ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ପ୍ରଥମ ଦକ୍ଷତା ସଂଗ୍ରହାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ଖପୁରିଆସ୍ଥିତ ଆଇଟିଆଇ ସେଣ୍ଟରରେ ଏହି ସଂଗ୍ରହାଳୟ ଉଦଘାଟିତ ହୋଇଛି। ୨୬୦୦ ବର୍ଗଫୁଟ ଜାଗାରେ ଏହି ସଂଗ୍ରହାଳୟ ନିର୍ମିତ ହୋଇଛି।

“ଶିଳ୍ପ ତାଲିମ୍ କ୍ଷେତ୍ରରେ ଖପୁରିଆ ଆଇଟିଆଇ ରାଜ୍ୟ ତଥା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ଗତ ୬୦ ବର୍ଷ ଭିତରେ ଏହି ଆଇଟିଆଇ ସେଣ୍ଟର ବହୁ ଟାଲେଣ୍ଟ ବାହାର କରିଛି। ଏହି ଶିଳ୍ପ ତାଲିମ୍ କେନ୍ଦ୍ରରେ ଦକ୍ଷତା ସଂଗ୍ରହାଳୟ ଖୋଲାଯାଇଥିବାରୁ ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ଏହା ବେଶ୍ ସହାୟକ ହେବ। ଅତୀତର କୌଶଳ ବିଷୟରେ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଜାଣିବା ସହ ଭବିଷ୍ୟତର ଯୁବପିଢ଼ି ମଧ୍ୟ ଏଥିରୁ କିଛି ଶିଖିବାକୁ ପାଇବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ସଂଗ୍ରହାଳୟରେ ଗ୍ରାମଫୋନ୍, ୧୯୦୭ ମସିହାର ଉଡ଼ାଜାହାଜ ଇଞ୍ଜିନ, ପୂର୍ବରୁ ବିଭିନ୍ନ କଳ କାରଖାନାରେ ଚାଲୁଥିବା ମେସିନ୍ ସଂଗ୍ରହାଳୟରେ ସ୍ଥାନ ପାଇଛି। ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସଂଗ୍ରହାଳୟ ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଯୋଗାଇବ।

ଏହି ଅବସରରେ ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଓଡ଼ିଶାର ଦକ୍ଷତାକୁ ସାରା ଭାରତରେ ପ୍ରତିନିଧିତ୍ୱ କରିଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି।

Comment