ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟଳି ଯାଇଛି ବନ୍ୟା ବପିଦ। ମହାନଦୀ ଏବଂ ଏହାର ଶାଖା ନଦୀରେ ଜଳ ସ୍ତର ହ୍ରାସ ପାଇଥିବାରୁ ନଦୀକୂଳିଆବାସୀ ଆଉ ଭୟଭୀତ ନାହାନ୍ତି। ହେଲେ ଲଗାଣ ବର୍ଷାରେ ଉଜୁଡ଼ି ଯାଇଥିବା ଫସଲକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ମହାନଦୀରେ କମୁଛି ଜଳ ସ୍ତର

ଲଗାଣ ବର୍ଷାରେ ଫୁଲିଥିଲା ମହାନଦୀ। ବଢ଼ିଥିଲା ଜଳ ସ୍ତର। ୬ଟି ଜିଲ୍ଲା କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଥିଲେ ରାଜ୍ୟ ସରକାର। କିଛି ସ୍ଥାନରେ ମହାନଦୀ ବିପଦ ସଙ୍କେତ ଛୁଇଁଥିଲା। ବାଙ୍କୀ ଅଞ୍ଚଳରେ ରାସ୍ତା ଉପରେ ବନ୍ୟାପାଣିର ସୁଅ ଛୁଟିଥିଲା। ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ପାଣିଘେରରେ ରହିଥିଲା। ମହାନଦୀରେ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସରକାର ଆଶଙ୍କା କରିଥିଲେ। କିନ୍ତୁ ମଙ୍ଗଳବାର ଏହି ଆଶଙ୍କା ଟଳି ଯାଇଛି। ରାସ୍ତା ଉପରୁ ପାଣି କମିଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ମୁଣ୍ଡୁଳି ବ୍ୟାରେଜରେ ପ୍ରବାହିତ ହେଉଛି ସାଢ଼େ ୪ ଲକ୍ଷରୁ କମ୍ ପାଣି

କଟକ ମୁଣ୍ଡୁଳି ବ୍ୟାରେଜରେ ସୋମବାର ରାତିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ପାଣି ଆହୁରି ବଢ଼ିବ ବୋଲି ଆଶଙ୍କା କରୁଥିଲେ ବ୍ୟାରେଜର ଇଞ୍ଜିନିୟର। କିନ୍ତୁ ଏହି ଆଶଙ୍କା ଏବେ କମିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ସାଢ଼େ ୪ ଲକ୍ଷରୁ କମ୍ ପାଣି ପ୍ରବାହିତ ହେଉଛି। ଫଳରେ ବନ୍ୟା ଆଶଙ୍କା ଟଳି ଯାଇଛି।

ହୀରାକୁଦ ଖୋଲିଲା ୧୩ ଗେଟ୍

ମହାନଦୀର ତଳ ମୁଣ୍ଡରେ ବନ୍ୟାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ହୀରାକୁଦ ଡ୍ୟାମରୁ ଆଜି ପୂର୍ବାହ୍ଣ ୧୧ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବନ୍ୟାଜଳ ଛଡ଼ା ଯାଇଥିଲା। ପରେ ଗେଟ୍ ସଂଖ୍ୟା ବଢ଼ିଥିଲା। ବର୍ତ୍ତମାନ ୧୩ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି। ରାତି ସୁଦ୍ଧା ଆଉ ୨ଟି ଗେଟ୍ ଖୋଲାଯିବ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମରେ ୧ ଲକ୍ଷ ୪ ହଜାର ୪୦୦ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ୧୩ଟି ଗେଟ୍ ଦେଇ ୨ ଲକ୍ଷ ୧୩ ହଜାର ୮୯୩ ଘନଫୁଟ ପାଣି ନିଷ୍କାସିତ ହେଉଛି।

୩୬ ଘଣ୍ଟା ପରେ ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି

ହୀରାକୁଦ ଯେଉଁ ବନ୍ୟାପାଣି ଆଜି ଛାଡ଼ିଛି ତାହା ୩୬ ଘଣ୍ଟା ପରେ ମୁଣ୍ଡୁଳିରେ ପହଞ୍ଚିବ। ବର୍ତ୍ତମାନ ଯେତିକି ପାଣି ମୁଣ୍ଡୁଳି ବ୍ୟାରେଜରେ ପ୍ରବାହିତ ହେଉଛି ତାହା ୩୬ ଘଣ୍ଟା ପରେ ହ୍ରାସ ପାଇଥିବ। ଏଣୁ ହୀରାକୁଦ ପାଣି ମହାନଦୀରେ ହିଁ ଚାଲିଯିବ। କିଛି କ୍ଷୟକ୍ଷତି ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।

କ୍ଷୟକ୍ଷତି ଆକଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁରରେ ସବୁଜ ମହାନଦୀ ମିଶନ ଶୁଭାରମ୍ଭ କରିବା ବେଳେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବନ୍ୟା ସମ୍ପର୍କରେ ଟିକିନିଖି ଖବର ଦେବାକୁ ଅଧିକାରୀମାନଙ୍କୁ କହିଛନ୍ତି।

ବର୍ଷାରେ ଭାସିଲା ଫସଲ

ଲଗାଣ ବର୍ଷାରେ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି। କିଛିଦିନ ତଳେ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବାରୁ ଚାଷୀ ଚିନ୍ତାରେ ପଡ଼ିଥିଲା। କେମିତି ଚାଷ କାମ ଆରମ୍ଭ କରିବ ତାକୁ ନେଇ ଚିନ୍ତାରେ ପଡ଼ିଥିଲା। କିନ୍ତୁ ଗତ ତିନି ଦିନର ଲଗାଣ ବର୍ଷା ପୁଣି ଚାଷୀ ମନରେ ଦୁଃଖ ଆଣିଛି। ଉପକୂଳ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାରୁ ଫସଲ ନଷ୍ଟ ହୋଇଛି। ବିଲରେ ପରିବା ପଚି ଯାଇଥିବା ବେଳେ ଧାନ ତଳି ପାଣିରେ ବୁଡ଼ି ରହିଛି। ଏବେ ଚାଷୀ କେମିତି ଚାଷ କରିବ ସେନେଇ ଚିନ୍ତାରେ ପଡ଼ିଛି।

Comment