ଓଡ଼ିଶାଲାଇଭ୍ ବ୍ୟୁରୋ

ହିଂସା ଏବଂ ଉତ୍ପୀଡ଼ନରୁ ପୀଡ଼ିତ ଲୋକମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଅନ୍ତରାଷ୍ଟ୍ରୀୟ ନ୍ୟାୟ ମିଶନ ପକ୍ଷରୁ ଆଜି ଭୁବନେଶ୍ୱରରେ ପାଳନ କରାଯାଇଛି ଜୀବନୋତ୍ସବ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ୍ରେ ଆୟେଜିତ କରାଯାଇଥିଲା ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ଚୁକ୍ତି ବଦ୍ଧ ଶ୍ରମିକମାନେ ନିଜର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
୨୦୦୧ରୁ ଆଇ.ଜେ.ଏମ୍ ରାଜ୍ୟ ଏବଂ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ମାନବ ଚାଲାଣର ୧୭,୪୧୦ ରୁ ଅଧିକ ପୀଡ଼ିତଙ୍କୁ ମୁକୁଳାଇବା ଏବଂ ପୁନର୍ବାସ ପ୍ରଦାନ କରିବା କ୍ଷେତ୍ରରେ ସହାୟତା କରିଛି। ବିଭିନ୍ନ ରାଜ୍ୟରୁ ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ କେବଳ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୫୦୦୦ରୁ ଅଧିକ।

ଏମାନଙ୍କ ମଧ୍ୟରୁ ଅଧିକାଂଶ ପୀଡ଼ିତଙ୍କୁ ଶ୍ରମ ପାଇଁ ଚାଲାଣ କରାଯାଇଥିଲା। ପୀଡ଼ିତଙ୍କ ମଧ୍ୟରେ ସଚେଚନତାର ଅଭାବ ମଧ୍ୟ ରହିଛି। ଅଧିକାଂଶ ସମୟରେ ଦେଖାଯାଏ, ଯେତେବେଳେ ସେମାନଙ୍କୁ ଅନ୍ୟତ୍ର ନିଆଯାଉଛି ସମୁଦାୟ ନିଜ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ବିଷୟରେ ଜାଣି ନଥାନ୍ତି। ସେମାନେ ଚାଲାଣ ହେବାର ସମ୍ଭାବନା ବିଷୟରେ ମଧ୍ୟ ଅଜ୍ଞ ଅଟନ୍ତି।
ଏହି ଅବସରରେ ଆଇ.ଜେ.ଏମ୍ ଓଡ଼ିଶାର ନିର୍ଦ୍ଦେଶକ ନେନୁ ଟି କହିଛନ୍ତି, “ସାମୁଦାୟକ ନେତାମାନଙ୍କୁ ଉପଯୁକ୍ତ ଅଧିକାର ଦେବା ଅବଶ୍ୟକ। ଯାହା ଦ୍ୱାରା ଚୁକ୍ତିବଦ୍ଧ ହୋଇଥିବା ବ୍ୟକ୍ତିମାନଙ୍କୁ ସଠିକ୍ ସମୟରେ ସହାୟତା ମିଳିପାରିବ। ଏକ ସମ୍ବେଦନଶୀଳ ଏବଂ ଉତ୍ତରଦାୟୀ ଶିକ୍ଷାୟତ ନିବାରଣ ପ୍ରକ୍ରିୟା ମାଧ୍ୟମରେ ସରକାର ଏବଂ ସ୍ଥାନୀୟ ନ୍ୟାୟ ପ୍ରବର୍ତ୍ତକଙ୍କ ମାଧ୍ୟମରେ ସେମାନଙ୍କ ଆତ୍ମବିଶ୍ୱାସ ବଢାଯିବା ଦରକାର ।”

ଆଇ.ଜେ.ଏମ୍ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ଶ୍ରମିକ ଅଶୋକ ମୁନା କହିଛନ୍ତି, “ମୁଁ ଏପରି ଏକ ପରିସ୍ଥିତିରେ ପଡ଼ିଯାଇଥିଲି ଯେ, ମୋର ପରିବାରକୁ ଏକ ଇଟା ଭାଟି ମାଲିକ ଠାରୁ ମୁକୁଳେଇବା ପାଇଁ ମୁଁ ମୋର ଗୋଟେ କିଡ଼ିନି ବିକ୍ରି କରିବା ପାଇଁ ପ୍ରସ୍ତୁତ ଥିଲି। ଏଥିପାଇଁ ବ୍ଲଡ୍ ଟେଷ୍ଟ୍ ମଧ୍ୟ ସରିଥିଲା। ଶେଷଥର ପାଇଁ ଓଡ଼ିଶାରେ ଥିବା ମୋ ବାପା ମା’ଙ୍କୁ ମୁଁ ଏହି କଥା ଜଣାଇଥିଲି। ତା’ପରେ ସେମାନେ ଲେବର ଅଫିସ୍ ସାହାଯ୍ୟ ନେଇ ମତେ ଏବଂ ମୋ ପରିବାରକୁ ସେଠାରୁ ମୁକୁଳାଇ ଥିଲେ ।”

ଚଳିତବର୍ଷ ଲୋକସଭାରେ “ଟ୍ରଫିକିଂ ଅଫ୍ ପରର୍ସନ ବିଲ୍ -୨୦୧୮” ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଅନେକ ଚୁକ୍ତି ବଦ୍ଧ ଶ୍ରମିକ ଆର୍ଥିକ ସହାୟତା ଅପେକ୍ଷାରେ ଦେଶ ବାହାରେ ପଡ଼ିରହିଛନ୍ତି। କିପରି ଏହି ସମସ୍ତ ଅସୁବିଧାକୁ ଦୂର କରି ଆବଶ୍ୟକୀୟ ସ୍ଥଳେ ଶ୍ରମିକମାନଙ୍କୁ ସାହାଯ୍ୟ କରିହେବ ସେହି ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା।
















