ଓଡ଼ିଶାଲାଇଭ୍ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କ ପରେ ଏବେ ଯେଉଁ ଷ୍ଟାର୍ କିଡ୍ସଙ୍କ ବଲିଉଡ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଚାଲିଛି, ଆସନ୍ତୁ ଜାଣିବା…

ଅନନ୍ୟା ପାଣ୍ଡେ

ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ରିଲିଜ୍‌ ହୋଇଯାଇଛି। ସାରାଙ୍କର ଦୁଇଟି ସିନେମା ‘କେଦାରନାଥ୍’ ଓ ‘ସିମ୍ବା’ ରିଲିଜ୍‌ ଅପେକ୍ଷାରେ ରହିଛି। ଏହି କ୍ରମରେ ଆଗକୁ ଆସୁଛନ୍ତି ଅନନ୍ୟା ପାଣ୍ଡେ। ସେ ହେଉଛନ୍ତି ଲୋକପ୍ରିୟ ଅଭିନେତା ଚଙ୍କି ପାଣ୍ଡେଙ୍କ କନ୍ୟା।

ଅନନ୍ୟା ଇତିମଧ୍ୟରେ ବଲିଉଡରେ ଡେବ୍ୟୁ କରିସାରିଲେଣି। ହଁ, ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍-୨’ର ସୁଟିଂ ଚାଲିଛି। କରଣ ଜୋହରଙ୍କ ଏହି ସିନେମାରେ ଅନନ୍ୟା ଅଛନ୍ତି ଟାଇଗର ଶ୍ରଫଙ୍କ ବିପକ୍ଷରେ। ଏହି ଫିଲ୍ମ ଆସନ୍ତାବର୍ଷ ରିଲିଜ୍‌ ହେବ। ଏହି ଫିଲ୍ମଟି ରିଲିଜ୍‌ ହେଲେ ଜଣାପଡ଼ିବ ଅନନ୍ୟାଙ୍କ ଅଭିନୟ ଦକ୍ଷତା।

ନବ୍ୟା ନନ୍ଦା

ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ବିଗ୍‌ ବିଙ୍କ ଝିଅ ଶ୍ୱେତା ନନ୍ଦାଙ୍କ ଝିଅ ହେଉଛନ୍ତି ନବ୍ୟା ନନ୍ଦା। ନବ୍ୟା ମଧ୍ୟ ବଲିଉଡରେ ଏଣ୍ଟ୍ରି ନେବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ଏବେ ଶ୍ୱେତା ନନ୍ଦା ତ ଗ୍ଲାମର ଲାଇନ୍‌ରେ ପ୍ରବେଶ କରିସାରିଲେଣି। ସେ ଇତିମଧ୍ୟରେ ଦୁଇଟି ବିଜ୍ଞାପନ ସିନେମାରେ ଅଭିନୟ କରିଛନ୍ତି।

ଏଣେ ଶ୍ୱେତାଙ୍କ ଝିଅ ନବ୍ୟା ବି ଗ୍ଲାମର ଲାଇନ୍‌ ପ୍ରତି ଆଗ୍ରହୀ ଥିବା କୁହାଯାଉଛି। ଦେଖାଯିବା କଥା କେବେ ନବ୍ୟା ନନ୍ଦା ଫିଲ୍ମ ସାଇନ୍‌ କରୁଛନ୍ତି।

ନ୍ୟାସା

ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ୍ ଓ ଅଭିନେତ୍ରୀ କାଜୋଲଙ୍କ ଝିଅ ନ୍ୟାସା ବି ବଲିଉଡରେ ନାୟିକା ଭାବେ କ୍ୟାରିଅର୍‌ ଆରମ୍ଭ କରିବେ ବୋଲି ଅନେକ ସମୟରେ ଚର୍ଚ୍ଚା ହେଉଛି। ଏ କଥାକୁ ଅବଶ୍ୟ ଅଜୟ ଦେବଗନ୍‌ ଅସ୍ୱୀକାର କରିଛନ୍ତି।

ଅଜୟ କହିଛନ୍ତି ଯେ, ନ୍ୟାସା ଏବେ ପଢ଼ୁଛନ୍ତି। ତାଙ୍କର ସିନେମା ଲାଇନ୍‌ରେ କୌଣସି ଆଗ୍ରହ ନାହିଁ। ତେଣୁ କାଜୋଲ କିନ୍ତୁ କିଛି କହୁନାହାନ୍ତି। ଏଣୁ ନ୍ୟାସା ବଲିଉଡରେ ଏଣ୍ଟ୍ରି ନେବେ ବୋଲି କୁହାଯାଉଛି।

ଖୁସି କପୁର ଆର୍ଯ୍ୟନ୍ଖାନ୍

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ପରେ ଏବେ ବଲିଉଡର ନଜର ରହିଛି ଖୁସି କପୁରଙ୍କ ଉପରେ। ଖୁସି ହେଉଛନ୍ତି ଜାହ୍ନବୀଙ୍କ ସାନଭଉଣୀ। ଜାହ୍ନବୀ କପୁର ନିଜର କ୍ୟାରିଅରର ଜବରଦସ୍ତ ଶୁଭାରମ୍ଭ କରିଛନ୍ତି।

ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଧଡ଼କ୍‌’ ବକ୍ସ ଅଫିସରେ କମାଲ୍ କରିଛି। ଏହା ଶହେ କୋଟିରୁ ଅଧିକ ବ୍ୟବସାୟ କରିସାରିଛି। ଏଥିରେ ଜାହ୍ନବୀ କପୁରଙ୍କ ବିପକ୍ଷରେ ନଜର ଆସିଥିଲେ ଇଶାନ ଖଟ୍ଟର। ଏବେ ଖୁସି କପୁର ବି ବଲିଉଡରେ ଡେବ୍ୟୁ କରୁଥିବାର ରିପୋର୍ଟ ମିଳିଛି।

କୁହାଯାଉଛି ଯେ, ଖୁସିଙ୍କ ବିପକ୍ଷରେ ନାୟକ ହେବେ ବଲିଉଡର ବାଦଶାହା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍‌। ଏ ଦୁହିଁଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା କରଣ ଜୋହର୍‌ ଏକ ସିନେମା ନିର୍ମାଣ କରୁଥିବାର ଖବର ମିଳିଛି। ତେବେ ଏହାକୁ ଗୋପନୀୟ ରଖାଯାଇଛି। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ଯେ, ଇତିମଧ୍ୟରେ ସ୍କ୍ରିପ୍ଟ ପ୍ରସ୍ତୁତି ସରିଛି।

ଏହି ସିନେମାରେ ଶାହରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟାନ୍‌ ଓ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏକାଠି ନଜର ଆସିବେ। ଏହି ଫିଲ୍ମର ସୁଟିଂ ଚଳିତବର୍ଷ ଆରମ୍ଭ ହେବ ବୋଲି କୁହାଯାଉଛି।

ତିନିଟି ଫିଲ୍ମରେ ଆହାନ୍ସେଟ୍ଟୀ

ପ୍ରଖ୍ୟାତ ଅଭିନେତା ସୁନୀଲ ସେଟ୍ଟୀଙ୍କ ସୁପୁତ୍ର ଆହାନ୍‌ଙ୍କୁ ଲଞ୍ଚ୍ କରୁଛନ୍ତି ଜଣାଶୁଣା ପ୍ରଯୋଜକ ସାଜିଦ୍‌ ନାଡିଆଡୱାଲା। ସେ ଆହାନଙ୍କ ସହିତ ତିନିଟି ଫିଲ୍ମର ଡିଲ୍‌ କରିଥିବା ଜଣାଯାଇଛି। ସାଜିନଙ୍କ ତିନିଟି ଫିଲ୍ମରେ କାମ କରିବା ପରେ ଆହାନ୍‌ ଅନ୍ୟ ସିନେମାରେ କାମ କରିବେ। ଏଥିମଧ୍ୟରୁ ପ୍ରଥମଟି ରୋମାଣ୍ଟିକ୍‌ ଫିଲ୍ମ ହେବ।

Comment