ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନେ ଆଙ୍କରିଂ ଲାଇନରୁ ହିରୋଇନ ହୋଇଛନ୍ତି।

ଗୁନ୍‌ଗୁନ୍‌:- କୁହାଯାଏ ଗୁନ୍‌ଗୁନ୍‌ ହେଉଛନ୍ତି ଓଡ଼ିଶାର ନମ୍ବର ୱାନ୍ ଆଙ୍କର୍। ସେ ବହୁ ରିଆଲିଟି ସୋ, କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିବା ସହିତ ଉପସ୍ଥାପିକା ଭାବେ ନଜର ଆସିଛନ୍ତି। ଏପରିକି ଓଟିଭିରେ ପ୍ରସାରିତ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ‘ଗପ୍‌ସପ୍‌ ଉଇଥ୍‌ ଗୁନ୍‌ଗୁନ୍‌’ ବି ଆଙ୍କରିଂ ମଧ୍ୟ କରିଥିଲେ ଗୁନ୍‌ଗୁନ୍‌।

ଗୁନ୍‌ଗୁନ୍‌ଙ୍କୁ ଓଲିଉଡରେ ବ୍ରେକ୍‌ ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସାକ୍ଷୀ ରହିଲା ଏ ସିଂହ ଦୁଆର’ରେ ପ୍ରଥମେ ନାୟିକା ଭୂମିକାରେ ନଜର ଆସିଥିଲେ ଗୁନ୍‌ଗୁନ୍‌। ଏଥିରେ ଗୁନ୍‌ଗୁନ୍‌ଙ୍କୁ ନବାଗତ ନାୟକ ପ୍ରଭାସ (ରାଜା)ଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏଥିରେ ଗୁନ୍‌ଗୁନଙ୍କ ଅଭିନୟ ବେଶ୍ ପ୍ରଭାବଶାଳି ମଧ୍ୟ ଥିଲା। ଏହି ସିନେମାରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତା, ତନ୍ଦ୍ରା, ସିଦ୍ଧାନ୍ତ, ମାମା ମିଶ୍ର, କୁନା ତ୍ରିପାଠୀ ଓ ମିହିର ଦାସ ପ୍ରମୁଖ ଅଭିନୟ କରିଥିଲେ।

ଏହାପରେ ଗୁନ୍‌ଗୁନ୍‌ କିନ୍ତୁ କିଛି ବର୍ଷ ଧରି ଅଭିନୟ କ୍ଷେତ୍ରରୁ ଦୂରେଇ ରହିଥିଲେ। ସେ ଆଙ୍କରିଂ ଅଧିକ ସମୟ ଦେଲେ। ତେବେ ପରେ ଗୁନ୍‌ଗୁନ୍‌ ‘କିଛି ଖଟା କିଛି ମିଠା’ ଭଳି ଓଡ଼ିଆ ସିନେମାରେ ପୁପିନ୍ଦରଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।

ପୁପୁଲ:- ଆଙ୍କରରୁ ହିରୋଇନ୍ ବନିଥିବା ଆଉ ଜଣେ ହେଲେ ପୁପୁଲ୍। ତାଙ୍କର ପ୍ରକୃତ ନାଆଁ ହେଲା ପାୟଲ ଭୂୟାଁ। ହେଲେ ଏବେ ସେ ପୁପୁଲ୍ ନାଆଁରେ ଓଲିଉଡରେ ପରିଚିତା।

ପୁପୁଲ ଜଣେ ଆଙ୍କର ଭାବେ ବେଶ୍ ଲୋକପ୍ରିୟ। ପୁପୁଲ୍‌ ପ୍ରଥମେ ଓଟିଭିରେ ପ୍ରସାରିତ ‘ଇ-ନ୍ୟୁଜ୍’ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବେ ଛୋଟପରଦାକୁ ଆସି ଚର୍ଚ୍ଚାରେ ରହିଥିଲେ। ଏହାପରେ ସେ ସାର୍ଥକ ଟିଭିରେ ପ୍ରସାରିତ ‘ରଜ କୁଇନ୍’, ‘ମୁଁ ବି ହିରୋଇନ୍ ହେବି’ ଆଦି ସମେତ ବିଭିନ୍ନ ରିଆଲିଟି ସୋ’ରେ ଆଙ୍କରିଂ କରି ଲୋକପ୍ରିୟତା ହାସଲ କରିଥିଲେ।

ପୁପୁଲ୍ ଏବେ ଚର୍ଚ୍ଚାରେ ରହିଛନ୍ତି ଓଲିଉଡରେ। ଏହାର କାରଣ ହେଲା ସେ ଏକ ନୂଆ ଫିଲ୍ମରେ ଆଇଟମ ଗର୍ଲ ସାଜି ଏହି ଚର୍ଚ୍ଚା ସାଉଁଟିଛନ୍ତି। ପୁପୁଲ୍ ନୂଆ ଓଡ଼ିଆ ସିନେମା ‘ବ୍ଲାକ୍ ମେଲ୍’ରେ ବୋଉ ମାରିବ… ଗୀତରେ ନୃତ୍ୟ କରି ପୁଣି ଥରେ ଧମାକା କରିଛନ୍ତି। ଏହି ଗୀତ ଦୃଶ୍ୟରେ ପୁପୁଲଙ୍କୁ ଫିଲ୍ମର ନାୟକ ଅର୍ଦ୍ଧେନ୍ଦୁଙ୍କ ସହ ଦେଖିବାକୁ ପାଇଛନ୍ତି ଦର୍ଶକ।

ପୁପୁଲ ଆଗରୁ ୨୦୧୪ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘କାଉଁରି କନ୍ୟା’ (ଥ୍ରୀ-ଡି)ରେ ନାୟିକା ଭାବେ ନଜର ଆସିଥିଲେ। ଏବେ ତାଙ୍କର ଅନ୍ୟ ଏକ ଓଡ଼ିଆ ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହି ସିନେମାର ଟାଇଟଲ୍ ରହିଛି ‘ଅନୁଭବ- ଏ ଲଭରବୟ’।

‘ଅନୁଭବ-ଏ ଲଭରବୟ’ ସିନେମାରେ ପୁପୁଲଙ୍କୁ ସୂରଜ କୁମାରଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ରଞ୍ଜନ-ଶଶୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ସରୋଜ ବାରିକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ଜେନା, କାଳୀଚରଣ ଓ ଦେବୀ ବାରିକ ପ୍ରମୁଖ ଅଛନ୍ତି। ପୁପୁଲ ଏଥିରେ ନିଜର ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

Comment