ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତ୍ନୀ ନପୁଂସକ କହିବାରୁ ଅନ୍ୟ ମହିଳାଙ୍କ ଅଶ୍ଳୀଳ  ଭିଡିଓ କରି ଏହାକୁ ପତ୍ନୀଙ୍କ ସମେତ ତାଙ୍କ ଶ୍ୱଶୁର ଓ ଖୁଡ଼ୀଶାଶୂଙ୍କ ନିକଟକୁ ପଠାଇଛି ଜଣେ ବ୍ୟକ୍ତି।

ଉଦ୍ଭଟ ଚିନ୍ତାଧାରା ହେଉ କି ବିକୃତ ମାନସିକତା। ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କ ଆଗରେ ନିଜ ପୌରୁଷ ପ୍ରମାଣିତ କରିବାକୁ ଯାଇ ଗିରଫ ହୋଇଛନ୍ତି ହାଇଦ୍ରାବାଦର ଜଣେ ଯୁବକ। ଅଶ୍ଳୀଳ ଭିଡିଓ ପଠାଇବା ଏବଂ ନିର୍ଯାତନା ଦେବା ଅଭିଯୋଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ଏବଂ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ତାଙ୍କୁ ଗିରଫ କରାଯାଇଛି। ଏବେ ତାଙ୍କ ଠିକଣା ଚେନ୍ନାଇର ପୁଜଲ ସେଣ୍ଟ୍ରାଲ ଜେଲ୍‌।

ହାଇଦ୍ରାବାଦର ଲାଲ ବାହାଦୁର ନଗର ଅଞ୍ଚଳର ୩୨ ବର୍ଷୀୟ ଯୁବକ ବିଭାବସୁ। ୨୦୧୬ ମସିହାରେ ଚେନ୍ନାଇର ଅନୁଷାଙ୍କୁ ବିବାହ କରିଥିଲେ। ସାମାଜିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ବିବାହର ୧୫ ଦିନ ନ ପୂରୁଣୁ ଦୁହିଁଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ପ୍ରାୟ ବର୍ଷେ ପରେ ଅନୁଷା ତାଙ୍କୁ ଛାଡ଼ି ବାପଘରକୁ ପଳାଇଥିଲେ। ପରବର୍ତ୍ତୀ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଭୟ ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନଥିଲ। ବିଭାବସୁଙ୍କୁ ଛାଡ଼ପତ୍ର ଦେବା ପାଇଁ ସ୍ଥିର କରିଥିଲେ ଅନୁଷା।

ଛାଡ଼ପତ୍ର ଆବେଦନରେ ତାଙ୍କୁ ନଂପୁସକ ବୋଲି ଦର୍ଶାଯାଇଛି ବୋଲି ଶୁଣିବାକୁ ପାଇଥିଲେ ବିଭାବସୁ। ଏତିକିରେ ଉତ୍‌କ୍ଷିପ୍ତ ହୋଇଉଠିଥିଲେ ସେ । ସେ ଯେ ନଂପୁସକ ନୁହନ୍ତି, ଏକଥା ପ୍ରମାଣିତ କରିବାକୁ ସ୍ଥିର କରିଥିଲେ। କିନ୍ତୁ ତାଙ୍କ ଢଙ୍ଗ ଥିଲା ସଂପୂର୍ଣ୍ଣ ଭିନ୍ନ। ବିକୃତ ମାନସିକତାର ପ୍ରତିଫଳନ। ଜଣେ ଦେହଜୀବୀଙ୍କ ସହ ଯୌନକ୍ରିୟାରେ ଲିପ୍ତ ଥାଇ ଭିଡିଓ ସୁଟିଂ କରିଥିଲେ ଏବଂ ଏହି ଭିଡିଓକୁ ତାଙ୍କ ଶ୍ୱଶୁର ଓ ସ୍ତ୍ରୀଙ୍କର ଜଣେ ସଂପର୍କୀୟାଙ୍କ ନିକଟକୁ ପଠାଇ ଦେଇଥିଲ।

ଭିଡିଓ କ୍ଲିପ୍‌ ପାଇବା ପରେ ଏହି ସଂପର୍କୀୟା ଜଣକ ଥାନାରେ ଅଭିଯୋଗ କରିଥିଲେ। ଚେନ୍ନାଇର ଏମ୍‌କେବି ନଗର ମହିଳା ଥାନା ପୋଲିସ ବିଭାବସୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

କେହି ଜଣେ ତୃତୀୟ ବ୍ୟକ୍ତି ଏହି ଭିଡିଓ ସୁଟିଂ କରିଥିବା ସନ୍ଦେହ କରି ପୋଲିସ ତଦନ୍ତ ଚଳାଇଛି। ତଦନ୍ତ ବେଳେ ଭିଡିଓ ସୁଟିଂ କରି ପଠାଇଥିବା କଥାକୁ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ବିଭାବସୁ। ସେ ନଂପୁସକ ବୋଲି ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକେ କରିଥିବା ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣିତ କରିବାକୁ ସେ ଏହା କରିଥିଲେ ବୋଲି ପୋଲିସକୁ କହିଛନ୍ତି।

Comment