ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଖାଉଟିମାନଙ୍କ ପାଖରେ ଅତି ସହଜରେ ପହଞ୍ଚାଇବା ପାଇଁ ଡାଏରୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକଙ୍କ ପାଖରେ ପହଞ୍ଚିବ ଓମ୍‌ଫେଡ୍‌। ଓମଫେଡ୍‌ ଦ୍ୱାରା ପ୍ରସ୍ତୁତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ରାଜଧାନୀବାସୀଙ୍କ ନିକଟରେ ପହଞ୍ଚିବ। ବୁଧବାରଦିନ ଓମଫେଡ୍ ପକ୍ଷରୁ ଡାଏରୀ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି। ବ୍ୟାଟେରୀ ଚାଳିତ ଇ-କାର୍ଟ ଜରିଆରେ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଯିବ। ୧୦ଟି ବ୍ୟାଟେରି ଚାଳିତ ଇ-କାର୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଆସନ୍ତା ୧୫ଦିନ ମଧ୍ୟରେ ଆହୁରି ୨୩ଟି ଇ-କାର୍ଟ ଏଥିରେ ସାମିଲ ହେବ। ରାଜଧାନୀର ପ୍ରତି ଦୁଇଟି ଓ୍ଵାର୍ଡ ପାଇଁ ଗୋଟିଏ ଇ-କାର୍ଟ ଗାଡ଼ିକୁ ସଂରକ୍ଷିତ ରଖାଯିବ ବୋଲି ଜଣାପଡ଼ିଛି।

ଇ-କାର୍ଟରେ ଦୁଗ୍ଧ ବୋତଲ, ରାବିଡ଼ି, ମିଠାଦହି, ପ୍ୟାକେଟ୍‌ ଦହି, ସାଦା ଦହି, ଘୋଳ ଦହି, ଲସି, ଛେନାପୋଡ଼, ଟେବୁଲ ବଟର, ପନିର, ପେଡ଼ା, ଖୁଆ, ଟିଣପ୍ୟାକ ରସଗୋଲା, ଗୋଲାପଜାମୁ ଓ ବିଭିନ୍ନ ସ୍ୱାଦର ଆଇସକ୍ରିମ୍‌ ଉପଲବ୍ଧ ହେବ। ଓମ୍‌ଫେଡ୍‌ ଦ୍ୱାରା ନିଯୁକ୍ତିପ୍ରାପ୍ତ ବିକ୍ରେତାମାନଙ୍କ ଦ୍ୱାରା ଖାଉଟିମାନଙ୍କୁ ସିଧାସଳଖ ବିକ୍ରିୟ କରାଯିବ। ଓମ୍‌ଫେଡ୍‌ ସହ ଅନୁବନ୍ଧିତ ୩ଲକ୍ଷ ଦୁଗ୍ଧଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯାଇ ସେମାନଙ୍କୁ ବିକ୍ରିୟ ସୁବିଧା ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୫୦ଟି ଇ-କାର୍ଟ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ୧କୋଟି ଟଙ୍କା ଖର୍ଚ୍ଚ କରାଯିବ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏହା ମଞ୍ଜୁର ହୋଇଛି। ପ୍ରଥମେ ଏହା ଭୁନେଶ୍ଵରରେ ଉପଲବ୍ଧ ହେବ। ଆଗାମୀ ଦିନରେ କଟକ, ପୁରୀ, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ସୁବିଧା ଉପଲବ୍ଧ ହେବ। ତେବେ ଲୋକସଂଖ୍ୟା ଅନୁଯାୟୀ ଇ-କାର୍ଟ ପ୍ରଚଳନର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ୍ତ ମହାରଥୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମତ୍ସ୍ୟ ବିଭାଗର ସଚିବ ବିଶାଳ ଗଗନ ଓ ଓମ୍‌ଫେଡର ଅଧ୍ୟକ୍ଷା ସରୋଜିନୀ ମିଶ୍ର ଉପସ୍ଥିତ ଥିଲେ।

Comment