ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯାତ୍ରାଦୁନିଆର ଏକ ଲୋକପ୍ରିୟ ନାଟକ ହେଲାସୋନାଗାଛି ଝିଅ ସୋନାଲି’ ଆସନ୍ତୁ ଜାଣିବା ଏହି ଯାତ୍ରାର ବିଷୟବସ୍ତୁ

ବହୁ ଚର୍ଚ୍ଚିତ ଯାତ୍ରା ନାଟକ ‘ସୋନାଗାଛି ଝିଅ ସୋନାଲି’ର ନାଟ୍ୟକାର ହେଲେ ସୁଧାଂଶୁ ନାୟକ ଓ ନିର୍ଦ୍ଦେଶକ ହେଉଛନ୍ତି ବିଜୟ ଦାସ। ଅମୃତାଂଶୁ ପଟ୍ଟନାୟକ ଏହି ନାଟକର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।  କଥାବସ୍ତୁ ଏପରି – ଶିଳ୍ପପତି ପ୍ରଳୟ ପାଟ୍ଟଯୋଶୀ ଖୁବ୍ ଅହଙ୍କାରୀ। ସେ ଚାହେଁ ତା’ର ସ୍ତ୍ରୀ ମେନକା ପୁତ୍ର ସନ୍ତାନ ଜନ୍ମ କରୁ। ହେଲେ ମେନକାଙ୍କ ଔରସରୁ ଝିଅ ଜନ୍ମ ହୁଏ। ଏଥିରେ କ୍ଷୁବ୍ଧ ହୋଇ ପ୍ରଳୟ ପତ୍ନୀ ମେନକାଙ୍କ ଉପରେ ଅତ୍ୟାଚାର କରେ।

ସ୍ୱାମୀର ନିର୍ଯାତନା ସହି ନପାରି ମେନକା ନିଜ ଝିଅକୁ ସାଙ୍ଗରେ ଧରି ଭୁଲବଶତଃ ରେଡ୍ ଲାଇଟ୍ ଏରିଆ ସୋନାଗାଛିରେ ପହଞ୍ଚିଯାଏ। ପରିସ୍ଥିତି ଚାପରେ ମେନକା ସେଠି ଦେହଜୀବୀ ସାଜେ। ହେଲେ ଝିଅ ସୋନାଲିକୁ  ସେଥିରୁ ନିବୃତ୍ତ ରଖେ। କିନ୍ତୁ ସେ ଅଞ୍ଚଳର ଦାଦା ଭୈରବ ବିଶ୍ୱାସର ଖରାପ ନଜର ସୋନାଲି ଉପରେ ପଡିବା ପରେ ବାଧ୍ୟ ହୋଇ ଓଡ଼ିଶା ଫେରି ଆସେ ମେନକା।

ସୋନାଲି ଟ୍ରେନରେ ଲୁଚି ଲୁଚି ଫେରୁଥିବା ବେଳେ ଭୈରବର ଗୁଣ୍ଡାମାନେ ସେମାନଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ସେଥିରୁ ରକ୍ଷା କରନ୍ତି ଈଶ୍ୱର ସେନାପତି। ସେ ନିଜ ଘରେ ଆଣି ମା’-ଝିଅକୁ ରଖନ୍ତି।  ଏଥର ମେନକାରୁ ସେ ପାଲଟି ଯାଆନ୍ତି ଶୋଭା। ଈଶ୍ୱର ଜଣେ ଶ୍ରମିକ ନେତା। ସେ ପ୍ରଳୟ ପାଟ୍ଟଯୋଶୀ ସହିତ ଶତ୍ରୁତା କରି ତା’ର କାରଖାନାକୁ ବନ୍ଦ କରିଦିଅନ୍ତି।

ସମୟକ୍ରମେ ପ୍ରଳୟ ଦ୍ୱିତୀୟ ବିବାହ କରନ୍ତି। ଏଥର ତାଙ୍କର ପୁଅଟିଏ ଜନ୍ମ ହୁଏ। ନାଁ ତା’ର ପଙ୍କଜ। ପଙ୍କଜକୁ ଛାଡ଼ି ପ୍ରଳୟଙ୍କ ଦ୍ୱିତୀୟ ସ୍ତ୍ରୀ ଅନ୍ୟ କାହା ସହ ଫେରାର୍ ହୋଇଯାଏ। ଏହାପରେ ପ୍ରଳୟ ତୃତୀୟ ବିବାହ କରେ। ହେଲେ ତାଙ୍କର ତୃତୀୟ ସ୍ତ୍ରୀ ପଙ୍କଜକୁ ପୁଅ ଭାବେ ଗ୍ରହଣ କରେ ନାହିଁ।

ପଙ୍କଜ ଈଶ୍ୱର ସେନାପତିଙ୍କ ଦ୍ୱାରା ପରିଚାଳିତ ଶ୍ରମିକ ଆନ୍ଦୋଳନକୁ ସମର୍ଥନ କରି ବାପା ପ୍ରଳୟକୁ ଅଡୁଆରେ ପକାଇଥାଏ। ଏଣେ ଈଶ୍ୱରଙ୍କ ପରିବାରରେ ବି ବିଶୃଙ୍ଖଳତା ଦେଖାଦିଏ। ତାଙ୍କ ବଡପୁଅ ଆକସ୍ମିକ ମୃତ୍ୟୁବରଣ କରେ। ପୁଅର ଚାକିରିରେ ନିଯୁକ୍ତ ହୁଏ ଈଶ୍ୱରଙ୍କର ଉଗ୍ର ଆଧୁନିକା ବୋହୁ। ସେ ସନ୍ଦେହ କରେ ଯେ ତା’ର ସ୍ୱାମୀଙ୍କୁ ବୋଧେ ଶ୍ୱଶୁର ଈଶ୍ୱର ସେନାପତି ମାରି ଦେଇଛନ୍ତି। ତେଣେ ଈଶ୍ୱରଙ୍କ ଦ୍ୱିତୀୟ ପୁଅ ଚନ୍ଦନ କାରଖାନାରେ ଚାକିରି ପାଇବା ଲୋଭରେ ପ୍ରଳୟ ସହିତ ହାତ ମିଶାଏ ଓ ଆନ୍ଦୋଳନକୁ ଶେଷ କରେ।

ଖାଲି ସେତିକି ନୁହେଁ, ବୋହୂ ଛନ୍ଦା କଥାରେ ପଡ଼ି ଈଶ୍ୱରଙ୍କ ଝିଅ ପୂଜା ସିନେମାରେ କାମ ଖୋଜେ। ସେହି ସମୟରେ ପୂଜା ଏକ ଦଲାଲ୍ ହାବୁଡରେ ପଡ଼ି ସୋନାଗାଛିରେ ପହଞ୍ଚିଯାଏ।

ମୋଟାମୋଟି ଭାବେ ଈଶ୍ୱରଙ୍କ ଘରୋଇ ବ୍ୟାପାର ଅତ୍ୟନ୍ତ ଦୁଃସାଧ୍ୟ ହୋଇପଡେ। ଏଭଳି ସମୟରେ ତାଙ୍କର ଏକମାତ୍ର ସାହାଭରସା ହେଉଛି ଶୋଭା ଓରଫ ସୋନାଲି। ଚନ୍ଦନ ପ୍ରଳୟଙ୍କ ଦ୍ୱାରା ପ୍ରତାରିତ ହୁଏ। ତାଙ୍କୁ କାରଖାନାରେ ଚାକିରି ମିଳେନା।

ଏଣେ ବାପାଙ୍କ ଅପକର୍ମ ଯୋଗୁଁ ଘର ଛାଡ଼ି ପୁଅ ପଙ୍କଜ ଏକ ଆଶ୍ରମ ନିର୍ମାଣ କରି ସେଠାରେ ରହୁଥାଏ। ଘଟଣାକ୍ରମେ ସେଠାରେ ପହଞ୍ଚେ ମେନକା। ସେ ଚନ୍ଦନର ପରିଚୟ ପାଇବା ପରେ ମଧ୍ୟ ନିଜର ପିରଚୟକୁ ଗୋପନ ରଖେ।

ଘଟଣାକ୍ରମେ ଚନ୍ଦନ ଓ ସୋନାଲି ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି। ଦୁହେଁ ବାହା ହେବାକୁ ପ୍ରସ୍ତୁତ ହେଉଥିବା ଭୈରବ ବିଶ୍ୱାସ ସୋନାଲିର ଅତୀତ ବିଷୟରେ ଚନ୍ଦନକୁ କହି ତା’ ମନରେ ବିଷ ଭରିଦିଏ। ଏହାପରେ ସୋନାଲି ଆତ୍ମହତ୍ୟା କରିବାକୁ ଉଦ୍ୟମ କରେ। କିନ୍ତୁ ସେଥିରୁ ତାଙ୍କୁ ନିବୃତ୍ତ କରେ ପଙ୍କଜ।

ପଙ୍କଜ ନିଜ ଆଶ୍ରମକୁ ସୋନାଲିକୁ ନେଇଯା’ନ୍ତି। ତା’ ପରେ ପଙ୍କଜ ଓ ଚନ୍ଦନ ଭୈରବ ବିଶ୍ୱାସ ଦ୍ୱାରା ନିର୍ଯାତିତା ଛନ୍ଦା ଓ ପୂଜାଙ୍କୁ ଉଦ୍ଧାର କରନ୍ତି। ଶେଷରେ ଚନ୍ଦନକୁ ସୋନାଲି ବିବାହ କରେ। ଈଶ୍ୱର ସେନାପତିଙ୍କ ଉଜୁଡା ସଂସାର ପୁଣି ସଜାଡ଼ି ହୋଇଯାଏ।

Comment