ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୁରୁବାର ମଧ୍ୟରାତ୍ରିରୁ ଝଡ଼ବାତ୍ୟା
  • ଓଡ଼ିଶାର ୫ ଜିଲ୍ଲାକୁ ହାଇ ଆଲର୍ଟ
  • ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ
  • ୬୦ରୁ ୭୦ କିଲୋମିଟର ବେଗରେ ବହିବ ପବନ
  • ପ୍ରବଳ ବର୍ଷା ହେବାର ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଡିପ୍‌ ଡିପ୍ରେସନରୁ ବାତ୍ୟାରେ ପରିଣତ ହୋଇଛି। ଗୁରୁବାର ମଧ୍ୟରାତ୍ରିରୁ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଓଡ଼ିଶାର ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲ୍ଲା ପ୍ରତି ହାଇ ଅଲର୍ଟ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଘୂର୍ଣ୍ଣିବଳୟ ଗୋପାଳପୁରଠାରୁ ୨୭୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୨ କିମି ବେଗରେ ଭୂପୃଷ୍ଠ ଆଡ଼କୁ ଆସୁଛି ବାତ୍ୟା। ଆଜି ମଧ୍ୟରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ ଏବଂ ପୁରୀ ଦେଇ ଘୂର୍ଣ୍ଣିବଳୟ ଗତି କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଝଡ଼ବାତ୍ୟାର ସମ୍ଭାବନା ଥିବାରୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ। କିଛି ସ୍ଥାନରେ ପବନର ବେଗ ବଢ଼ିପାରେ।

ଝଡ଼ବାତ୍ୟା ପ୍ରଭାବରେ କଚ୍ଚା ଘର ଭାଙ୍ଗିବା ସହ ଗଛ ଉପୁଡ଼ିଯିବାର ସମ୍ଭାବନା ରହିଛି। ବିଦ୍ୟୁତ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, “ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ। ସବୁ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଆଲର୍ଟ କରାଯାଇଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବିଭାଗକୁ ସଜାଗ ରଖାଯାଇଛି। ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।”

Comment