ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନିରାଶ କରିବା ପରେ ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପଦାଯାତ୍ରାରେ ଭୁବନେଶ୍ୱର ବାହାରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକ୍ତିକାନ୍ତ ଭେଟିଛନ୍ତି।

ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇଙ୍କ ସହଯୋଗରେ ମୁକ୍ତିକାନ୍ତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଦାବି ଉପସ୍ଥାପନ କରିଛନ୍ତି। ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମୁକ୍ତିକାନ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ରାଉରକେଲା ଆଇଜିଏଚ୍‌ ହସ୍ପିଟାଲର ଆଧୁନିକୀକରଣ ଦାବିରେ ମୁକ୍ତିକାନ୍ତ ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଥିଲେ। ଜୁଲାଇ ୩୦ରେ ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭଟେିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

“ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ସମ୍ପର୍କରେ ଅବଗତ କରିଛି। ଦାବି ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ”, କହିଛନ୍ତି ମୁକ୍ତିକାନ୍ତ।

୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ଉତ୍ସବରେ ଯୋଗଦେଇ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ସହିତ ଆଇଜିଏଚ୍‌କୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତିନି ବର୍ଷ ପୂରି ଯାଇଥିଲେ ବି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ପ୍ରତିଶ୍ରୁତି ମନେପକାଇଦେବା ପାଇଁ ମୁକ୍ତିକାନ୍ତ ଦିଲ୍ଲୀ ଯାତ୍ରା କରିଥିଲେ।

ଏପ୍ରିଲ ମାସରୁ ରାଉରକେଲାରୁ ପଦଯାତ୍ରା ଆରମ୍ଭ କରିଥିଲେ ମୁକ୍ତିକାନ୍ତ। ଗତ ଜୁନ୍ ୨୭ରେ ଦିଲ୍ଲୀରେ ପହଞ୍ଚିଥିଲେ। ପ୍ରଥମେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟିଥିଲେ। ହେଲେ ଜୁଏଲ ତାଙ୍କୁ ନିରାଶ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁକ୍ତିକାନ୍ତ ଜନ୍ତରମନ୍ତରରେ ଅନଶନରେ ବସିଥିଲେ। ହେଲେ ପୋଲିସ ସେଠାରୁ ତାଙ୍କୁ ଉଠାଇ ଦେଇଥିଲା। ଶେଷରେ ମୁକ୍ତକାନ୍ତ ରାମଲୀଳା ମଇଦାନରେ ଅନଶନରେ ବସିଥିଲେ। ହେଲେ ସ୍ୱାସ୍ଥ୍ୟ ଖରାପ ହେବାରୁ ଅନଶନ ଭାଙ୍ଗି ସେ ରାଉରକେଲା ଫେରି ଆସିଥିଲେ।

Comment