ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ସଭ୍ୟଙ୍କ ହୋ-ହଲ୍ଲା।
ବେଲଗାମ ହୋଇଯାଇଛି ପେଟ୍ରୋଲ ଓ ଡିଜେଲ ଦର। ଦର ବୃଦ୍ଧିକୁ ନେଇ ଆଜି ବିଧାନସଭା ବାହାରେ ଏବଂ ଭିତରେ ବିଜେଡି ସଭ୍ୟ ହଙ୍ଗାମା କରିଛନ୍ତି। ଶାସକ ଦଳର ସଭ୍ୟ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବାରୁ ଆଜି ଗୃହ ଅଚଳ ହୋଇଛି। ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ସୋମବାର ଯାଏଁ ଗୃହ ମୁଲତବି କରିଛନ୍ତି।
୧୦ଟା୩୦ରେ ଆଜି ଆରମ୍ଭ ହୋଇଥିଲା ବିଧାନସଭା। ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ହୋ-ହଲ୍ଲା କରିଥିଲେ ବିଜେଡି ସଭ୍ୟ। ତୈଳ ଦର ବୃଦ୍ଧି କରି କେନ୍ଦ୍ର ସରକାର ଖାଉଟିମାନଙ୍କ ମୁଣ୍ଡରେ ବୋଝ ଲଦି ଦେଇଥିବା ବିଜେଡି ସଭ୍ୟ ଅଭିଯୋଗ କରିଥିଲେ।
ବିଜେଡି ସଭ୍ୟମାନେ ତୈଳ ଦର ବୃଦ୍ଧିକୁ ନେଇ ଗୃହ ଭିତରେ କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଉଥିବା ବେଳେ ବିଜେପି ସଭ୍ୟ ଶିକ୍ଷକ ଆନ୍ଦୋଳନକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଥିଲେ। ଫଳରେ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ହୋଇ ନଥିଲା। ଶେଷରେ ବାଚସ୍ପତି ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।
ଗୃହ ମୁଲତବି ହେବା ପରେ ବିଜେଡି ସଭ୍ୟମାନେ ବିଧାନସଭା ପରିସରରୁ ଏକ ରାଲି ରାମ ମନ୍ଦିର ନିକଟସ୍ଥ ପେଟ୍ରୋଲ ଟାଙ୍କି ସମ୍ମୁଖକୁ ଆସିଥିଲେ। ଏଠାରେ ସେମାନେ ପ୍ରତିବାଦ କରିଥିଲେ।
“ତୈଳ ଦର ବୃଦ୍ଧି କରି କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଅସୁବିଧାର ପକାଇଛନ୍ତି। ଲଗାତାର ତୈଳ ଦର ବୃଦ୍ଧି କରି କେନ୍ଦ୍ର ଲୋକଙ୍କ ସହ ପ୍ରତାରଣା କରିଛି। ଏହାର ପ୍ରତିବାଦରେ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ। ଲୋକଙ୍କୁ ସଚେତନ କରୁଛୁ”, କହିଛନ୍ତି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା।
ଅପରାହ୍ଣ ୩ଟା ପରେ ବିଧାନସଭା ଆରମ୍ଭ ହୋଇଥିଲା। କିନ୍ତୁ ଗୃହ ସ୍ୱାଭାବିକ ନହେବାରୁ ବାଚସ୍ପତି ସୋମବାର ଯାଏଁ ଗୃହ ମୁଲତବି କରିଛନ୍ତି।