ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଚାଲିଛି ରୋମାଣ୍ଟିକ୍ ଫିଲ୍ମର ଟ୍ରେଣ୍ଡ୍। ଆଗକୁ ବି ଆସୁଛି ବି ସେମିତିକା ସିନେମା, ଯାହାର କାହାଣୀରେ ଭିନ୍ନ ପ୍ରକାରର ପ୍ରେମ ରହିଛି।

ଓଲିଉଡରେ ଏବେ ପ୍ରସ୍ତୁତ ହେଉଛି କେତେକ ଭିନ୍ନ ଧରଣର ପ୍ରେମ କାହାଣୀ ଆଧାରିତ ସିନେମା। ଆସନ୍ତୁ ନଜର ପକାଇବା ସେସବୁ ସିନେମାରେ କାହା ପାଇଁ କିଏ ବାୟା…

ଅନୁଭବଙ୍କ ପାଇଁ ତମନ୍ନା ଓ ଶିବାନୀଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା

ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ଏକ ସିନେମା ଦଶହରାକୁ ଆସୁଛି। ଏହି ସିନେମା ହେଲା ‘ପ୍ରେମ କୁମାର’। ଫିଲ୍ମରେ ଅନୁଭବଙ୍କ ବିପକ୍ଷରେ ଦୁଇ ଜଣ ନାୟିକାଙ୍କୁ ନିଆଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ତମନ୍ନା ଓ ଆଉ ଜଣକ ଶିବାନୀ।

ଅନୁଭବଙ୍କ ସହ ଉଭୟଙ୍କର ପ୍ରେମ ସମ୍ପର୍କ ରହିଛି। ଏମାନଙ୍କ ମଧ୍ୟରୁ ତମନ୍ନା ଖୁବ୍ ମଡର୍ଣ୍ଣ ହେଲେ ଶିବାନୀ ଟିକେ ପାରମ୍ପାରିକ ଯୁବତୀ। ଶେଷରେ ଅନୁଭବ କାହାର ହେଉଛନ୍ତି, କି ଏଥିରେ ଦୁଇ ଜଣ ଅନୁଭବ ଅଛନ୍ତି, ତାହା ଜଣାପଡ଼ିବ ଫିଲ୍ମ ‘ପ୍ରେମ କୁମାର’ର କ୍ଲାଇମାକ୍ସରେ।

ତମନ୍ନାଙ୍କ ତିନି ଦିୱାନା

ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ଏକ ସିନେମାରେ ଆଗକୁ ଆସୁଛି। ଏହି ଫିଲ୍ମର ଟାଇଟଲ୍ ହେଲା ‘ଲୁଚେଇ ଦେ ମତେ ଛାତି ଭିତରେ’। ଏହି ଫିଲ୍ମରେ ନାୟିକା ଜଣକଙ୍କ ପାଇଁ ତିନି ଜଣ ନାୟକ ପାଗଳ।

‘ଲୁଚେଇ ଦେ ମତେ ଛାତି ଭିତରେ’ ସିନେମାରେ ନାୟିକା ଜଣକ ହେଲେ ତମନ୍ନା। ଆଉ ଯେଉଁ ତିନି ଜଣ ତାଙ୍କ ପଛରେ ପଡ଼ିଛନ୍ତି, ସେମାନେ ହେଲେ ଚନ୍ଦନ, ସମ୍ଭବ ଓ ବିରଞ୍ଚି। ତିନି ଜଣ ନାୟକ ଓ ଜଣେ ନାୟିକାଙ୍କର ରୋମାନ୍ସକୁ ନେଇ କାହାଣୀରେ ଟ୍ୱିଷ୍ଟ ରହିଛି, ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି।

ରୀୟାଙ୍କ ପାଇଁ ଦୁଇ ଜଣ ବାୟା

ଓଲିଉଡରେ ସୁଇଟ୍ ଆଣ୍ଡ୍ ସେକ୍ସି ହିରୋଇନ୍ ରୀୟା ଦେଙ୍କର ଦୁଇଟି ନୂଆ ଓଡ଼ିଆ ସିନେମା ଏବେ ଫ୍ଲୋରରେ ରହିଛି। ଏ ଦୁଇଟି ଓଡ଼ିଆ ସିନେମା ଖୁବ୍ ଶୀଘ୍ର ରିଲିଜ୍‌ ମଧ୍ୟ ହେବ ବୋଲି ଜଣାଯାଇଛି। ଏ ଦୁଇ ସିନେମାର ମୂଳରେ ରହିଛି ‘ପ୍ରେମ’।

ପ୍ରେମିକାକୁ ହାସଲ କରିବା ଲାଗି କେଉଁ ଦୁଇ ଜଣ ଯୁବକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ତ ପୁଣି କେଉଁଠି ଚାରି ପାଞ୍ଚ ଜଣ ପଡ଼ିଛନ୍ତି ଜଣଙ୍କ ପଛରେ।

ହଁ, ରୀୟାଙ୍କର ଏହି ଦୁଇଟି ସିନେମା ହେଲା ‘ଯେଉଁଠି ଥିଲେ ବି ତୁ ମୋର’ ଓ ଅନ୍ୟଟି ହେଲା ‘ପ୍ରେମ ପାଇଁ ମହାଭାରତ’। ଏଥିମଧ୍ୟରୁ ପ୍ରଥମଟିର ନିର୍ଦ୍ଦେଶକ ହେଲେ ଶ୍ରୀକାନ୍ତ ଗୌତମ୍। ‘ଯେଉଁଠି ଥିଲେ ବି ତୁ ମୋର’ ଏଥିରେ ରୀୟା ଦେଙ୍କ ପାଇଁ ପାଗଳ ଅଛନ୍ତି ଦୁଇ ଜଣ ଯୁବକ। ଏ ଦୁଇ ଯୁବକ ହେଲେ ସମ୍ବିତ ଓ ଆର୍ଯ୍ୟନ ଦାଶ କୁମାର।

ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ’ଯୋଉଠି ଥିଲେ ବି ତୁ ମୋର’ ହେଉଛି ଏକ ରୋମାଣ୍ଟିକ୍ ଥ୍ରିଲର୍। ରୀୟାଙ୍କର ଏଥିରେ ଅଛନ୍ତି ଦୁଇ ଜଣ ଦିୱାନା ସେମାନଙ୍କ ଭିତରୁ କିଏ ରୀୟାଙ୍କୁ ପାଉଛନ୍ତି ଓ ଆର ଜଣଙ୍କର କ’ଣ ହେଉଛି, ତାହା ଦେଖିବାକୁ ମିଳିବ ଏହି ସିନେମାରେ।

ପାଞ୍ଚ ପ୍ରେମିକ ଜଣେ ଯୁବତୀ

ଠିକ୍ ସେହିପରି ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ପ୍ରେମ ପାଇଁ ମହାଭାରତ’ରେ ମଧ୍ୟ ରୀୟାଙ୍କ ପାଇଁ ବାୟା ଅଛନ୍ତି ପାଞ୍ଚଜଣ ଯୁବକ। ସେମାନେ ହେଲେ ସମ୍ବିତ, ସମରେଶ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ ଓ ବବି ମିଶ୍ର।

ଏଠି ବି ପ୍ରେମ ପାଇଁ ଲଢ଼େଇ ରହିଛି। ଶେଷରେ କ’ଣ ହେଉଛି, ତାହା ଜାଣିବାକୁ ହେଲେ ‘ପ୍ରେମ ପାଇଁ ମହାଭାରତ’ର ରିଲିଜ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

Comment