ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋପାଳପୁରଠାରୁ ୧୩୦ କିଲୋମିଟର ଦୂରରେ ବାତ୍ୟା
  • ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା
  • ୫ ଜିଲ୍ଲାକୁ ହାଇଆଲର୍ଟ
  • ସଚିବାଳୟରେ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା
  • ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ଏବେ ଉତ୍ତର-ପଶ୍ଚିମ ମୁହାଁ ହେଉଛି। କଳିଙ୍ଗପଟନମଠାରୁ ୧୭୦ ଏବଂ ଗୋପାଳପୁର ବନ୍ଦରଠାରୁ ବାତ୍ୟା ୧୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ‘ଡାଏ’।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ମଧ୍ୟରାତ୍ରିରୁ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲା ପ୍ରତି ବିପଦ ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା କରିଛନ୍ତି। ଯେମିତି କିଛି କ୍ଷୟକ୍ଷତି ନଘଟେ ସେଥିପ୍ରତି ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ୍ରାଫ୍ ଏବଂ ଏନଡିଆର୍‌ଏଫ୍ ଟିମକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବତ୍ୟାପରେ କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ମରାମତି କରିବା ଲାଗି ଇଞ୍ଜିନିୟରମାନଙ୍କ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 

ଲୋକଙ୍କ ପାଇଁ ରିଲିଫ୍ ସାମଗ୍ରୀ ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟା କଳିଙ୍ଗପାଟନମ ଏବଂ ପୁରୀ ଦେଇ ଗତି କରିପାରେ। ଗୋପାଳପୁରଠାରେ ଏହା ଭୁପୃଷ୍ଠ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଝଡ଼ବାତ୍ୟା ପ୍ରଭାବରେ କଚ୍ଚା ଘର ଭାଙ୍ଗିବା ସହ ଗଛ ଉପୁଡ଼ିଯିବାର ସମ୍ଭାବନା ରହିଛି। ବିଦ୍ୟୁତ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, “ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ। ସବୁ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଆଲର୍ଟ କରାଯାଇଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବିଭାଗକୁ ସଜାଗ ରଖାଯାଇଛି। ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।”

Comment