ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଏକଦା ନମ୍ବର ୱାନ୍ନାୟିକା ଥିବା ରଚନା ବାନାର୍ଜୀ ପୁଣି ଫେରୁଛନ୍ତି ଓଡ଼ିଆ ସିନେଜଗତକୁ ହେଲେ ତାଙ୍କର ଫେରିବାରେ ଟିକେ ବିଳମ୍ବ ହୋଇପାରେଜାଣନ୍ତୁ କାହିଁକି

ଓଲିଉଡରେ କେତେଜଣ ବଙ୍ଗୀୟ ନାୟିକା ବେଶ୍ ନାଁ କରିଛନ୍ତି। ଓଡ଼ିଆ ଦର୍ଶକମାନେ ସେହି ନାୟିକାମାନଙ୍କୁ ଏବେ ବି ଝୁରୁଛନ୍ତି। ପୁଣି ସେମାନଙ୍କୁ ପରଦାରେ ଦେଖିବାକୁ ଚାହାଁନ୍ତି। ଏଭଳି ଜଣେ ବଙ୍ଗୀୟ ନାୟିକା ହେଲେ ରଚନା ବାନାର୍ଜୀ। ତାଙ୍କର ପ୍ରକୃତ ନାଁ ହେଲା ଝୁମଝୁମ୍‌ ବାନାର୍ଜୀ, କିନ୍ତୁ ତାଙ୍କର ସ୍କ୍ରିନ୍‌ ନେମ୍‌ ହେଲା ରଚନା।

ରଚନାଙ୍କୁ ଓଲିଉଡରେ ଯେଉଁ ମର୍ଯ୍ୟାଦା, ସମ୍ମାନ ବା ପ୍ରତିଷ୍ଠା ମିଳିଥିଲା, ତାହା ତାଙ୍କୁ ଅନ୍ୟତ୍ର ମିଳିନାହିଁ ବୋଲି କୁହାଯାଇପାରେ। ୧୯୭୪ ମସିହା ଅକ୍ଟୋବର ୨ ତାରିଖରେ ପଶ୍ଚିମବଙ୍ଗର କୋଲକାତା ମହାନଗରୀରେ ତାଙ୍କ ଜନ୍ମ ହୁଏ।

୧୯୯୪ ମସିହାରେ ରଚନା ‘ମିସ୍‌ କୋଲକାତା’ ଟାଇଟଲ୍‌ ହାସଲ କରିବା ପରେ ଫିଲ୍ମରେ ପାଦ ଦେଇଥିଲେ। ତାଙ୍କ ନାଁ ‘ରଚନା’ ଦେଇଥିଲେ ପ୍ରଖ୍ୟାତ ବଙ୍ଗଳା ସିନେ ନିର୍ଦ୍ଦେଶକ ସୁଖେନ୍‌ ଦାସ। ୧୯୯୪ରେ ରିଲିଜ୍‌ ହୋଇଥିବା ‘ଦାନ ପ୍ରତିଦାନ’ରେ ହିରୋଇନ୍‌ ଭାବେ ଡେବ୍ୟୁ କରିଥିଲେ।

ଓଲିଉଡରେ ରଚନା ବାନାର୍ଜୀଙ୍କୁ ବ୍ରେକ୍‌ ଦେଇଥିଲେ ଖ୍ୟାତନାମା ନିର୍ଦ୍ଦେଶକ ରାଜୁ ମିଶ୍ର। ତାଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ରେ ପ୍ରଥମେ ଅଭିନୟ କରି ଓଡ଼ିଆ ସିନେଜଗତରେ ପାଦ ଥାପିଥିଲେ। ଏଥିରେ ନବାଗତ ଅନୁପ ଶାହା ଥିଲେ ରଚନାଙ୍କର ନାୟକ। ହେଲେ ଏହି ସିନେମାଟି ସୁପରଫ୍ଲପ୍‌ ହୋଇଥିଲା।

ତା’ପରେ ରଚନା ବାନାର୍ଜୀଙ୍କୁ ଲୋକପ୍ରିୟ ନିର୍ଦ୍ଦେଶକ ରବି କିନ୍ନାଗୀ ‘ଭାଇ ହେଲା ଭଗାରୀ’ରେ ସୁଯୋଗ ଦେଇଥିଲେ। ଏହି ଓଡ଼ିଆ ସିନେମାରେ ରଚନା ପ୍ରଥମେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ବନିଥିଲେ। ଏହି ସିନେମା ସୁପରହିଟ୍‌ ହେବା ପରେ ରଚନା ଓଲିଉଡରେ ନମ୍ବର ୱାନ୍‌ ହୋଇଗଲେ ଓ ସିଦ୍ଧାନ୍ତ-ରଚନା ଯୋଡ଼ି ବି ସୁପରହିଟ୍‌ ହେଲା।

ଏହାପରେ ରଚନାଙ୍କୁ ‘ଯଶୋଦା’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଲକ୍ଷ୍ମଣରେଖା’, ‘ଲକ୍ଷ୍ମୀ ପ୍ରତିମା’, ‘ଗଙ୍ଗା ଯମୁନା’, ‘ସୁହାଗ ସିନ୍ଦୂର’, ‘କଳକୀ ଅବତାର’, ‘ପରଦେଶୀ ବାବୁ’, ‘କଣ୍ଢେଇ ଆଖିରେ ଲୁହ’, ‘ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର’, ‘ସିନ୍ଦୂର ନୁହେଁ ଖେଳ ଘର’, ‘ପବିତ୍ର ବନ୍ଧନ’, ‘ଧର୍ମ ସହିଲେ ହେଲା’ ଓ ‘ସନ୍ତାନ’ ଆଦି ସମେତ ଅନେକ ଓଡ଼ିଆ ଛବିରେ ଦେଖିବାକୁ ମିଳିଥିଲା।

୨୦୦୨ରେ ରିଲିଜ୍‌ ହୋଇଥିବା ‘ସନ୍ତାନ’ ପରେ ରଚନା ବାନାର୍ଜୀ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି। କିନ୍ତୁ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଛି ଯେ ସେ ଓଲିଉଡକୁ ଫେରିବେ । ପୁଣି ଦର୍ଶକ ପରଦା ଉପରେ ସେମାନଙ୍କର ପ୍ରିୟ ଯୋଡ଼ି ସିଦ୍ଧାନ୍ତ-ରଚନାଙ୍କୁ ଦେଖିବାକୁ ପାଇବେ।

ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଏସ୍. କେ. ମୁରଲୀଧରନ୍‌ ରଚନାଙ୍କୁ ଓଲିଉଡକୁ ଫେରାଇ ଆଣିବେ। ହେଲେ ତାହା କେବଳ ଚର୍ଚ୍ଚାରେ ରହିଯାଇଛି।

ନିକଟରେ ଆଉ ଜଣେ ନିର୍ଦ୍ଦେଶକ ସେଭଳି ଯୋଜନାକୁ ସଫଳ ରୂପ ଦେବାକୁ ଯାଉଥିବାର ଖବର ମିଳିଥିଲେ। ଏହି ନିର୍ଦ୍ଦେଶକ ହେଲେ ମାଧବ ପରିଡ଼ା। ସେ ଆଗରୁ ‘ଦି ଗେଷ୍ଟ ହାଉସ୍‌’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି, ଯାହା ଏବେ ରିଲିଜ୍‌ ଅପେକ୍ଷାରେ ରହିଛି।

ମାଧବ ପରିଡ଼ା ରଚନାଙ୍କୁ ନେଇ ଯେଉଁ ଓଡ଼ିଆ ସିନେମାର ଯୋଜନା କରିଛନ୍ତି, ତା’ର ଟାଇଟଲ୍‌ ହେଲା ‘ରକ୍ତ ଚିହ୍ନେ ରକ୍ତକୁ’। ଇତିମଧ୍ୟରେ ସ୍ୱରୂପ ନାୟକଙ୍କ ସ୍ୱର ସଂଯୋଜନାରେ ଫିଲ୍ମର ଗୀତ ରେକର୍ଡିଂ ସରିଛି। ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ବୋଲି ମାଧବଙ୍କୁ ପ୍ରଶ୍ନ କଲେ, ସେ କହନ୍ତି, “ରଚନାଙ୍କ ସହିତ ଆମ ପ୍ରଯୋଜକ ଯୋଗାଯୋଗରେ ଅଛନ୍ତି। ରଚନା ଏବେ ଜୀ-ବଙ୍ଗଳାରେ ପ୍ରସାରିତ ରିଆଲିଟି ସୋ ଦିଦି ନମ୍ବର ୱାନ୍‌ ପାଇଁ ମାସକରେ ୧୮ ଦିନ ସମୟ ଦେଉଛନ୍ତି। ଏଣୁ ତାଙ୍କ ପାଇଁ ଓଡ଼ିଆ ସିନେମା ପାଇଁ ସମୟ ବାହାର କରିବା କଷ୍ଟକର ହେଉଛି। ଟିକେ ବିଳମ୍ବ ହେଲେ ବି ରଚନା ଓଡ଼ିଆ ସିନେମାରେ କାମ କରିବେ।”

ଅନ୍ୟ କିଛି ସମସ୍ୟା ନାହିଁ। ଯଦି ଏହା ସଫଳ ହୁଏ, ତେବେ ଦର୍ଶକ ଏକାସାଙ୍ଗେ ପରଦାରେ ସିଦ୍ଧାନ୍ତ ଓ ରଚନାଙ୍କ ସାଙ୍ଗରେ ଅନୁ ଚୌଧୁରୀଙ୍କୁ ବି ଦେଖିପାରିବେ।

Comment