ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରି ବିଜେ ନୀତି ଶେଷ ହୋଇଛି। ତିନି ରଥରେ ନଅ ଦିନ ହେଲା ଲୀଳାଖେଳା ସାରି ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦୀରେ  ବିଜେ କରିଛନ୍ତି। ନୀଳାଦ୍ରି ବିଜେ ରଥଯାତ୍ରାର ଅନ୍ତିମ ପର୍ବ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଆଜି ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିଥିଲା।

ରଥାରୂଢ଼ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତୀ ଶେଷ ହେବା ପରେ ତିନି ରଥରେ ଚାରମାଳ ବନ୍ଧା ଯାଇଥିଲା। ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପୁଷ୍ପାଳକ ମହାଜନମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ବିଗ୍ରହକୁ ହାତରେ ଧରି ଦକ୍ଷିଣି ଘରକୁ ବିଜେ କରିଥିଲେ। ପରେ ମହାପ୍ରଭୁଙ୍କ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ମହାପଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବା ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା। ମସ୍ତକରେ ଟାହିଆ ଲଗାଇ ଝୁଲିଝୁଲି ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନବେଦୀକୁ ଯାଇଥିଲେ।

ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥିଲେ। ଜଗନ୍ନାଥ ଏବଂ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ କରିଥିଲେ। ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ  ମାନଭଞ୍ଜନ କରିଥିଲେ।

ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ଲୀଳାଖେଳା ସାରି ମହାପ୍ରଭୁ ରତ୍ନବେଦୀରେ ବିଜେ କରିଛନ୍ତି। ପୁଣି ଆର ବର୍ଷର ରଥଯାତ୍ରାକୁ ଅପେକ୍ଷା କରିବେ ଭକ୍ତ।

ଚଳିତ ବର୍ଷର ରଥଯାତ୍ରା ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଛି। ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ନୀତି ଶୃଙ୍ଖଳିତ ଭାବେ ଶେଷ ହେବା ପରେ ନୀଳାଦ୍ରି ବିଜେ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି।

Comment