କପିଳାସ ଭୂୟାଁ

ରାଜଧାନୀ ଭୁବନେଶ୍ଵରର ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ଅଧିକ ଅସମ୍ଭାଳ ହେବାରେ ଲାଗିଛି। ଆମ ଦେଶରେ ଜୀବନଯାପନ ପାଇଁ ଅନୁକୂଳ ପରିସ୍ଥିତି ଥିବା ସହରଗୁଡିକର ତାଲିକାରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ଵର। ଧୀରେ ଧୀରେ ଆମ ରାଜଧାନୀ ଭୁବନେଶ୍ଵରକୁ ଗୋଟିଏ ସ୍ମାର୍ଟ ସିଟିରେ ପରିଣତ କରିବାକୁ ସରକାରଙ୍କ ପକ୍ଷରୁ ଜୋରସୋର ଉଦ୍ୟମ କରାଯାଉଛି। ସବୁ ମୁଖ୍ୟ ରାସ୍ତାଗୁଡିକୁ ଚଉଡା କରାଯାଉଛି । ତଥାପି ବେଳେ ବେଳେ ଟ୍ରାଫିକ ଜାମ ଅଥୟ କରିଦେଉଛି। ଏହାର ମୁଖ୍ୟ କାରଣ ଗତ ଦଶ ପନ୍ଦର ବର୍ଷ ଭିତରେ ଚାରି ଚକିଆ ଓ ଦୁଇ ଚକିଆ ଯାନର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।

ଗୋଟିଏ ପଟେ ରାଜଧାନୀ ଭୁବନେଶ୍ଵରର ଆକାର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସହର ଭିତରେ ଯାତାୟତ କରିବା ପାଇଁ କତିପୟ ଟାଉନ ବସ୍ ତଥା ଅଟୋ ରିକ୍ସା ଉପରେ ହିଁ ସମସ୍ତେ ନିର୍ଭର କରନ୍ତି। କିନ୍ତୁ ଏହି ଯାତାୟତ ସମୟରେ ଲୋକେ ଯଥେଷ୍ଟ ସମୟ ନଷ୍ଟ କରିବା ସହ ହଇରାଣ ହରକତ ବି ହୁଅନ୍ତି। କ୍ରମବର୍ଦ୍ଧିଷ୍ଣୁ ସହର ମଧ୍ୟରେ ଯାତାୟତର ପର୍ଯ୍ୟାପ୍ତ ସୁବିଧା ଯୋଗାଇ ନଦେବା ପଛରେ କୁଆଡ଼େ ଅଟୋମୋବାଇଲ ଲବିର ହାତ ରହିଥାଏ ବୋଲି ବିଶେଷଜ୍ଞମାନଙ୍କ ମତ। ଫଳରେ ଟିକିଏ ସୁବିଧାରେ ଯାତାୟାତ କରିବା ପାଇଁ ଲୋକେ ନିଜ ନିଜର ଗାଡ଼ି ଖଣ୍ଡିଏ କିଣିବା ପାଇଁ ଆଗ୍ରହୀ ହୁଅନ୍ତି। ସେତେବେଳେ ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଗାଡ଼ି କିଣିବା ପାଇଁ ସହଜରେ କିସ୍ତିୱାରୀ ଋଣ ମଧ୍ୟ ଯୋଗାଇ ଦିଆଯାଏ। ଲୋକଙ୍କ ମନ ଖୁସ୍।

ତେବେ ଏହି ସବୁ ଗାଡ଼ି ମଟର ଚଳାଚଳ କରିବା ପାଇଁ ଚଉଡ଼ା ରାସ୍ତା ତିଆରି କରିବା ଦରକାର ପଡ଼େ। ସମ୍ପୃକ୍ତ ସରକାର ମଧ୍ୟ ମହା ଆଗ୍ରହରେ ସେହି ଦାୟିତ୍ଵଟିକୁ ତୁଲାଇଥାନ୍ତି। ରାତାରାତି ଶହ ଶହ ବର୍ଷର ପୁରୁଣା ଗଛ କାଟି ରାସ୍ତା ଚଉଡ଼ା କାମ କରାଯାଏ। ସିଂଗଲ ରାସ୍ତାକୁ ଦୋହରା, ଓ ତା’ ପରେ ଚାରି ଧାଡ଼ିଆ କି ଛ’ ଧାଡ଼ିଆ ରାସ୍ତାରେ ପରିଣତ କରାଯାଏ। ଏଭଳି ଆଖି ଦୃଶିଆ କାମ କରିବାକୁ ସବୁ ସରକାର ଭଲ ପାଆନ୍ତି, କାରଣ ଏହା ସରକାର ଜନହିତକର କାର୍ଯ୍ୟ କରୁଛନ୍ତି ବୋଲି ଧାରଣା ସୃଷ୍ଟି କରେ। କିନ୍ତୁ ବାସ୍ତବରେ ଏହା ଦ୍ଵାରା ଠିକାଦାର-ଇଞ୍ଜିନିୟର ଓ ସେମାନଙ୍କର ରାଜନୈତିକ ପୃଷ୍ଠପୋଷକମାନେ ମାଲାମାଲ ହୁଅନ୍ତି।

ତଥାପି ଗାଡ଼ି ମଟର ଯାତାୟାତ ପାଇଁ ରାସ୍ତା ଯଥେଷ୍ଟ ହୁଏ ନାହିଁ। ଟ୍ରାଫିକ ନିୟମ ମାନିବାକୁ କାହାର ସାମାନ୍ୟ ଆଗ୍ରହ ନାହିଁ। ଟ୍ରାଫିକ ଛକ ଗୁଡ଼ିକରେ ପଦଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଜେବ୍ରା କ୍ରସିଂ ପୂର୍ବରୁ ଥିବା ଦୁଇଟି ଗାର ପୂର୍ବରୁ ଗାଡି ଅଟକାଇବା ନିୟମ ହୋଇଥିବା ବେଳେ ଅଧିକାଂଶ ଗାଡି ଚାଳକମାନେ ଜେବ୍ରା କ୍ରସିଂ ଉପରେ ଗାଡି ଅଟକାଇବା ଆମ ରାଜଧାନୀରେ ଏକ ସାଧାରଣ ଦୃଶ୍ୟ। ଏହି ତ୍ରୁଟି ସୁଧାରିବା ପାଇଁ ଦାୟିତ୍ଵରେ ଥିବା ଟ୍ରାଫିକ ପୋଲିସ କୌଣସି ପଦକ୍ଷେପ ନେଲେ କିଛି ଲୋକ ସେମାନଙ୍କ ସହ ହାତାହାତି ହେବାକୁ ମଧ୍ୟ ପଛଉ ନାହାନ୍ତି।

ଏଭଳି ନିୟମ ଭାଙ୍ଗୁଥିବା ଓ ପୋଲିସ ସହ ଗଣ୍ଡଗୋଳ କରୁଥିବା ଲୋକମାନେ କିଏ? ଏମାନଙ୍କୁ କ୍ଷମତାଶାଳୀ କିମ୍ବା ଅହଂକାରୀ  ଶ୍ରେଣୀର ଲୋକ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ନିଜ ନିଜର ଗାଡ଼ିଗୁଡ଼ିକୁ ସେମାନେ ସେମାନଙ୍କର କ୍ଷମତା ଓ ଅହଂକାରର ପ୍ରତୀକ ବୋଲି ଭାବନ୍ତି। ସେମାନଙ୍କ ଗାଡ଼ିଗୁଡ଼ିକ ଅଧିକ ବେଗରେ ଯିବ, ସେଥିପାଇଁ ବାଟ ଛାଡ଼ିଦେବାକୁ ହେବ। ନଚେତ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ବଜାଇବା ସହ ଅନ୍ୟମାନଙ୍କୁ ଭୟଭୀତ କରାଇ ତୀବ୍ର ବେଗରେ ସେମାନଙ୍କ ଗାଡ଼ିଗୁଡ଼ିକ ଯିବ। ସେଥିରେ କୌଣସି ବାଧାକୁ ସେମାନେ ବରଦାସ୍ତ କରନ୍ତି ନାହିଁ।

ସାଧାରଣ ପଥଚାରୀମାନେ ତ ସେମାନଙ୍କ ଦୃଷ୍ଟିରେ ପୋକ ଜୋକ ସଦୃଶ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment