ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମ ବିଭ୍ରାଟକୁ ତିନି ବର୍ଷ ବିତିଯାଇଥିଲେ ହେଁ ଏହା ପଛରେ କାରଣ କ’ଣ ଥିଲା ତାହାସ୍ପଷ୍ଟ କରୁନାହିଁ ପ୍ରଶାସନ।

ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦ ଥମିବା ନାଁ ଧରୁନାହିଁ। ଗୋଟିଏ ପରେ ଗୋଟିଏ ବିବାଦ ଜାରୀ ରହିଥିବା ବେଳେ ଏବେ ୨୦୧୫ ନବକଳେବର ବେଳେ ଯେଉଁ ବ୍ରହ୍ମ ବିଭ୍ରାଟ ଘଟିଥିଲା ସେ ସମ୍ପର୍କରେ କିଛି ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି। ଆଉ ଏହା ଯଦି ସତ ହୁଏ ତେବେ ସାଙ୍ଘାତିକ ନିଶ୍ଚିତ।

ପ୍ରଥମ କଥା ହେଲା ବ୍ରହ୍ମବିଭ୍ରାଟର ତଦନ୍ତ ପାଇଁ ଗଠିତ କମିଶନର ରିପୋର୍ଟ। ତିନି ବର୍ଷ ବିତିଯାଇଥିଲେ ହେଁ ଏହି ବିଭ୍ରାଟ ପଛରେ କାରଣ କ’ଣ ଥିଲା ଓ କେଉଁମାନେ ଏଥିପାଇଁ ଦାୟୀ ତାହା ସର୍ବସାଧାରଣରେ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚାହୁଁନାହାନ୍ତି। ରିପୋର୍ଟକୁ ସାର୍ବଜନୀନ କରା ନଯିବା ପଛରେ କିଛି ନିହିତ ସ୍ୱାର୍ଥ ରହିଛି ବୋଲି ଆଲୋଚନା ହେଉଛି। ଯେଉଁମାନେ ବ୍ରହ୍ମ ବିଭ୍ରାଟର ଅସଲ ଖଳନାୟକ ସେମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ମଧ୍ୟ ଗୁଞ୍ଜରଣ ଚାଲିଛି।

ରିପୋର୍ଟକୁ ଚପାଇଦେବା ପାଇଁ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ନିଜେ ବ୍ରହ୍ମ ବିଭ୍ରାଟକାରୀଙ୍କ ନାମ ଘୋଷଣା କରିବା ପାଇଁ ଚାହୁଁନାହିଁ ନା ଏହା ନକରିବା ପାଇଁ ସରକାରଙ୍କ ପକ୍ଷରୁ ଚାପ ପଡ଼ୁଛି ତାହା ବୁଝା ପଡୁନାହିଁ।

ରିପୋର୍ଟକୁ ଚାପିଦେବା ପାଇଁ ଏକ ବଡ଼ ଗୋଷ୍ଠୀ ଚକ୍ରାନ୍ତ କରୁଛି ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ନବକଳେବର -୨୦୧୫ ସମୟରେ ବରିଷ୍ଠ ଆଇଏଏସ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ପ୍ରଶାସକ ଥିଲେ। ମଜା କଥା ହେଉଛି ବ୍ରହ୍ମ ବିଭ୍ରାଟ ଘଟଣାର ତଦନ୍ତ ପାଇଁ ସରକାର ସେଇ ମହାପାତ୍ରଙ୍କୁ ହିଁ ଦାୟୀତ୍ୱ ଦେଇଥିଲେ। ସେ ତଦନ୍ତ କଲେ ସତ କିନ୍ତୁ ରିପୋର୍ଟ ଦାଖଲ କଲେନାହିଁ।

ଘଟଣାକ୍ରମରେ ସୁରେଶ ମହାପାତ୍ରଙ୍କ ସ୍ଥାନରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ପ୍ରଶାସକ ନିଯୁକ୍ତ କରାଗଲା। ଜେନାଙ୍କ ସମୟରେ ସୁରେଶ ମହାପାତ୍ର ବ୍ରହ୍ମ ବିଭ୍ରାଟ ରିପୋର୍ଟ ଦାଖଲ କଲେ। କିନ୍ତୁ ଏହାକୁ ସାର୍ବଜନୀନ କରାଗଲା ନାହିଁ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ପରର କଥା। ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ ହେବା ପରେ ଗତ ମାର୍ଚ୍ଚ ମାସରେଏହାର ପ୍ରଥମ ବୈଠକ ବସିଥିଲା। ଏହି ବୈଠକରେ ବ୍ରହ୍ମବିଭ୍ରାଟ ରିପୋର୍ଟ କଥା ଆଲୋଚନା ହେଲା ସତ ତେବେ ଏହାକୁ ଅଧିକ ତର୍ଜମା କରିବାକୁ ନିଷ୍ପତ୍ତି ନିଆଗଲା।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ତିନି ଜଣିଆ କମିଟି ନିଯୁକ୍ତ କଲେ। ଏହି ତିନି ଜଣ ହେଉଛନ୍ତି ମହୀମୋହନ ତ୍ରିପାଠୀ, ସଚ୍ଚିଦାନନ୍ଦ ଦାସ ମହାରାଜ ଓ ସିଦ୍ଧେଶ୍ୱର ମହାପାତ୍ର। ଇତି ମଧ୍ୟରେ ୫ ମାସ ବିତିଯାଇଥିଲେ ହେଁ କମିଟି ତର୍ଜମା ଶେଷ କଲେ କି ନାହିଁ ସେ ବିଷୟରେ କିଛି ଆଲୋଚନା ହେଉନାହିଁ କି ତନାଘନା କରାଯାଉନାହିଁ। ଇତିମଧ୍ୟରେ ପ୍ରଦୀପ ଜେନାଙ୍କୁ ହଟାଇ ଦିଆଯାଇ ପ୍ରଦୀପ୍ତ ମହାପାତ୍ରଙ୍କୁ ମୁଖ୍ୟ ପ୍ରଶାସକ ପଦରେ ବସାଯାଇଛି। ତିନି ତିନି ଜଣ ମୁଖ୍ୟ ପ୍ରଶାସକ ବଦଳିଲେ ଅଥଚ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଖୁଲାସା ହୋଇପାରିଲା ନାହିଁ।

ଶୁଣାଯାଉଛି ବ୍ରହ୍ମ ବିଭ୍ରାଟ ପାଇଁ ଦାୟୀ କିଛି ଛାମୁଆ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ଜାଣିଶୁଣି ରିପୋର୍ଟକୁ ଚାପି ଦିଆଯାଉଛି। ନବକଳେବର ବ୍ରହ୍ମ ବିଭ୍ରାଟ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏଥିପାଇଁ ରାଜ୍ୟ ସରକାର ବଦନାମ ବି ହେଲେ। କିନ୍ତୁ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଦେଖାଯାଉନାହିଁ। କୌତୁହଳର ବିଷୟ ହେଲା ଯେଉଁମାନଙ୍କୁ ସେବାରୁ ନିଲମ୍ବିତ କରାଯାଇଥିଲା ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।

ଏ ମାସ ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କିଛି ସଦସ୍ୟ ବ୍ରହ୍ମ ବିଭ୍ରାଟ ରିପୋର୍ଟ ବିଷୟ ଉଠାଇବେ ବୋଲି ଆଲୋଚନା ହେଉଛି। ରିପୋର୍ଟ ଆସିବା ପରେ କାହିଁକି ଏହାକୁ ସର୍ବସାଧାରଣଙ୍କ ପାଇଁ ଖୁଲାସା କରାଯାଉନାହିଁ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment