ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଦୁବାଇରେ ଧୁମ୍‌ଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ସମ୍ବଲପୁରୀ ଲୋକନୃତ୍ୟ ଏବଂ ଗୀତରେ ଝୁମି ନୂଆଁଖାଇ ପାଳନ କରିଥିଲେ ଦୁବାଇରେ ବସବାସ କରୁଥିବା ଓଡ଼ିଆ। ଏହାକୁ ଆୟୋଜନ କରିଥିଲେ ୟୁଏଇର ଓଡ଼ିଶା ସମାଜ।

ଦୁବାଇସ୍ଥିତ ଇଣ୍ଡିଆନ କନସୁଲେଟ୍ ଅଡିଟୋରିୟମରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପାସ୍‌ପୋର୍ଟ ଏବଂ କମ୍ୟୁନିଟି ଆଫେୟାର୍ସର କନସଲ୍ ପ୍ରେମଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମା’ ସମଲେଇଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହାପରେ ସମ୍ବଲପୁରୀ, ନୃତ୍ୟ, ଗୀତରେ ଝୁମିଥିଲେ ଦୁବାଇର ଓଡ଼ିଆ। ସମ୍ବଲପୁର ନଟରାଜ ଗ୍ରୁପ୍‌ର ୧୩ ଜଣିଆ କଳାକାର ଟିମ୍ ଦୁବାଇରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଦୁବାଇରେ ବସବାସ କରୁଥିବା କିଛି ଓଡ଼ିଆ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରାୟ ୫୦୦ରୁ ଅଧିକ ଲୋକ ନୂଆଁଖାଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

“ସଂସ୍କୃତି ସମ୍ପନ୍ନ ଦେଶ ୟୁଏଇରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ବଡ଼ ଜାକଜମକରେ ପାଳନ କରାଯାଇଛି। ଓଡ଼ିଶାର କଳା ସଂସ୍କୃତିକୁ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଶା ସମାଜ ସବୁବେଳେ ପ୍ରୟାସ କରି ଆସୁଛି। ଦୁବାଇରେ ବିଭିନ୍ନ ଦେଶର ଲୋକ ବସବାସ କରୁଥିବାରୁ ଏମାନଙ୍କ ପାଖରେ ଓଡ଼ିଶା କଳା, ସଂସ୍କୃତି ଏବଂ ପର୍ବପର୍ବାଣୀକୁ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛୁ”, କହିଛନ୍ତି ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର।

ଏହି ଅବସରରେ ସମ୍ବଲପୁରୀ ଗୀତ ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଭୁଦତ୍ତ ପ୍ରଧାନଙ୍କୁ ମରୋଣତ୍ତର ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଭୁଦତ୍ତଙ୍କ ପୁଅ ଅସୀମ ପ୍ରଧାନ ସମ୍ମାନ ଗ୍ରହଣ କରିଥିଲେ। ଏହାସହ ଓଡ଼ିଆ ଫିଲ୍ମ ‘ଚିନି’ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Comment