ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୁଟିନ୍ ଚେକ୍‌ ଅପ୍‌ ସାରି ଭୁବନେଶ୍ୱର ଫେରିବା ପରେ ପପୁ ପମ୍‌ ପମ୍‌ ଭିଡିଓ ଜାରି କରି କହିଛନ୍ତି ‘ମୁଁ ମରିନି, ବଞ୍ଚିଛି’।

“ମୁଁ ମରିନି, ବଞ୍ଚିଛି। ରୁଟିନ ଚେକ୍‌ଅପ୍‌ ପାଇଁ ମୁଁ ଦିଲ୍ଲୀ ଯାଇଥିଲି। ହେଲେ ଗୁଜବ ଖବର ପ୍ରଚାର କରି ମତେ କାହିଁକି ମାରି ଦେଉଛ? ସୋସିଆଲ ମିଡିଆରେ ମତେ ବାରମ୍ବାର ମାରି ଦେଉଥିବାରୁ ମୋ’ ଆୟୁଷ ବଢ଼ିଯାଉଛି”, ଭିଡିଓ ଜାରି କରି କହିଛନ୍ତି ପପୁ ପମ୍‌ ପମ୍।

ପ୍ରାନକ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ପପୁ ପମ୍‌ ପମ୍‌ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ମେ’ ୧୫ରେ ସେ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ବି ପପୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ଛାଇ ଯାଇଥିଲା। କିନ୍ତୁ ପପୁ ସୁସ୍ଥ ହୋଇ ଜୁଲାଇ ୧୦ ତାରିଖରେ ଘରକୁ ଫେରିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଏକ ଭିଡିଓ ଜାରି କରି ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ସେ ନୂଆ ଜୀବନ ପାଇଥିବା କହିଥିଲେ।

ଗତ ସପ୍ତାହେ ହେଲା ପପୁ ଘରେ ନଥିବା ଖବର ଜଣାପଡ଼ିଲା। ଏହାକୁ ନେଇ ଗୁଜବ ଉଠିଲା ଯେ ପପୁ ପୁଣି ଗୁରୁତର ହୋଇ ଦିଲ୍ଲୀ ଏମ୍‌ସ ଯାଇଛନ୍ତି। କିନ୍ତୁ ପପୁ ଆଜି ଭିଡିଓ ଜାରି କରି ଏହି ପ୍ରଚାରକୁ ଗୁଜବ କହିଛନ୍ତି।

“ରୁଟିନ ଚେକ୍‌ଅପ୍ ପାଇଁ ମୁଁ ଦିଲ୍ଲୀ ଏମ୍‌ସ ଯାଇଥିଲି। ତେବେ ମୁଁ କୁଆଡେ ଗଲି ଏବଂ କ’ଣ କଲି ତାହା କ’ଣ ମିଡିଆ ଏବଂ ସୋସିଆଲ ମିଡିଆରେ ଜଣାଇବା ନିହାତି ଦରକାର କି? ଚେକ୍‌ଅପ୍ ପାଇଁ ଯିବା ବେଳେ କିଛି ଲୋକ ମିଛ ନ୍ୟୁଜ ପ୍ରଚାର କରିଛନ୍ତି। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ମୁଁ ଆପଣମାନଙ୍କ ସହ ଆଗରୁ ଥିଲି, ଏବେ ରହିଛି ଏବଂ ଆଗକୁ ମଧ୍ୟ ରହିବି”, କହିଛନ୍ତି ପପୁ ପମ୍ ପମ୍।

ବିଦେଶରେ ଫୋର୍ ଇଡିୟଟସ୍‌ ଫିଲ୍ମ ସୁଟିଂ ଚାଲିଥିବା ବେଳେ ପପୁ ହଠାତ୍ ଅସୁସ୍ଥ ହୋଇଯାଇଥିଲେ। ସୁଟିଂ ବାତିଲ କରି ପପୁ ଭୁବନେଶ୍ୱର ଫେରି ଆସିଥିଲେ। ଘରୋଇ ହସ୍ପିଟାଲରେ ପପୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। କିଛିଦିନ ସେ ଭୁବନେଶ୍ୱରରେ ଚିକିତ୍ସିତ ହେବା ପରେ ପପୁଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ଦେଢ଼ ମାସ ପରେ ପପୁ ସୁସ୍ଥ ହୋଇ ଭୁବନେଶ୍ୱର ଫେରିଥିଲେ।

Comment