ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାଜମହଲର ରକ୍ଷଣାବେକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଜୋର ବର୍ଷିଛନ୍ତି। ସୁପ୍ରିମକୋର୍ଟର ବିଚାରପତି କହିଛନ୍ତି ଯେ ତାଜମହଲର ସଂରକ୍ଷଣ ପାଇଁ ଏ ଦୁଇ ସରକାର କିଛି କରୁନାହାନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ତାଜ ସଂରକ୍ଷଣ ନେଇ ଭିଜନ ଡକୁମେଣ୍ଟର ଏକ ଚିଠା କୋର୍ଟରେ ଉପସ୍ଥାପିତ କରାଯାଇଥିଲା। ଏହା ଦେଖି କୋର୍ଟ ପଚାରିଲେ     କ’ଣ ଏଠି ତାମସା ଚାଲିଛି?

କୋର୍ଟ ପଚାରିଲେ ଏତେ ଦିନ ପରେ ଏବେ ଆପଣ ଚିଠା ଭିଜନ ଡକୁମେଣ୍ଟ ଦାଖଲ କରିଛନ୍ତି। କ’ଣ ଏଥିରେ ଆହୁରି ସଂଶୋଧନ କରିବାର ଯୋଜନା ରହିଛି? ତାଜମହଲର ରକ୍ଷଣାବେକ୍ଷଣ ନେଇ ଶୁଣାଣି ଚାଲିଥିବା ବେଳେ ଆଗ୍ରା ଜିଲ୍ଲାପାଳଙ୍କୁ ଭଲ ଦି ପଦ ଶୁଣାଇଥିଲେ ଖଣ୍ଡପୀଠ।

ତାଙ୍କୁ କୋର୍ଟ ପଚାରିଲେ ଇଆଡ଼ୁ ସିଆଡ଼ୁ କାଗଜପତ୍ର ଦାଖଲ କରି ଆମ ସହିତ ଖେଳୁଛ ନା ଆମକୁ ଥଟ୍ଟା କରୁଛ? ବିଚାରପତି କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ତାଜମହଲର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ତାହା ସୋମବାର ସୁଦ୍ଧା କୋର୍ଟକୁ ଜଣାଇବା ଦରକାର।

ବିଚାରପତି ଜଷ୍ଟିସ ଲୋକୁର କହିଲେ, “ତାଜମହଲ ପାଇଁ ଏକ ପ୍ରାଧିକରଣ ଗଠନ ହେବା ଦରକାର ଯିଏ କି ସଂରକ୍ଷଣର ଦାୟୀତ୍ୱ ନେବ। ଆମକୁ ଲାଗୁଛି ତାଜମହଲ ମାମଲାରେ ସମସ୍ତେ ହାତଧୋଇ ବସିଛନ୍ତି। ଆମେ ଏଭଳି ସ୍ଥିତିରେ ପହଞ୍ଚିଛୁ ଯେଉଁଠି ତାଜ ପାଇଁ ଏକ ଭିଜନ ଡକୁମେଣ୍ଟ ତିଆରି ହୋଇଛି ଅଥଚ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର କୌଣସି ଭୂମିକା କି ଭାଗିଦାରୀ ନାହିଁ।”

କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି ଯେ ଯେତେଶୀଘ୍ର ସମ୍ଭବ ତାଜମହଲର ରକ୍ଷଣାବେକ୍ଷଣ ନେଇ ଏକ ଅଥରିଟି ଗଠନ କରାଯାଉ ଯେଉଁ ସଂସ୍ଥା କି ସଂରକ୍ଷଣ କାମ ଦେଖିବ ଓ ତାଜ ଟ୍ରେପିଜିଅମ ଜୋନର ବିକାଶ ପାଇଁ ପୁଣି ଥରେ ପଦକ୍ଷେପ ନେବ।

Comment