ଓଡ଼ିଶାଲାଇଭ୍ ବ୍ୟୁରୋ

‘ତେଲେଙ୍ଗାନା ଓଡ଼ିଶା ଡାକ୍ତର ସଂଘ’ର (ଟୋଡା) ପ୍ରଥମ ବାର୍ଷିକ ସମ୍ମିଳନୀ ରବିବାର ଦିନ ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି। ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସ୍ଵାସ୍ଥ୍ୟସେବାର ବିଭିନ୍ନ ବିଷୟରେ ଉପରେ ଅଲୋଚନା କରଯାଇଥିଲା।

‘ଟୋଡା’ର ଏହି ବାର୍ଷିକ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଡାକ୍ତର ଓ ସ୍ଵାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଥିବା ବ୍ୟକ୍ତି ଯୋଗ ଦେଇଥିଲେ। ଏଠାରେ ସ୍ଵାସ୍ଥ୍ୟସେବାର ବିଭିନ୍ନ କ୍ଷେତ୍ରର ୩୦ ଜଣ ବିଶିଷ୍ଟ ଡାକ୍ତର ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ହାର୍ଟ, କିଡନି, ସ୍ନାୟୁ ଓ ଅନ୍ୟାନ୍ୟ ରୋଗ ଉପରେ ଅଲୋଚନା କରଯାଇଥିଲା।

“ଓଡ଼ିଶାର ଯେଉଁ ଡାକ୍ତରମାନେ ରାଜ୍ୟ ବାହାରେ କାମ କରୁଛନ୍ତି, ସେମାନଙ୍କ ଓଡ଼ିଶାର ସ୍ଵାସ୍ଥ୍ୟ ସେବାର ବିକାଶରେ ଯୋଗଦାନ କରିବାର ଆବଶ୍ୟକତା ରହିଛି। ସେମାନେ ଓଡ଼ିଶାର ଗରିବ ଓ ପଛୁଆ ଲୋକମାନଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ସହାୟତା କରିପାରିଲେ ରାଜ୍ୟର ବିଶେଷ ଉପକାର ହେବ”, କହିଛନ୍ତି ଅତନୁ ସବ୍ୟସାଚୀ ନାୟକ।

ତେଲେଙ୍ଗାନାରେ କାର୍ଯ୍ୟରତ ଓଡ଼ିଶାର ଡାକ୍ତରମାନଙ୍କୁ ନେଇ ୨୦୧୮ ମସିହାରେ ‘ତେଲେଙ୍ଗାନା ଓଡ଼ିଶା ଡାକ୍ତର ସଂଘ’ (ଟୋଡା)ର ଗଠନ ହୋଇଥିଲା। ବର୍ତ୍ତମାନ ଏଥିରେ ପ୍ରାୟ ୨୫୦ରୁ ଅଧିକ ସଦସ୍ୟ ରହିଛନ୍ତି। ଏହି ସଂଗଠନ ସ୍ଵେଚ୍ଛାକୃତ ଭାବେ ଅଭବୀ ଓ ଅସହାୟ ଲୋକମାନଙ୍କୁ ମାଗଣାରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଥାଏ।

‘ଟୋଡା’ର ଏହି ବାର୍ଷିକ ସମ୍ମିଳନୀରେ ତେଲେଙ୍ଗାନାରେ ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦେଶକ ତଥା ରାଜ୍ୟର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ଵେତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ସଂଗଠନର ପୃଷ୍ଠପୋଷାକ ଡାକ୍ତର ପି ସି ରଥ, ଡାକ୍ତର ଡି ନାଗେଶ୍ଵର ରେଡ୍ଡୀ, ପି ଭି ଏସ ରାଜୁ, ଡାକ୍ତର ଜି ଭି ରାଓ, ସଭାପତି ଡାକ୍ତର ସୁନିଲ ସ୍ଵାଇଁ, ଉପସଭାପତି ଡାକ୍ତର ସଙ୍ଗୀତା ଦାସ ପ୍ରମୁଖ ଯୋଗ ଦେଇଥିଲେ।

Tags: #TelanganaOdishaDoctorsAssociation #TODA #1stAnnualConfernce #Hyderabad

 

Comment