ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୮୯ତମ ଓଡ଼ିଶା ଦିବସ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରୁଛନ୍ତି। ଓଡ଼ିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, “ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଓଡ଼ିଶା ତା’ର ପ୍ରାକୃତିକ ସମ୍ପଦ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ସୁପରିଚିତ। ଯେକୌଣସି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାର ସାମର୍ଥ୍ୟ ବହନ କରୁଥିବା ଓଡ଼ିଶାର ଜନସାଧାରଣଙ୍କର ରାଜ୍ୟ ତଥା ଦେଶର ବିକାଶରେ ବଡ଼ ଅବଦାନ ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଶତାବ୍ଦୀ ଶତାବ୍ଦୀ ଧରି ଆଧୁନିକ ଭାରତର ନିର୍ମାତାମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଓଡ଼ିଶା। ଅଧିକରୁ ଅଧିକ ସଫଳତା ଓ ସମୃଦ୍ଧି ପାଇଁ ରାଜ୍ୟ ଓ ରାଜ୍ୟବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଏହା ମୋର ଆନ୍ତରିକ କାମନା।”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି , “ଓଡ଼ିଶା ଦିବସ ଆମକୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଏବଂ କର୍ମତତ୍ପର ଜନସାଧାରଣଙ୍କ ବିଷୟରେ ସ୍ମରଣ କରାଇଥାଏ। ରାଷ୍ଟ୍ରର ପ୍ରଗତିରେ ଓଡ଼ିଶାର ଉଲ୍ଲେଖନୀୟ ଯୋଗଦାନ ରହିଛି। ମୁଁ ଓଡ଼ିଶାବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରୁଛି।  

ଅନ୍ୟପଟେ ଓଡ଼ିଶା ଦିବସର ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଆଜି ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ। ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ। ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ, ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି ‘ବିକଶିତ ଓଡ଼ିଶା’ ଗଢ଼ିବା ଦିଗରେ ଆମେ ଆଗକୁ ବଢ଼ିବା।”

Tags: #OdishaDibas #OdishaState #FirstLinguisticState #Odia #Utkal #Odisha

Comment