ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଲଗୁଣ୍ଠାର ସୁନ୍ଦର ପିତ୍ତଳ ମାଛ ଶିଳ୍ପ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

କଳା, ସଂସ୍କୃତି ଓ ପରମ୍ପରାରେ ଗଞ୍ଜାମ ଜିଲ୍ଲା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜିଲ୍ଲାର ଶିଳ୍ପୀମାନେ ସୁନ୍ଦର କାରୁକାର୍ଯ୍ୟ ପାଇଁ ବିଶ୍ୱ ଦରବାରରେ ନିଜର ସୃଷ୍ଟିକୁ ପହଞ୍ଚାଇ ପାରିଛନ୍ତି। ଏହି ଯେପରି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଲଗୁଣ୍ଠାର ସୁନ୍ଦର ପିତ୍ତଳ ମାଛ ଶିଳ୍ପ।

ସମଗ୍ର ବିଶ୍ୱରେ ଏହି କାରୁକାର୍ଯ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଏହି ପିତ୍ତଳ ମାଛର ଚାହିଦା ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ରହିଛି। ଜିଲ୍ଲାର କଳା ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଏହି ପିତ୍ତଳ ମାଛକୁ ବାହାରୁ ଆସୁଥିବା  ଅତିଥିମାନଙ୍କୁ ଉପହାର ଭାବେ ପ୍ରଦାନ କରାଯାଇଥାଏ।

କିନ୍ତୁ ପ୍ରୋତ୍ସାହନ ଏବଂ କଞ୍ଚାମାଲ୍ ଅଭାବରୁ ଏହି ସୁନ୍ଦର କାରୁକାର୍ଯ୍ୟ ଦିନକୁ ଦିନ ଲୋପ ପାଇବାକୁ ବସିଛି। ଦିନଥିଲା ବେଲଗୁଣ୍ଠା କଂସାରୀ ସାହିରେ ମହାରଣା ଶାଳର ଠକ୍ ଠକ୍ ଶବ୍ଦରେ ଏକ ସୁନ୍ଦର ଗୁଞ୍ଜରଣ ସୃଷ୍ଟି ହେଉଥିଲା ସାରା ସହରରେ।

କାରିଗରମାନେ ଦିନ ତମାମ ନିଆଁ ପାଖରେ ନିର୍ମାଣ କରୁଥିଲେ ଏହି ପିତ୍ତଳ ମାଛ ଓ ପିତ୍ତଳର ବିଭିନ୍ନ ସାମଗ୍ରୀ। ଯେଉଁମାନଙ୍କ ଭିତରେ ପ୍ରସିଦ୍ଧି ଲାଭ କରିଥିଲା ପିତ୍ତଳ ମାଛ। ପିତ୍ତଳରେ ବିଭିନ୍ନ କିସମର ତଥା ଷୋହଳ ମାଛ, ରୋହି, ଭାକୁର, ଚିଙ୍ଗୁଡ଼ି ମାଛର ଜୀବନ୍ତ ରୂପ ଦେଉଥିଲେ କାରିଗର।

ଏସବୁର ବିକ୍ରି ପାଇଁ ଏଠାକୁ ମଧ୍ୟ ବହୁ ବେପାରୀଙ୍କ ସୁଅ ଛୁଟୁଥିଲା। ସେଥିରୁ ଯାହା ପ୍ରାପ୍ୟ ପାଉଥିଲେ ପରିବାର ପ୍ରତିପୋଷଣ କରିବା ସହଜ ହେଉଥିଲା କାରିଗରଙ୍କ କ୍ଷେତ୍ରରେ। ଏହି ଗ୍ରାମରେ ପ୍ରାୟ ୪୦ରୁ ୫୦ଟି ପରିବାର ଥିବାବେଳେ ବର୍ତ୍ତମାନ ମାତ୍ର ୨ରୁ ୩ଟି ପରିବାର ଲୋକେ ଏହି କାରୁକାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ତେବେ କଞ୍ଚାମାଲ୍ ଅଭାବରୁ ଏବଂ ଦରଦାମ୍ ବୃଦ୍ଧି ଓ ସଠିକ୍ ପାରିଶ୍ରମିକ ନମିଳିବା ଯୋଗୁଁ  କାରିଗରମାନେ ଏହି କୌଳିକ ବୃତ୍ତିରୁ ଦୂରେଇ ଯାଉଛନ୍ତି।

ଏହାସହ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ୁଥିବା ଯୋଗୁଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଯାହାଫଳରେ ପ୍ରସିଦ୍ଧ ପିତ୍ତଳ ମାଛ କାରୁକାର୍ଯ୍ୟ ଲୋପ ପାଇବାକୁ ବସିଲାଣି। ଏଣୁ ପ୍ରଶାସନ ପକ୍ଷରୁ ଏହି କାରିଗରମାନଙ୍କୁ ପ୍ରୋତ୍ସାହନ ଏବଂ କଞ୍ଚାମାଲ ଯୋଗାଇ ଦେଲେ ଏହି କୌଳିକ ବୃତ୍ତି ଦେଶ ବିଦେଶରେ ପୂର୍ବପରି ପ୍ରସିଦ୍ଧି ଲାଭ କରିପାରିବ ବୋଲି ମତ ପ୍ରକାଶ କରିଛନ୍ତି କାରିଗର ପ୍ରଦୀପ କୁମାର ମହାରଣା, ପ୍ରକାଶ ଚନ୍ଦ୍ର ମହାରଣା ଓ ଅନ୍ୟମାନେ।

ଏନେଇ ଏକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଗଲେ ନୂତନ ପିଢ଼ି ମଧ୍ୟ ଏହି କୌଳିକ ବୃତ୍ତିକୁ ଆପଣେଇବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଗଞ୍ଜାମ ଜିଲ୍ଲାର ଏହି ପିତ୍ତଳ ମାଛ ସମଗ୍ର ବିଶ୍ୱରେ ପୁଣି ନିଜର ପରିଚୟ ଫେରି ପାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ଅନେକ ବୃଦ୍ଧିଜୀବୀ।

ଏ ବାବଦରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦିନଥିଲା ବେଲଗୁଣ୍ଠା ତିଆରି ପିତ୍ତଳ ମାଛ ସମଗ୍ର ବିଶ୍ଵରେ ପ୍ରସିଦ୍ଧି ଲାଭ କରିଥିଲା। ବେଲଗୁଣ୍ଠା ପିତ୍ତଳ ମାଛର ବ୍ୟବହାର ସଭାସମିତି ତଥା ପର୍ବପର୍ବାଣୀରେ ଉପହାର ଦେବା ନିମନ୍ତେ ବହୁଳ ପରିମାଣରେ ବ୍ୟବହୃତ ହୁଏ।

ଦେଶ ବିଦେଶରେ ବହୁ ମୂଲ୍ୟରେ ବିକ୍ରି ହେଉଥିବା ଏହି ପିତ୍ତଳ ତିଆରି ମାଛର ଉଚିତ ପାଉଣା କିନ୍ତୁ ଏହି କାରିଗରମାନେ ପାଇନାହାଁନ୍ତି। ସରକାର ଏହି ଲୋପ ପାଇ ଯାଉଥିବା କୁଟୀର ଶିଳ୍ପର ପୁନଃଉଦ୍ଧାର ପାଇଁ ଯତ୍ନବାନ ହେବା ଲାଗି ମତ ପ୍ରକାଶ କରିଛନ୍ତି।

Comment