ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ସରକାରଙ୍କ ପତ୍ର ସୂଚନା ନିର୍ଦ୍ଦେଶାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୀତାଂଶୁ ରଞ୍ଜନ କର। ସେ ଗତ ୩୦ ତାରିଖ ସୋମବାର ଦିନ କାର୍ଯ୍ୟ ଆରମ୍ଭ କରିଛନ୍ତି। ପିଆଇବିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବାରେ ଶ୍ରୀ କର ହେଉଛନ୍ତି ଦ୍ୱିତୀୟ ଓଡ଼ିଆ। ପୂର୍ବରୁ ଉମାକାନ୍ତ ମିଶ୍ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ସୀତାଂଶୁ କରଙ୍କ ଦାୟିତ୍ୱ ଗ୍ରହଣ ନିଶ୍ଚିତ ଭାବରେ ଓଡ଼ିଆଙ୍କ ପାଇଁ ଖୁସି ଖବର।

ସୀତାଂଶୁ ଭାରତ ସରକାରଙ୍କ ପ୍ରମୁଖ ମୁଖପାତ୍ର ମଧ୍ୟ ରହିଛନ୍ତି। କଟକରେ ଜନ୍ମ ଗ୍ରହଣ କରିଥିବା ସୀତାଂଶୁ ଉତ୍କଳ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଟପ୍ପର ହୋଇଥିଲେ। ୧୯୮୩ ବ୍ୟାଚର ଭାରତୀୟ ସୂଚନା ସେବା (ଆଇଆଇଏସ୍‌)ର ଅଧିକାରୀ ସୀତାଂଶୁ ଦୀର୍ଘ ୩୫ ବର୍ଷ ଧରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି।

ସେ ଆକାଶବାଣୀର ଖବର ସରବରାହ ବିଭାଗରେ ଚାକିରୀ ଆରମ୍ଭ କରିଥିଲେ ଓ ପରେ ଦୂରଦର୍ଶନ ସମାଚାର ବିଭାଗରେ ଯୋଗ ଦେଇଥିଲେ। ଏପରିକି ପିଆଇବିରେ ବି ତାଙ୍କର ୧୫ ବର୍ଷର ଅଭିଜ୍ଞତା ରହିଛି।

ସୀତାଂଶୁ କରଙ୍କ ଆଉ ଏକ ପରିଚୟ ହେଉଛି ସେ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଭାବେ ସର୍ବାଧିକ ସମୟ ଅତିବାହିତ କରିଛନ୍ତି ଏବଂ ତାଙ୍କ ରେକର୍ଡ଼କୁ କେହି ଭାଙ୍ଗି ପାରିନାହାନ୍ତି। ୨୦୧୫ରେ ସେ ଅଲ ଇଣ୍ଡିଆ ରେଡିଓ ନ୍ୟୁଜ୍ ସର୍ଭିସ ଡିଭିଜନର ମହା ନିର୍ଦ୍ଦେଶକ ଭାବେ ଯୋଗଦେବା ପରେ ଆକାଶବାଣୀ ଖବର ବିଭାଗର ଚେହେରାକୁ ପୂରା ବଦଳାଇ ଦେଇଥିଲେ।

ବିଶେଷକରି ସୋସିଆଲ ମିଡିଆରେ ସେ ଆକାଶବାଣୀକୁ ଖୁବ୍ ଲୋକପ୍ରିୟ କରାଇ ପାରିଥିଲେ। ଗତ ମେ ୧ରେ ସୀତାଂଶୁଙ୍କୁ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ କେନ୍ଦ୍ର ସରକାର।

1 COMMENT

Comment