ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ନକ୍ସଲ୍ଙ୍କ ସହିଦ ସପ୍ତାହ। ତେବେ ପ୍ରଥମ ଦିନରୁ ନକ୍ସଲ୍ମାନେ ହିଂସାକାଣ୍ଡ ଭିଆଇଛନ୍ତି।
ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ। ପ୍ରଥମ ଦିନରେ ପୁଲିସ ସୂଚନାଦାତା ସନ୍ଦେହରେ ଜଣଙ୍କୁ ହତ୍ୟା। ମାଲକାନଗିରି ସୀମାନ୍ତରେ ପୋଲିସ ସୂଚନାଦାତା ସନ୍ଦେହରେ ନକ୍ସଲ୍ମାନେ ଜଣକୁ ହତ୍ୟା କରିଛନ୍ତି।
ସେହିପରି ବରଗଡ଼ରେ ପ୍ରଚୁର ପରିମାଣରେ ନକ୍ସଲ୍ ପୋଷ୍ଟର ଜବତ ହୋଇଛି। ନକ୍ସଲ୍ ହିଂସା ଭୟରେ ମାଲକାନଗିରି ଓ ଫୁଲବାଣୀ ସମେତ ଅନ୍ୟାନ୍ୟ ୧୦ଟି ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।
ଶନିବାର ଦିନ ସକାଳୁ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଜିକେବିଧି ମଣ୍ଡଳ ଅନ୍ତର୍ଗତ କୁଙ୍କୁମାପୁଡ଼ି ଜିଲା ଚୁକାଗୋଇ ଗ୍ରାମର ଭି ଜୟରାମ ନାମକ ଜଣେ ଆଦିବାସୀଙ୍କୁ ପୁଲିସ ଇନ୍ଫର୍ମର ସନ୍ଦେହରେ ନକ୍ସଲ୍ମାନେ ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଉପରେ ଏକ ତେଲୁଗୁ ଭାଷାରେ ଲେଖାଥିବା ଏକ ଚିଠି ଛାଡ଼ି ଦେଇଛନ୍ତି।
ଦୀର୍ଘଦିନ ବ୍ୟବଧାନ ପରେ ପୁଣି ବରଗଡ଼ ଜିଲାରେ ମାଓବାଦୀ ଗତିବିଧି ପରିଲକ୍ଷିତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଜିଲାର ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଝର କଲୋନୀରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଟାଣି ନିଜ ଉପସ୍ଥିତି ଜାହିର କରିଛନ୍ତି।
ଉକ୍ତ ବ୍ୟାନର ଓ ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ବାନ ଦିଆଯାଇଛି । ଅନ୍ୟପଟେ ମାଓବାଦୀମାନେ ଗ୍ରୀନହଣ୍ଟକୁ ବିରୋଧ କରିଥିବା ଉଲ୍ଲେଖ ରହିଛି।
ସେହିପରି ଅନ୍ୟ ଏକ ପୋଷ୍ଟରରେ ଚାଷୀ, ମୂଲିଆ, ଶିକ୍ଷାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଆଶାକର୍ମୀ, ୧୦୮ ଓ ୧୦୨ ଆମ୍ବୁଲାନ୍ସ କର୍ମଚାରୀ ସମେତ ଡାକ ଓ ବ୍ୟାଙ୍କ କର୍ମଚାରୀଙ୍କ ସମସ୍ୟା ଉଲ୍ଲେଖ କରାଯାଇ ନିଜ ହକ୍ ଦାବି ପାଇଁ ଗୋଟିଏ ମଞ୍ଚରେ ସମସ୍ତେ ସଂଘର୍ଷ କରିବାକୁ ଆହ୍ବାନ କରାଯାଇଛି ।
ନିଜ ଶକ୍ତି ବୃଦ୍ଧି ପାଇଁ ମାଓବାଦୀଙ୍କ ଏଭଳି ଆହ୍ବାନ ସାଧାରଣରେ ଆଲୋଚନାର ବିଷୟ ହୋଇଛି । ପୋଷ୍ଟର, ବ୍ୟାନର ତଳେ ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନାଲ କମିଟି, ଭାକପା(ମାଓବାଦୀ) ବୋଲି ଉଲ୍ଲେଖ ରହିଛି।
ମାଓବାଦୀଙ୍କ ସହିଦ ସପ୍ତାହ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।










