ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସ୍କିଲ ଇଣ୍ଡିଆ ମିଶନର ବ୍ରାଣ୍ଡ ଆମ୍ବାସାଡ଼ାର ହେଲେ ବଲିଉଡର ସୁପରଷ୍ଟାର୍ ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା।

ବଲିଉଡର ଜଣାଶୁଣା ସୁପରଷ୍ଟାର ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା ‘ସ୍କିଲ ଇଣ୍ଡିଆ ମିଶନ ଅଭିଯାନ’ର ବ୍ରାଣ୍ଡ ଆମ୍ବାସାଡାର ଭାବେ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମୁକ୍ତିଲାଭ ଅପେକ୍ଷାରେ ଥିବା ୟଶ୍ ରାଜ ଫିଲ୍ମର ‘ସୁଇ ଧାଗା- ମେଡ ଇନ୍ ଇଣ୍ଡିଆ’ ଫିଲ୍ମରେ ଏହି ଦୁଇ କଳାକାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଧୱନ ଏବଂ ଅନୁଷ୍କା ଭାରତର ଦକ୍ଷତାଯୁକ୍ତ ମାନବ ସମ୍ବଳକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି।

ସୁଇ ଧାଗା ଫିଲ୍ମରେ ବରୁନ ଜଣେ ଦରଜି ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ନାମ ମୌଜି ରହିଛି। ଏମ୍ବ୍ରୋଡ଼ୋରୀ କାରିଗର ଭାବେ ଅନୁଷ୍କା ଶର୍ମା ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। କଠିନ ପରିଶ୍ରମ କରି ବହୁତ ଅର୍ଥ ଉପାର୍ଜନ କରିବାର ସ୍ୱପ୍ନ ଦେଖୁଥିବା ଏହି ଯୋଡି ଦେଶର କଳା ଏବଂ ଦକ୍ଷ କାରିଗରି କ୍ଷେତ୍ରରେ ବିକାଶର ସମ୍ଭାବନାକୁ ପ୍ରଦର୍ଶିତ କରିଛନ୍ତି।

ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି, “ବରୁଣ ଓ ଅନୁଷ୍କା ଶର୍ମା ତାଙ୍କର ଏହି ଫିଲ୍ମ ମାଧ୍ୟମରେ ଦେଶର ଅନନ୍ୟ ତଥା ନଜର ଆଢୁଆଳରେ ଥିବା ମାନବ ସମ୍ବଳ ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଏକ ଉଦ୍ୟମ କରିଛନ୍ତି। ଏହି ଫିଲ୍ମରେ ସାମାଜିକ ବାର୍ତ୍ତା ମଧ୍ୟ ରହିଛି।“

କେନ୍ଦ୍ର ସରକାରଙ୍କ ସ୍କିଲ ଇଣ୍ଡିଆ ମିଶନ ଅଭିଯାନକୁ ବରୁନ ଏବଂ ଅନୁଷ୍କା ବହୁତ ପ୍ରଶଂସା କରିଛନ୍ତି। “ଆମେ ଗର୍ବିତ ଯେ ଏହି ଅଭିଯାନର ପ୍ରଚାର କରିବାକୁ ସୁଯୋଗ ପାଇଛୁ ଏବଂ ଏହା ଆମ ଫିଲ୍ମ ସୁଇ- ଧାଗା ସହ ଜଡିତ”, ବୋଲି କହିଛନ୍ତି ବରୁଣ ଧୱନ। ଏହାବ୍ୟତୀତ ଏହି ସୁଇ-ଧାଗା ଫିଲ୍ମରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ପିପିଲିର ଚାନ୍ଦୁଆ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

Comment