ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣୁପୁର ଆଇଟିଡିଏର ଜେଇ ଗଗନ ବିହାରୀ ପତିଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି।

ଭିଜିଲାନ୍ସ ଜାଲରେ ଗୁଣୁପୁର ଆଇଟିଡିଏର ଜେଇ। ଗୁଣୁପୁର ଆଇଟିଡିଏର ଜେଇ ଗଗନ ବିହାରୀ ପତିଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରିଥିଲା ଭିଜିଲାନ୍ସ।

ଭିଜିଲାନ୍ସ ଟିମ୍ ଏକାଥରରେ ୫ଟି ସ୍ଥାନରେ ଚଢ଼ଉ କରୁଛି। ବ୍ରହ୍ମପୁରର ୩ଟି ସ୍ଥାନ ସମେତ ମୁନିଗୁଡ଼ା, ଗୁଣୁପୁର ଅଫିସରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଟିମ୍ ଏପର୍ଯ୍ୟନ୍ତ ମଧ୍ୟ ଚଢ଼ଉକୁ ଜାରି ରଖିଛି।

କିଛି ଦିନ ତଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ରାୟଗଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ଆଇଟିଡିଏ ଅଫିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଗଗନ ପତିଙ୍କ ନାମରେ ଅଭିଯୋଗ ହୋଇଥିଲା।

ଏହାପରେ ଅଭିଯୋଗକୁ ଭିତ୍ତି କରି ଆଜି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି କାର୍ଯ୍ୟାଳୟ ପକ୍ଷରୁ ୫ଟି ଟିମ୍ ଏକାସାଙ୍ଗରେ ଶ୍ରୀପତିଙ୍କ ବ୍ରହ୍ମପୁରର ସିର୍ଦ୍ଧାଥ ନଗର ସ୍ଥିତ ତିନି ମହଲା ବିଶିଷ୍ଟ କୋଠାରେ ଚଢ଼ଉ କରିଥିଲା। ଏହାସହ ତାଙ୍କ ପୈତୃକ ଘର ଏବଂ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା।

ସିର୍ଦ୍ଧାଥ ନଗର ସ୍ଥିତ ତାଙ୍କ ବାସଭବନରୁ ଭିଜିଲାନ୍ସ ନଗଦ ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିବା ବେଳେ ୬ଲକ୍ଷ ଟଙ୍କାର ସୁନାଅଳଙ୍କାର ଜବତ କରିଥିବା ଜଣାପଡ଼ିଛି। ଏହାଛଡ଼ା ଶ୍ରୀପତିଙ୍କ ଗୁଣୁପୁର କାର୍ଯ୍ୟାଳୟ ଏବଂ ମୁନିଗୁଡ଼ା ସରକାରୀ ଭବନରୁ ୨ଲକ୍ଷ ୩୦ ହଜାର ଟଙ୍କା ଜବତ କରିବାସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସଙ୍କ ହାତକୁ ଆସିଥିଲା।

Comment