ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଜନୀକାନ୍ତ–ଅକ୍ଷୟ କୁମାର ଷ୍ଟାରର ମୁଭି ‘୨.୦’ର ନଭେମ୍ବର ମାସରେ ରିଲିଜ୍ ହେଉଛି। ଆସନ୍ତୁ ଜାଣିବା ଏହି ସିନେମା ବିଷୟରେ କିଛି ରୋଚକ ତଥ୍ୟ।
ଦେଶର ସବୁଠାରୁ ବଡ଼ ବଜେଟ୍ର ସିନେମା ‘୨.୦’ ନଭେମ୍ବର ୨୩ ତାରିଖରେ ପରଦାକୁ ଆସିବ ବୋଲି ଘୋଷିତ ହୋଇଛି। ଆସନ୍ତୁ ପ୍ରଥମେ ଜାଣିବା କାହିଁକି ଏହାର ରିଲିଜ୍ରେ ବିଳମ୍ବ ହେଲା।
ଏସ୍. ଶଙ୍କରଙ୍କ ନିର୍ଦ୍ଦେଶିତ ‘୨.୦’ରେ ମେଗାଷ୍ଟାର ରଜନୀକାନ୍ତ ଓ ସୁପରଷ୍ଟାର ଅକ୍ଷୟ କୁମାର ପ୍ରଥମ ଥର ପାଇଁ ପରଦାରେ ଏକାଠି ଆସୁଛନ୍ତି। ପ୍ରାୟ ୪୫୦ କୋଟି ଟଙ୍କା ବଜେଟରେ ଏହି ସିନେମା ‘ବାହୁବଲି’ଠାରୁ ଅଧିକ ଧମାକା କରିବ ବୋଲି ଆଶା କରାଯାଉଛି।
‘୨.୦’ରେ ଅଧିକ ଅନେକ ଆକସନ୍ ସିନ୍ ରହିଛି, ଯାହା ଦର୍ଶକଙ୍କ ମନ ମୋହିବ ନିଶ୍ଚୟ। ଫିଲ୍ମଟି ରିଲିଜ୍ ହେବା ଆଗରୁ ୧୯୦ କୋଟି ଟଙ୍କା ଆୟ କରିସାରିଲାଣି।
ପ୍ରକୃତରେ ‘୨.୦’ର ସୁଟିଂ ପ୍ରାୟ ଦେଢ଼ ବର୍ଷ ତଳୁ ଶେଷ ହୋଇସାରିଛି। ଏହାର ଭିଏଫଏକ୍ସ କାମ ଏକ ଆମେରିକୀୟ ଡିଜିଟାଲ୍ କମ୍ପାନିକୁ ଦିଆଯାଇଥିଲା। କମ୍ପାନି ତା’ର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନା କରିବା ଆଗରୁ ଏହାର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଗଲା। କମ୍ପାନି ନିଜକୁ ଦେବାଳିଆ ଘୋଷିତ କରିଲା। ଏହି କାରଣରୁ ‘୨.୦’ର ନିର୍ମାତାଙ୍କୁ ଥ୍ରିଡି ଓ ଅନ୍ୟାନ୍ୟ ସ୍ପେସିଆଲ୍ ଇଫେକ୍ଟସ କାମ ପୁଣି ଥରେ କରିବାକୁ ପଡ଼ିଥିଲା।
‘୨.୦’ ଏକ ସାଇନ୍ସ-ଫିକସନ୍ ଫିଲ୍ମ ହୋଇଥିବା ହେତୁ ଭିଏଫ୍ଏକ୍ସ କାମ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି କାମ ସରିବାକୁ ଅଧିକ ସମୟ ଲାଗିବା କାରଣରୁ ‘୨.୦’ ରିଲିଜରେ ବିଳମ୍ବ ଘଟିଲା ବୋଲି କୁହାଯାଉଛି। ଏହି ସିନେମାର ରିଲିଜ୍ କାରଣରୁ ଦୁଇଜଣ ପ୍ରଯୋଜକ ସେମାନଙ୍କ ଫିଲ୍ମର ରିଲିଜ୍ ତାରିଖ ବଦଳାଇଛନ୍ତି।
‘୨.୦’ ନଭେମ୍ବର ୨୩ ତାରିଖରେ ରିଲିଜ୍ ହେବାର ଘୋଷଣା ଶୁଣିବା ମାତ୍ରେ, ପ୍ରଯୋଜକ କରଣ ଜୋହର ‘ଦି ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର-୨’ର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏହି ସିନେମା ମଧ୍ୟ ସେହି ତାରିଖରେ ରିଲିଜ୍ ହେବ ବୋଲି ଆଗରୁ ଘୋଷିତ ହୋଇଥିଲା। କିନ୍ତୁ ‘ଦି ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ ଏବେ ୨୦୧୯ ମଇ ମାସରେ ରିଲିଜ୍ ହେବ।
ଠିକ୍ ସେହିପରି ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲୀ ଖାନ୍ ଷ୍ଟାରର୍ ‘କେଦାରନାଥ’ର ରିଲିଜ୍ ତାରିଖ ମଧ୍ୟ ଆଗକୁ ବଢ଼ାଇ ଦିଆଯାଇଛି। ଏହି ସିନେମା ମଧ୍ୟ ନଭେମ୍ବରରେ ରିଲିଜ୍ ହେବାର ଥିଲା। ‘କେଦାରନାଥ’ ବି ୨୦୧୯ରେ ରିଲିଜ୍ ହେବ।
‘୨.୦’ ସିନେମାର ବିତରକମାନେ ଆଶାବାଦୀ ଯେ ଏହି ଫିଲ୍ମ ଦକ୍ଷିଣ ଭାରତରେ ରଜନୀକାନ୍ତଙ୍କ ପାଇଁ ଓ ଉତ୍ତର ଭାରତରେ ଅକ୍ଷୟ କୁମାରଙ୍କ ପାଇଁ ଜବରଦସ୍ତ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି।
ଅକ୍ଷୟ କୁମାରଙ୍କ ଫିଲ୍ମଗୁଡ଼ିକ ଲଗାତାର ସୁପରହିଟ୍ ହେଉଥିବା ଯୋଗୁଁ କୌଣସି ପ୍ରଯୋଜକ ‘୨.୦’ର ମୁକାବିଲା କରିବାକୁ ଚାହୁଁନଥିବା ଜଣାଯାଇଛି।

















