ଓଡ଼ିଶାଲାଇଭ୍ ବ୍ୟୁରୋ

ଗତକାଲି ରାତି ପ୍ରାୟ ୧୨ଟା ୪୦ ମିନିଟ୍ ସମୟରେ ଗୋପାଳପୁରରେ ପହଞ୍ଚିଥିଲା ବାତ୍ୟା ‘ଡାଏ’। ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି।

ଗତକାଲି ଅଧରାତିରେ ଗୋପାଳପୁରରେ ପହଞ୍ଚିଛି ବାତ୍ୟା ‘ଡାଏ’। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରାତି ପ୍ରାୟ ୧୨ଟା ୪୦ ମିନିଟ୍ ସମୟରେ ଗୋପାଳପୁରରେ ପହଞ୍ଚିଥିଲା। ଡାଏ ପହଞ୍ଚିବା ମାତ୍ରେ ଏହାର ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ଥିଲା।

ଏହାସହ ପ୍ରାୟ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିଥିଲା। ଏବେ ଏହି ବାତ୍ୟା ଧିରେ ଧିରେ ଦୁର୍ବଳ ହୋଇ ଡିପ ଡିପ୍ରେସନର ରୂପ ନେଇଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ଆସନ୍ତା ୨ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ବାତ୍ୟା ‘ଡାଏ’ର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ପୁରୀ ସମୁଦ୍ରରେ ବିଶାଳ ଜୁଆର ଆସି କୂଳରେ ମାଡ଼ ହେଉଛି। କେତେକ ସ୍ଥାନରେ ରାସ୍ତା ଉପରକୁ ମଧ୍ୟ ଜୁଆର ମାଡ଼ି ଆସିଛି। ଅନ୍ୟପଟେ ପୁରୀର ପେଣ୍ଠକଟାରେ ରହୁଥିବା ଲୋକଙ୍କୁ ଗତକାଲି ରାତିରେ ସ୍ଥାନାନ୍ତର କରାଯାଇଥିଲା।

କେତେକ ସ୍ଥାନରେ ପ୍ରବଳ ପବନ ହେବା ଯୋଗୁଁ ଗଛଡାଳ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବାପାଇଁ ପ୍ରସ୍ତୁତ ହୋଇ ରହିଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ଆବଶ୍ୟକ ହେଲେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବ ବୋଲି କୁହାଯାଇଥିଲା।

ଓଡ଼ିଶା ଉପକୂଳ ଛୁଇଁବା ପରେ ଡାଏ ଦିଗ ବଦଳାଇଛି। ପଶ୍ଚିମ, ଉତ୍ତର-ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରୁଛି ବାତ୍ୟା ଡାଏ।

ତେବେ ଏହାର ପ୍ରଭାବରେ ବର୍ଷା ଲାଗି ରହିବ। ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାଛଡ଼ା ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment