ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ପକ୍କା ଘର ଯୋଜନାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ କେତେ ସତ? ଏହାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ଦେଲା ଜବାବ।

ରଥଯାତ୍ରା ବେଳେ ବିଭିନ୍ନ ଗଣମାଧ୍ୟମରେ ରାଜ୍ୟ ସରକାର ବିଜୁ ପକ୍କା ଘର ସମ୍ପର୍କରେ ବଡ଼ ବଡ଼ ବିଜ୍ଞାପନ ଦେଇଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ଗତ ଚାରି ବର୍ଷ ଭିତରେ ସରକାର ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଏହି ତଥ୍ୟକୁ ମିଛ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ସରକାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଧର୍ମେନ୍ଦ୍ର କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଛନ୍ତି। ତେବେ ବାସ୍ତବରେ କେତେ ଘର ନିର୍ମାଣ ହୋଇଛି ତାହା ଖୋଳତାଡ଼ କରିବାକୁ ଧର୍ମେନ୍ଦ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, “ବିଜୁ ପକ୍କା ଘର ଯୋଜନାରେ ରାଜ୍ୟ ସରକାର ୧୭ ଲକ୍ଷ ଘର ନିର୍ମାଣ କରିଥିବା କହୁଛନ୍ତି। କିନ୍ତୁ ଗ୍ରାମ୍ୟ ଗୃହ ଉନ୍ନୟନ ବିଭାଗ ୱେବସାଇଟ୍ ଭିନ୍ନ ତଥ୍ୟ କହୁଛି। ବିଜୁ ପକ୍କା ଘର ଯୋଜନା, ବିଜୁ ପକ୍କା ଘର ଯୋଜନା ଖଣି, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ସରକାର ମୋଟ ୨.୮ ଲକ୍ଷ ଘର ନିର୍ମାଣ କରିଥିବା ଉଲ୍ଲେଖ ରହିଛି। ତେବେ କୋଉଟା ସତ?”

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ ପକ୍କା ଘର ମାମଲାରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି। ୨୦୧୬ରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ ବିଜୁ ପକ୍କା ଘର ତିଆରି କରିଛନ୍ତି ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ବିରୋଧୀ ସଦସ୍ୟମାନେ ବିଧାନସଭାରେ ଏହି ପ୍ରଶ୍ନ ଉଠାଇବା ବେଳେ ରାଜ୍ୟ ସରକାର ଏଡ଼ାଇ ଯାଇଥିଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କ ଆୟୂଷ୍ମାନ ଯୋଜନାରୁ ଲୋକଙ୍କ ନଜର ହଟାଇବା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଥିବା ଧର୍ମେନ୍ଦ୍ର ତୋମାରଙ୍କୁ ଅବଗତ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। ମୁଖପାତ୍ର ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଅସହିଷ୍ଣୁ ବୋଲି କହିଛନ୍ତି।

ସସ୍ମିତ ପାତ୍ର କହିଛନ୍ତି, “ଗୁରୁପ୍ରିୟା ସେତୁ ଏବଂ ବିଜୁ ପକ୍କା ଘର ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଥିବାରୁ କେନ୍ଦ୍ରମନ୍ତ୍ରୀ ସହିପାରୁ ନାହାନ୍ତି। ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଧର୍ମେନ୍ଦ୍ର ବାରମ୍ବାର ଚିଠି ଲେଖୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସହ ରହିଛନ୍ତି। ଧର୍ମେନ୍ଦ୍ର ନିଜ ବିଭାଗ ଛାଡ଼ି ଅନ୍ୟ ବିଭାଗରେ ମୁଣ୍ଡ ଖେଳାଉଥିବାରୁ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ପାଉଛି।”

Comment