ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କର୍କଟ ରୋଗ ଭୀଷଣ ଭାବରେ ମାଡ଼ି ଚାଲିଛି। ସମଗ୍ର ଦେଶରେ କର୍କଟ ରୋଗ କ୍ଷେତ୍ରରେ ରାଜ୍ୟ ଏକ ଗୁରୁତର ସ୍ଥିତିରେ ପହଞ୍ଚିଥିବା ବିଷୟ ଏକ ଅଧ୍ୟୟନରୁ ଜଣାପଡ଼ିଛି। କର୍କଟ ରୋଗରେ ପୀଡ଼ିତ ଓ ଏଥିପାଇଁ ମୃତ୍ୟୁବରଣ କରୁଥିବା ରାଜ୍ୟ ଭିତରେ ଓଡ଼ିଶାର ସ୍ଥାନ ଏବେ ପଞ୍ଚମରେ। କର୍କଟ ରୋଗ କ୍ଷେତ୍ରରେ ଓଡ଼ିଶା ଏକ ‘ବଡ଼ ବୋଝ’ ରାଜ୍ୟ ରୂପେ ପରିଗଣିତ ହେବା ଆରମ୍ଭ କରିଛି।

ଓଡ଼ିଶା ଆଗରେ

୧୯୯୦ରୁ ୨୦୧୬ ମଧ୍ୟରେ ଦେଶରେ କର୍କଟ ରୋଗ ଦ୍ୱାରା ନୂତନ ଭାବେ ଆକ୍ରାନ୍ତ ଓ ଜୀବନ ହାରୁଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣ ହୋଇଥିବା ବେଳେ ଉଭୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇ ଦେଇଛି। ନବେ ଦଶକ ଆରମ୍ଭରୁ ୨୦୧୬ ଯାଏଁ ହୋଇଥିବା ଗବେଷଣାରୁ ଜଣାପଡ଼େ ଯେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୮୨ ଜଣ କ୍ୟାନସର୍‌ରେ ଆକ୍ରାନ୍ତ ହୋଇଛନ୍ତି।

୧୯୯୦ ପୂର୍ବରୁ ଏହା ଥିଲା ଲକ୍ଷେରେ ୬୩। ଏହି ସମୟ ଭିତରେ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷରେ ୮୪ ହୋଇଛି।

ଏହି ଅଧ୍ୟୟନ ଅନୁସାରେ ପାକସ୍ଥଳୀ କର୍କଟ ଯୋଗୁଁ ପ୍ରତି ବର୍ଷ ଓଡ଼ିଶାରେ ୭୨ ଜଣ ପ୍ରାଣ ହରାଉଛନ୍ତି। ଜାତୀୟ ସ୍ତରରେ ଏହା ହେଉଛି ୬୨। ଓଡ଼ିଶାରେ ୫ ପ୍ରକାର କର୍କଟ ରୋଗରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି। ସ୍ତନ, ପାକସ୍ଥଳୀ ,ଅନ୍ତଃନଳୀ, ଓଠ ବା ଗଳା କର୍କଟରେ ମହିଳାମାନେ ପୀଡ଼ିତ ହେଉଥିବାବେଳେ ପୁରୁଷମାନେ ସାଧାରଣତଃ ପାକସ୍ଥଳୀ, ଫୁସଫୁସ, ଗଳା, ଅନ୍ତଃନଳୀ ଆଦି କ୍ୟାନସର୍‌ରେ ଆକ୍ରାନ୍ତ ହେଉଛନ୍ତି।

‘ଗ୍ଲୋବାଲ ବର୍ଡନ୍ ଅଫ ଡିଜିଜ ଷ୍ଟଡି’ ଓ ଭାରତର କିଛି ସଂସ୍ଥାର ମିଳିତ ଉଦ୍ୟମରେ ଏହି ଅନୁଧ୍ୟାନ କରାଯାଇଥିଲା। ଏଥିରେ ପ୍ରତି ରାଜ୍ୟରେ ବିଭିନ୍ନ ଧରଣର ବଡ଼ ରୋଗର ମୂଳ କାରଣ, ପରିମାଣ ଆଦି ସମ୍ପର୍କରେ ଡାଟା ନିଆ ଯାଇଥିଲା। ଏହି ଅଧ୍ୟୟନଟି ବୁଧବାର ଦିନ ‘ଲନସେଟ’ ଗ୍ଲୋବାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ଓଡ଼ିଶା ସ୍ଥିତି ସଙ୍ଗୀନ

ଏହି ଅନୁଧ୍ୟାନରୁ ଜଣାପଡିଛି ଯେ ଓଡ଼ିଶାର ଲୋକେ ମୁଖ୍ୟତଃ ୫ଟି ସାଙ୍ଘାତିକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଗୁଡ଼ିକ ହେଲା କର୍କଟ, ଦୁଇ ପ୍ରକାରର ହୃଦଘାତ, ମଧୁମେହ, ଛାତିରୋଗ ବା ସିଓପିଡି। ବିଗତ ବର୍ଷମାନଙ୍କରେ ବହୁ ସଂଖ୍ୟକ ଲୋକ ଏହି ରୋଗର ଶିକାର ହୋଇଛନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡ଼େ। ତେବେ ମଧୁମେହ ବା ଡାଇବେଟିସ ହିଁ ସବୁଠାରୁ ଚିନ୍ତାଜନକ ବୋଲି ରିପୋର୍ଟ କହୁଛି। ଶରୀରର ଓଜନ ବୃଦ୍ଧି ହିଁ ଓଡ଼ିଶାର ଲୋକଙ୍କ ମଧୁମେହ ରୋଗର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏହି ତଥ୍ୟ ଭିତ୍ତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ନୀତି ପ୍ରଣୟନ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଅଧ୍ୟୟନର ସହଲେଖିକା ତଥା ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆରଏମ୍ ଆରସିର ଅଧ୍ୟକ୍ଷା ଡାକ୍ତର ସଂଘମିତ୍ରା ପତି। ଏହିସବୁ ରୋଗର କାରଣ ଖୋଜିବା ସହିତ ଧୂଆଁପତ୍ରର ବ୍ୟବହାର, ଅଳସୁଆ ଜୀବନଯାପନ ପ୍ରଣାଳି ଓ ଉତ୍ତମ ଖାଦ୍ୟପେୟର ଅଭାବ। ଏ ସମ୍ପର୍କରେ ଲୋକଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି ହେବା ଦରକାର ବୋଲି ଡାକ୍ତର ପତି କହିଛନ୍ତି।

Comment