ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଗ୍ୟାଙ୍ଗଷ୍ଟର ଟିଟୋ। ଟିଟୋ ଏବେ ଜେଲ୍‌ରେ ଥିବା ବେଳେ ତା’ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ଟେଣ୍ଡର ଫିକ୍ସିଂକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ଆଉ ଏକ ମାମଲା ରୁଜୁ କରିଛି। ଫଳରେ ଟିଟୋ ପାଇଁ ଅଡ଼ୁଆ ବଢ଼ିଛି।

ଆଳି ତଟବନ୍ଧ ବିଭାଗର ୧୩ କୋଟି ଟଙ୍କାର ଏକ ଟେଣ୍ଡରରେ ଦେଢ଼ କୋଟି ଟଙ୍କା ବଟି ଦାବି କରି ଜଣେ ଠିକାଦାରକୁ ଅପହରଣ କରି ନେଇଥିଲେ ଟିଟୋର ଭାଇମାନେ। ଘଟଣାଟି ଘଟିଥିଲା ୨୦୧୭ ମସିହା ସେପ୍ଟେମ୍ବର ୯ ତାରିଖରେ। ସେତେବେଳେ ପୋଲିସ ନିକଟରେ ମୌଖିକ ଅଭିଯୋଗ କରିଥିବା ଠିକାଦାର ରନ୍ଥା ଓରଫ ଶିବ ପ୍ରସାଦ ପରିଡ଼ା ଥାନାରେ ଲିଖିତ ଅଭିଯୋଗ କରିନଥିଲେ।

ହେଲେ ଏବେ କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ତପନ କୁମାର ନାୟକ ନିଜେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। କିନ୍ତୁ ଏବେ ବି ଠିକାଦାର ରନ୍ଥା ଓରଫ ଶିବପ୍ରସାଦ ଆତ୍ମଗୋପନ କରିଛନ୍ତି।

୨୦୧୭ ସେପ୍ଟେମ୍ବର ୯ ତାରିଖରେ ଠିକାଦାର ରନ୍ଥା ଅପହରଣ ହୋଇଥିବା ଖବର ପ୍ରଚାର ହୋଇଥିଲା। ପୋଲିସ କେନ୍ଦ୍ରାପଡ଼ା ତହସିଲ ନିକଟରେ ରନ୍ଥାଙ୍କର ଭଡ଼ାଘରକୁ ଯାଇ ଖୋଳତାଡ଼ କରିଥିଲା। ରନ୍ଥାଙ୍କ ଘରେ ଲାଗିଥିବା ସିସି ଟିଭି ଫୁଟେଜ ମଧ୍ୟ ଯାଞ୍ଚ ହୋଇଥିଲା। ପ୍ରାୟ ୪ -୫ ଘଣ୍ଟା ପରେ ରନ୍ଥାଙ୍କର ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ଯେ ତାଙ୍କୁ କେହି ଅପହରଣ କରିନାହାନ୍ତି।

ପରେ ରନ୍ଥା ପୋଲିସ ନିକଟରେ ଅପହରଣ ନାଟକ ବିଷୟରେ ସମସ୍ତସ ତଥ୍ୟ ଦେଇଥିଲେ। ରନ୍ଥାଙ୍କୁ ଟିଟୋର ଭାଇମାନେ ଅପହରଣ କରିନେଇ ଟିଟୋ ନିକଟରେ ହାଜର କରିଥିଲେ ବୋଲି ରନ୍ଥା ପୋଲିସକୁ କହିଥିଲା। ପୋଲିସ ସେତେବେଳେ କୌଣସି ମାମଲା ରୁଜୁ କରି ନଥିବା ବେଳେ  ଏବେ ନିଜ ଆଡ଼ୁ ମାମଲା ରୁଜୁକରି ତଦନ୍ତ କରୁଥିବା ଟାଉନଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comment