ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ଇସ୍କବିସ୍କ ‘ ଓ ‘ବିବାହ’ ପରି ଫିଲ୍ମର ଲୋକପ୍ରିୟ ନାୟିକା ଅମ୍ରିତା ରାଓ ପୁଣି ଫେରୁଛନ୍ତି ବଲିଉଡକୁ।

ବଲିଉଡର ଲୋକପ୍ରିୟ ନାୟିକା ଅମ୍ରିତା ରାଓ ୨୦୦୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅବ୍‌ କେ ବରଷ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ସେହି ବର୍ଷ ତାଙ୍କୁ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀଙ୍କ ‘ଦ ଲିଜେଣ୍ଡ ଅଫ୍‌ ଭଗତ୍‌ ସିଂହ’ ରେ ମଧ୍ୟ ଦେଖିବାକୁ ମିଳିଥିଲା।

ତା’ପରେ ଅମ୍ରିତା ରାଓ ଇସ୍କବିସ୍କ, ମସ୍ତି, ମେଁ ହୁଁ ନା, ଦିୱାର୍‌, ଲାଇଫ୍‌ ହୋ ତୋ ଐସି, ଶିଖର୍, ପ୍ୟାରେ ମୋହନ୍‌, ବିବାହ, ହେ ବେବି, ସୌର୍ଯ୍ୟ, ୱେଲକମ୍‌ ଟୁ ସଜ୍ଜନ୍‌ପୁର, ଭିକ୍ଟ୍ରି, ମାଇଁ ନେମ୍‌ ଇଜ୍‌ ଆନ୍ଥେନି, ମୋନ୍‌ମାଲ୍‌ଭେସ, ଲାଇଫ୍‌ ପାର୍ଟନର, ଜଲି ଏଲଏଲବି, ସତ୍ୟାଗ୍ରହ ଓ ସିଂହ ସାହେବ୍‌ ଦ ଗ୍ରେଟ୍‌, ଆଦି ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି।

ଏତଦ୍‌ ବ୍ୟତୀତ ଅମ୍ରିତା ରାଓ କେତେକ ଦକ୍ଷିଣ ଭାରତୀୟ ସିନେମାରେ ମଧ୍ୟ କାମ କରିଛନ୍ତି।

ଆଫେଆର୍‌ ଓ ବିବାହ

ଅମ୍ରିତା ରାଓଙ୍କର ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍‌ କାପୁରଙ୍କ ସହିତ ଆଫେଆର୍‌କୁ ନେଇ ଜୋରସୋରରେ ଚର୍ଚ୍ଚା ହୋଇଥିଲା। ବିଶେଷକରି ଶାହିଦ୍‌ ଓ ଅମ୍ରିତା ଏକାଠି ‘ଇସ୍କବିସ୍କ’ ସିନେମାରେ କାମ କରିବା ଦିନଠୁଁ ଏହି ଚର୍ଚ୍ଚା ଜୋର୍ ଧରିଥିଲା। ସେ ଦୁହେଁ ଶିଖର ଓ ‘ବିବାହ’ ଫିଲ୍ମରେ ବି ଏକାଠି କାମ କରିଥିଲେ। ହେଲେ ଶାହିଦ୍‌ କରୀନା କାପୁରଙ୍କ ପ୍ରେମରେ ପଡ଼ିବା ପରେ ଅମ୍ରିତାଙ୍କ ସହିତ ଆଫେଆର୍‌ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିଥିଲା।

ଏହା ପରେ ଅମ୍ରିତା ରାଓ ଜଣେ ରେଡିଓ ଜକି ଅନ୍‌ମୋଲଙ୍କୁ ଡେଟ୍ କରିଥିଲେ। ସେ ଦୁହେଁ ପ୍ରାୟ ସାତ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ୨୦୧୬ ମଇ ୧୫ ତାରିଖରେ ମୁମ୍ବାଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବଲିଉଡର ଜଣେ ସୁଇଟ୍‌-ସିମ୍ପଲ୍‌ ଗାର୍ଲ ଭାବେ ବଲିଉଡରେ ଏକଦା ବେଶ୍‌ ଚର୍ଚ୍ଚାରେ ଥିଲେ ଅମ୍ରିତା ରାଓ।

ଅମ୍ରିତାଙ୍କୁ ଦର୍ଶକମାନେ ଘରୋଇ ଯୁବତୀ ଭାବେ ପରଦାରେ ଦେଖି ଖୁସି ହୁଅନ୍ତି।

ନୂଆ ଗେଟ୍‌ଅପ୍‌ରେ ଆସିବେ ଅମ୍ରିତା

ବଲିଉଡର ଏହି ଲୋକପ୍ରିୟ ନାୟିକା ବେଶ୍ କିଛି ବର୍ଷର ବ୍ୟବଧାନରେ ପରଦାକୁ ଫେରୁଛନ୍ତି। ହଁ, ଅମ୍ରିତା ରାଓ ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ ବାୟୋପିକ୍‌ ସିନେମା ଜରିଆରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଅମ୍ରିତା ରାଓ ଏହି ସିନେମାରେ ବାଲା ସାହେବ ଠାକ୍‌ରେଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ହେଲା ମୀନା ଠାକ୍‌ରେ।

ମୀନା ଶିବସେନା ପ୍ରତିଷ୍ଠାତା ବାଲାସାହେବଙ୍କୁ ନିଜ ଆଦର୍ଶରେ ଆଗକୁ ଯିବାର ମନୋବଳ ଯୋଗାଇଥିଲେ। ‘ବାଲା ସାହେବଙ୍କ ବାୟୋପିକ୍‌’ ସିନେମାରେ ନୱାଜୁଦ୍ଦିନ ସିଦ୍ଦିକୀ ଅଛନ୍ତି ଟାଇଟଲ୍‌ ରୋଲ୍‌ରେ। ଏଥିରେ ଅଭିନୟ କରି ଅମ୍ରିତା ରାଓ ପ୍ରାୟ ପାଞ୍ଚ ବର୍ଷ ପରେ ପରଦାକୁ ଫେରୁଥିବା ଜଣାଯାଇଛି।

ଏହି ଫିଲ୍ମରେ ଅମ୍ରିତା ରାଓଙ୍କ ଅଭିନୀତ ଚରିତ୍ରଟି ତିନି ଦଶକର। ୧୯୬୯ ମସିହାରୁ ମୀନା ଚରିତ୍ରଟି ଆରମ୍ଭ ହୋଇ ୧୯୯୫ ଯାଏଁ ରହୁଛି। ପ୍ରଥମ ଥର ପାଇଁ ପ୍ରଖ୍ୟାତ ଅଭିନେତା ନୱାଜୁଦ୍ଦିନ ସିନ୍ଦିକୀ ଓ ନାୟିକା ଅମ୍ରିତା ରାଓଙ୍କ ଯୋଡ଼ି ଦେଖିବାକୁ ମିଳିବ ଏହି ବାୟୋପିକ୍‌ ସିନେମାରେ।

ଇତିମଧ୍ୟରେ ଅମ୍ରିତା ରାଓ ଏହି ସିନେମାର ସୁଟିଂ ମଧ୍ୟ ଶେଷ କରିଥିବା ଜଣାଯାଇଛି। କିଛି ମାସ ତଳେ ଏହି ଫିଲ୍ମରେ ଟିଜର ରିଲିଜ୍‌ ହୋଇଥିଲା। ଏଥିରେ ଠାକ୍‌ରେ ଭୂମିକାରେ ଅଭିନୟ କରିଥିବା ନୱାଜୁଦ୍ଦିନ ସିନ୍ଦିକିଙ୍କ ଗେଟ ଅପ୍ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି।

ବାଲା ସାହେବ୍‌ ଠାକ୍‌ରଙ୍କ ବାୟୋପିକ୍‌ର ନିର୍ଦ୍ଦେଶନା ଦେଉଛନ୍ତି ସଞ୍ଜୟ ରାଉତ। ଏହା ଆଗାମୀ ବର୍ଷ ଜାନୁଆରୀ ୨୩ ତାରିଖରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। ଅମ୍ରିତା ରାଓଙ୍କୁ ଦର୍ଶକ ଏହି ସିନେମାରେ କିଭଳି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Comment