ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର
  • ସ୍ମୃତି ସ୍ଥଳରେ ଦିଆଗଲା ବିଦାୟ
  • ଶ୍ରଦ୍ଧାଞ୍ଜଳି ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି
  • ନେପାଳ ରାଜା ଦେଲେ ଶ୍ରଦ୍ଧାଞ୍ଜଳି
  • ପାଳିତ ଝିଅ ନମିତା ଦେଲେ ମୁଖାଗ୍ନି

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ସ୍ମୃତିସ୍ଥଳରେ ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯାଇଛି। ପାଳିତ ଝିଅ ନମିତା ମୁଖାଗ୍ନି ଦେଇଛନ୍ତି। ସ୍ମୃତିସ୍ଥଳରେ ମହାନ ଜନନାୟକ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ନୋପାଳ ରାଜା ଜିଗମେ ଖେଶର ନାମଗେଲ୍ ୱାଙ୍ଗଚୁକ୍, ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାଜପେୟୀଙ୍କୁ ଶେଷ ବିଦାୟ ଦେବା ବେଳେ ସ୍ମୃତିସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ବାଜପେୟୀଙ୍କ ସ୍ମୃତିକୁ ମନେପକାଇଥିଲେ।

ନୂଆଦିଲ୍ଲୀର କୃଷ୍ଣା ମେନନ୍ ମାର୍ଗସ୍ଥିତ ବାସଭବନରୁ ସକାଳ ୯ଟାରେ ବାଜପେୟୀଙ୍କ ମରଶରୀରକୁ ଶୋଭାଯାତ୍ରାରେ ବିଜେପି ପାର୍ଟି ଅଫିସକୁ ନିଆଯାଇଥିଲା। ସେଠାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଜେପି ନେତା। ପରେ ବାଜପେୟୀଙ୍କ ପାର୍ଥିବ ଶରୀରକୁ ସ୍ମୃତିସ୍ଥଳ ଅଭିମୁଖେ ନିଆଯାଇଥିଲା।

ଅପରାହ୍ଣ ୪ଟା୩୯ରେ ସ୍ମୃତିସ୍ଥଳ ନିକଟରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବ୍ରାହ୍ମଣମାନେ ମନ୍ତ୍ର ଉଚ୍ଚାରଣ କରିଥିଲେ। ବାଜପେୟୀଙ୍କ ପାର୍ଥିବ ଶରୀରକୁ ତ୍ରିରଙ୍ଗା ପତାକାରେ ଢାଙ୍କି ଦିଆଯାଇଥିଲା। ତିନି ସେନା ପ୍ରମୁଖ ବାଜପେୟୀଙ୍କୁ ସଲାମି ଦେଇଥିଲେ। ସେନା ବାହିନୀ ପକ୍ଷରୁ ତୋପ ସଲାମି ଦିଆଯାଇଥିଲା।

ଗୁରୁବାର ସନ୍ଧ୍ୟା ୫ଟା୫ ମିନିଟ୍‌ରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ବିଜେପି ପ୍ରତିଷ୍ଠାତା ସଦସ୍ୟ ଥିବା ବାଜପେୟୀ ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।

Comment