ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁଭାଷ ଘାଇଙ୍କ ସୁପରହିଟ୍ ଫିଲ୍ମ ‘ସୌଦାଗର’ ବିଷୟରେ କିଛି ରୋଚକ କଥା ଆସନ୍ତୁ ଜାଣିବା।

ବଲିଉଡର ଶୋ’ ମ୍ୟାନ୍‌ ସୁଭାଷ ଘାଇ ଏଯାବତ୍‌ ବେଶ୍ କେତୋଟି ବ୍ଲକବଷ୍ଟର ଫିଲ୍ମ ନିର୍ମାଣ କରିଛନ୍ତି। ଏଥିମଧ୍ୟରେ ରହିଛି ‘ବିଶ୍ୱନାଥ୍‌’, ‘କାଲିଚରଣ’, ‘ହିରୋ’, ‘କର୍ଜ’, ‘ମେରି ଜଙ୍ଗ୍’, ‘କର୍ମା’, ‘ରାମଲଖନ୍’, ‘ସୌଦାଗର୍’, ‘ଖଲନାୟକ’ ଓ ‘ପରଦେଶ’ ଆଦି ସୁପରହିଟ୍‍ ସିନେମା। ସୁଭାଷଙ୍କୁ ୧୯୯୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସୌଦାଗର୍’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମିଳିଛି ଫିଲ୍ମ ଫେଆର୍ ଆୱାର୍ଡ। ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ କିଛି ମଜାଦାର କଥା…

ନିର୍ଦ୍ଦେଶକ ସୁଭାଷ ଘାଇ ‘ସୌଦାଗର’ ସିନେମାର ସ୍କ୍ରିପ୍ଟ ପ୍ରସ୍ତୁତି ସମୟରେ ହିଁ ଏଥିରେ ନାୟକ ଭୂମିକା ଆମିରଙ୍କୁ ଦେବେ ବୋଲି ଠିକ୍ କରିଥିଲେ। ସେ ଏଥିଲାଗି ଆମିର ଖାନ୍‌ଙ୍କୁ ଅଫର୍ ବି ଦେଇଥିଲେ। ହେଲେ ଦିଲ୍ଲୀପ କୁମାର ଓ ରାଜକୁମାରଙ୍କ ଭଳି ଦିଗଜ କଳାକାରଙ୍କ ଆଗରେ ନିଜର ଭୂମିକାଟି ଛୋଟ ବୋଲି ମନେ କଲେ ଆମିର ଖାନ୍‌। ଏଣୁ ଆମିର ଶୋ’ ମ୍ୟାନ୍‌ଙ୍କୁ ନିରାଶ କରିଥିଲେ।

ଆମିର ଅରାଜି ହେବା ପରେ ସେହି ଅଫରଟି ମିଳିଥିଲା ସଲମାନ ଖାନଙ୍କ ପାଖକୁ। ସେହି ସମୟରେ ସଲମାନଙ୍କ ‘ମୈନେ ପ୍ୟାର୍ କିୟା’ ସୁପରିହଟ୍‌ ହୋଇଥାଏ। ତାହା ତାଙ୍କର ସୋଲୋ ହିରୋ ଫିଲ୍ମ ଥିଲା। ‘ସୌଦାଗର୍’କୁ ଏକ ମଲ୍ଟିଷ୍ଟାରର୍ ମନେ କରି ସଲମାନ୍ ବି ସୁଭାଷ ଘାଇଙ୍କୁ ମନା କରିଦେଲେ।

ଏହି ଫିଲ୍ମରେ ‘ବାସୁ’ ଭୂମିକାରେ ଜଣେ ଷ୍ଟାରସନଙ୍କୁ ବ୍ରେକ୍ ଦେବା ଲାଗି ତା’ ପରେ ସୁଭାଷ ଘାଇ ଯୋଜନା କଲେ। ସେ ଧର୍ମେନ୍ଦ୍ରଙ୍କ ସାନପୁଅ ବବି ଦେଓଲଙ୍କୁ ନେବା ଲାଗି ମନ ବଳାଇଥିଲେ। ହେଲେ ଧର୍ମେନ୍ଦ୍ର ସିଧାସଳଖ ମନା କରିଦେଇଥିଲେ, କାରଣ ସେ ନିଜେ ବବିଙ୍କୁ ଲଞ୍ଚ୍ କରିବେ ବୋଲି ଠିକ୍ କରିଥିଲେ।

‘ସୌଦାଗର’ର ‘ବାସୁ’ ଭୂମିକା ପାଇଁ ଲୋକପ୍ରିୟ ହାସ୍ୟାଭିନେତା ଜନି ୱାକରଙ୍କ ପୁଅ ନାସିର୍‌ ଖାନ୍‌ ମଧ୍ୟ ଅଡିସନ୍‌ ଦେଇଥିଲେ। ଠିକ୍ ସେହିପରି ଅଭିନେତା ଚନ୍ଦ୍ରଚୂଡ଼ ବି ଏଥିପାଇଁ ଅଡିସନ୍ ଦେଇଥିଲେ ହେଲେ ଉଭୟଙ୍କୁ ରିଜେକ୍ଟ କରିଥିଲେ ଶୋ’ ମ୍ୟାନ୍‌ ସୁଭାଷ ଘାଇ।

ଶେଷ ଅଡିସନରେ ସବୁଠୁ ବେଶୀ ପସନ୍ଦ ଆସିଥିଲେ ବିବେକ ମୁସ୍ରାନ୍। ଏଣୁ ବିବେକଙ୍କୁ ନିଜ ଫିଲ୍ମ ‘ସୌଦାଗର’ରେ ବ୍ରେକ୍‌ ଦେଲେ ସୁଭାଷ ଘାଇ। ବିବେକ ମୁସ୍ରାନ୍ ‘ସୌଦାଗର’ରେ କାମ କରିବା ପରେ ରାତାରାତି ଷ୍ଟାର ବନିଯାଇଥିଲେ। ‘ସୌଦାଗର’ ବ୍ୟତୀତ ତାଙ୍କୁ ଅନ୍ୟ କେତେକ ସିନେମାରେ ମଧ୍ୟ ଦେଖିବାକୁ ମିଳିଥିଲା, ମାତ୍ର ସେ ପରେ ଜଣେ ଫ୍ଲପ୍‌ ହିରୋ ସାବ୍ୟସ୍ତ ହୋଇଥିଲେ।

‘ସୌଦାଗର୍’ ସିନେମାର ନାୟିକାରେ ବି ଶୋ’ ମ୍ୟାନ୍‌ ଜଣେ ନବାଗତାଙ୍କୁ ବ୍ରେକ୍ ଦେବାକୁ ଚାହୁଁଥିଲେ। ଏଣୁ ସେ ଏଥିପାଇଁ ଅଡିସନ୍‌ କରିଥିଲେ। ବଲିଉଡର ହଟ୍ ହିରୋଇନ୍ ଦିବ୍ୟା ଭାରତୀ ଏଥିପାଇଁ ଅଡିସନ୍ ଦେଇଥିଲେ। ଦିବ୍ୟା ସୁଭାଷ ଘାଇଙ୍କ ମନକୁ ପାଇଥିଲେ ବି ତାଙ୍କର ବୟସ କମ୍ ହୋଇଥିବା ହେତୁ ଦିବ୍ୟାଙ୍କୁ ନେଇନଥିଲେ ‘ସୌଦାଗର୍‌’ରେ।

ତା’ ପରେ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ କନ୍ୟା ପୂଜା ଭଟ୍ଟଙ୍କ ଉପରେ ବି ନଜର ଥିଲା ସୁଭାଷ ଘାଇଙ୍କର। ହେଲେ କୌଣସି କାରଣରୁ ତାଙ୍କୁ ନିଆଯାଇନଥିଲା। ଏହି ଫିଲ୍ମ ପାଇଁ ଜଣାଶୁଣା ଅଭିନେତ୍ରୀ ମୋନା ଅମ୍ବେଗାଓଁକର୍, ଅନୁ ବୁଟୁର ଓ ମନୁଗାର୍ଗୀ ମଧ୍ୟ ଅଡିସନ୍ ଦେଇଥିଲେ। ହେଲେ ବାଜି ମାରି ନେଇଥିଲେ ମନିଷା କୋଇରାଲା।

ଶୋ’ ମ୍ୟାନ୍‌ ସୁଭାଷ ଘାଇ ମନିଷା କୋଇରାଲଙ୍କୁ ବିବେକ ମୁସ୍ରାନଙ୍କ ଅପୋଜିଟରେ ହିରୋଇନ୍ ଭାବେ ଚୁକ୍ତିବଦ୍ଧ କରିଥିଲେ। ‘ସୌଦାଗର’ ରିଲିଜ୍‌ ହେବା ପରେ ମନିଷା ବଲିଉଡର ଜଣେ ଟପ୍‌ ହିରୋଇନ୍ ବନିଥିଲେ।

LEAVE A REPLY

Please enter your comment!
Please enter your name here