ ବସି ନଡ଼ିଆ ଭାଙ୍ଗି ଚୁଡ଼ାଘଷା ପ୍ରସ୍ତୁତ କରିଥିଲେ। ଏହାପରେ ତାଳପତ୍ର ଭୋଗେଇରେ ଚୁଡ଼ାଘଷା ଅଣାଯାଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରାଯାଇଥିଲା।

ସୁନାବେଶ ଶେଷ ହେବା ପରେ ମଙ୍ଗଳବାର ଦିନ ମହାପ୍ରଭୁଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ। ରଥରେ ତିନି ଠାକୁରଙ୍କ ସନ୍ଧ୍ୟା ଅଳତୀ ପରେ ଏହି ନୀତି ଆରମ୍ଭ ହେବ। ଅଧରପଣା ପାଇଁ ତିନି ଠାକୁରଙ୍କ ପାଖରେ ତିନୋଟି ଲେଖାଏଁ ଅଧର ହାଣ୍ଡି ରଖାଯାଇଥାଏ। ସୁନାକୁଅର ପାଣି, ରାଘବଦାସ ମଠ ଏବଂ ବଡ଼ ଓଡ଼ିଆ ମଠ ତରଫରୁ ପଣା ସାମଗ୍ରୀ ଆସି ପଣା ପ୍ରସ୍ତୁତ ହୋଇଥାଏ। ରଥକୁ ସୁରକ୍ଷା ଦେଉଥିବା ଚଣ୍ଡୀ ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ନୀତି ଅନୁଷ୍ଠିତ ହେଉଥିବା କୁହାଯାଉଛି।

Comment