ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ରାପଡା ଲୋକସଭା ଉପନିର୍ବାଚନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ଏହି ଆବେଦନକୁ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ନିର୍ବାଚନ କମିଶନ ଓ ଲୋକସଭା ବାଚସ୍ପତିଙ୍କ ଠାରୁ ଜବାବ ମାଗିଛନ୍ତି। ଜଷ୍ଟିସ ସିଦ୍ଧାର୍ଥ ମୃଦୁଳ ନିର୍ବାଚନ କମିଶନ ସମେତ ଅନ୍ୟ ମାନଙ୍କୁ ଯେଉଁ ନୋଟିସ ପଠାଇଛନ୍ତି ତାହାର ଉତ୍ତର ଦେବା ପାଇଁ କହିଛନ୍ତି।

ଅକ୍ଟୋବର ୧୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଓଡ଼ିଶାର ଜନୈକ ସମରେନ୍ଦ୍ର ବେଉରାଙ୍କ ଦ୍ୱାରା ଏହି ମାମଲା ଉଠାଯାଇଛି। ସେ ତାଙ୍କ ଓକିଲ ସୁଦର୍ଶ ମେନନଙ୍କ ଜରିଆରେ ପ୍ରାର୍ଥନା କରିଛନ୍ତି ଯେ ଏହି ଆସନଟିକୁ ‘ଖାଲି ପଡ଼ିଛି ବା ଭାକେଣ୍ଟ’ ଘୋଷଣା କରାଯାଉ।

ଆବେଦନକାରୀ ତାଙ୍କ ଆବେଦନରେ କହିଛନ୍ତି ଯେ ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ଇସ୍ତଫା ଦେବା ପରେ ବା ନିଜେ ଏହି ଆସନରୁ ତ୍ୟାଗପତ୍ର ଦେଇସାରିଥିବା ବେଳେ ଏହାକୁ ଖାଲି ଦର୍ଶାଯାଉ ନାହିଁ  କି ଉପନିର୍ବାଚନ କରାଯାଉ ନାହିଁ।

ମନେ ପକାଇ ଦିଆଯାଇପାରେ ଯେ, ଦଳବିରୋଧୀ କାମ ପାଇଁ ଜାନୁଆରୀ ୨୪ ତାରିଖରେ ବିଜେଡ଼ି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ବୈଜୟନ୍ତ ପଣ୍ଡାଙ୍କୁ ନିଲମ୍ବନ କରିଥିଲେ। ତା’ ପରେ ବୈଜୟନ୍ତ ନିଜ ଆଡୁ ମେ ୨୮ତାରିଖରେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଛି ଯେ, ମେ ୨୮ ତାରିଖରୁ ବୈଜୟନ୍ତ ଆଉ ସାଂସଦ ନାହାନ୍ତି। ଏଣୁ ନିର୍ବାଚନ କମିଶନ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଉପନିର୍ବାଚନ କରିବା ପାଇଁ ବାଧ୍ୟ। ଯେହେତୁ ସାଧାରଣ ନିର୍ବାଚନ ପାଇଁ ଅବଶିଷ୍ଟ ସମୟର ଅବଧି ଏକ ବର୍ଷରୁ ଅଧିକ, ଆଇନ ଅନୁଯାୟୀ ଉପନିର୍ବାଚନ କରାଯିବା ଦରକାର। ସେ ଆହୁରି ମଧ୍ୟ ଯୁକ୍ତି କରିଛନ୍ତି ଯେ ସଂସଦୀୟ ଗଣତନ୍ତ୍ରର ନୀତିନିୟମ ଅନୁସାରେ ଲୋକସଭାରେ କୌଣସି ଆସନ ଖାଲି ରହିପାରିବ ନାହିଁ।

Comment