ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପରେ ନିର୍ମାଣ ହେବ ପେଟ୍ରୋଲିୟମ୍ କ୍ରାକର କମ୍ପାନି। ଏଥିପାଇଁ ଓଡ଼ିଶାରେ ପୁଞ୍ଜି ନିବେଶ କରିବ ତାଇୱାନର ଏକ କମ୍ପାନି। ତାଇୱାନର ଏକ ପ୍ରତିନିଧି ଦଳ ପାରାଦୀପ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବିପୁଳ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଉଛି। ଏହି ପ୍ରକଳ୍ପରେ ୪୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ।

ତାଇୱାନ୍ ସିପିସି କର୍ପୋରେସନ୍‌ର ସଭାପତି ସୁ-ଚୀନ୍ ଲିଙ୍କଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି।

ତାଇୱାନର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ପାରାଦୀପରେ ଅନ୍ୟ କ୍ଷୁଦ୍ର ସହାୟକ କାରଖାନା ଖୋଲିବା ପାଇଁ ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯିବ।

ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି, ଜଳ ଓ ବିଦ୍ୟୁତ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କଞ୍ଚାମାଲ୍ ପାଇଁ ଭାରତୀୟ ତୈଳ ନିଗମ ସହ ତାଇୱାନ ପ୍ରତିନିଧି କଥା ହୋଇଛନ୍ତି।

ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comment