ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜନଗର ବଜାରରେ ଚାଲିଥିଲା ଜାଲନୋଟ କାରବାର
  • ପୋଲିସ କବ୍‌ଜାରେ ସନ୍ଦିଗ୍ଧ ବାଂଲାଦେଶୀ ଯୁବକ
  • ଭଦ୍ରକରୁ ଆସିଥିଲା ଜାଲ୍ ନୋଟ
  • ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ
  • ଜିଲ୍ଲାରେ ଜାଲ୍ ନୋଟ କାରବାର ବଢ଼ୁଥିବା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବଜାରରେ ବୁଲୁଛି ଦୁଇ ଶହ ଓ ପାଞ୍ଚଶହ ଟଙ୍କିଆ ଜାଲ୍‌ ନୋଟ। ଜାଲ ନୋଟର ଚେର ଭଦ୍ରକ ଜିଲ୍ଲାରୁ ଲମ୍ବିଛି କେନ୍ଦ୍ରାପଡ଼ା ଜିଲ୍ଲାକୁ। ଜାଲନୋଟ ରାକେଟରେ ରାଜନଗର ପୋଲିସ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ କହିଛି ଯେ ଏହି ଜାଲ ନୋଟଗୁଡ଼ିକୁ ଭଦ୍ରକର ମହାନ୍ତି ବାବୁ ଦେଇଥିଲେ ବଜାରରେ ଚଳାଇବାକୁ। ପୋଲିସ ୧୧୦୦ ଟଙ୍କାର ଜାଲ ନୋଟ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବଜାରରେ ଚାଲିଛି ଜାଲ୍ ନୋଟ କାରବାର। ବିଶେଷକରି ଗ୍ରାମାଞ୍ଚଳମାନଙ୍କରେ ଏହି ନୋଟ କାରବାର ବହୁଳ ଭାବରେ ଚାଲିଥିବା ସନ୍ଦେହ ଦୃଢ ହେବାରେ ଲାଗିଛି। ଗତକାଲି ରାଜନଗର ବଜାରରୁ ୩ଟି ୨ ଶହ ଟଙ୍କିଆ ଜାଲ ନୋଟ ଧରାପଡ଼ିବା ପରେ ଜାଲ ନୋଟ କାରବାର କରୁଥିବା ଜଣେ ସନ୍ଦିଗ୍ଧ ବାଂଲାଦେଶୀ ମୁସଲମାନ ଯୁବକକୁ ସ୍ଥାନୀୟ ବ୍ୟବସାୟୀମାନେ କାବୁ କରି ରାଜନଗର ପୋଲିସର ଜିମା ଦେଇଥିଲେ। ପୋଲିସ ସମ୍ପୃକ୍ତ ଯୁବକଙ୍କଠାରୁ ଆଉ ଏକ ପାଞ୍ଚଶହ ଟଙ୍କିଆ ଜାଲ ନୋଟ ଜବତ କରିଥିଲା।

ଏହି ଜାଲ ନୋଟ କାରବାର କରିଥିବା ଯୁବକଙ୍କ ଘର ରାଜନଗର ବ୍ଲକ ଖମାରସାହି ଗ୍ରାମ ପଞ୍ଚାୟତର ଶାରଦାପ୍ରସାଦ ଗାଁରେ। ସେ ହେଉଛି ସେକ ଅବ୍ଦୁଲ ହୁସେନର ପୁଅ ସେକ ରୁବେନ ହୁସେନ୍। ରୁବେନ ପେଶାରେ ଜଣେ ମାଂସ ବେପାରୀ। ରାଜନଗର ବ୍ଲକର ଦିଘି ଗାଁର ଏକ ଛୋଟ ବଜାରରେ ସେ କୁକୁଡା ମାଂସ ବେପାର କରେ।

ଗୁରୁବାର ସେ ରାଜନଗର ବଜାରରେ ଜଣେ ପରିବା ବ୍ୟବସାୟୀଙ୍କଠାରୁ ପ୍ରଥମେ ୬୦ ଟଙ୍କାରେ ବାଇଗଣ ଓ ଲଙ୍କାମରିଚ କିଣି ୨୦୦ ଟଙ୍କା ଦେଇ ୧୪୦ ଟଙ୍କା ଆଣିଥିଲା। ଏହାପରେ ସେ ପାଖରେ ଥିବା ଆଉ ଜଣେ ବ୍ୟବସାୟୀଙ୍କ ଠାରୁ ବିଲାତି ବାଇଗଣ କିଣି ପୁଣି ୨୦୦ ଟଙ୍କିଆ ନୋଟ ଦେଇଥିଲା। ବିଲାତିବାଇଗଣ ବ୍ୟବସାୟୀ ଜଣଙ୍କ ସନ୍ଦେହ ହେଲା କି ନିକଟ ବ୍ୟବସାୟୀଙ୍କଠାରୁ ଖୁଚୁରା ୧୪୦ ଟଙ୍କା ଆଣି ଥିବା ଏହି ଯୁବକ ଜଣକ କାହିଁକି ପୁଣି ୨୦୦ ଟଙ୍କିଆ ନୋଟ ଦେଲେ। ସନ୍ଦେହ ହେବାରୁ ସେ ଏହି ନୋଟଟିକୁ ପାଖରେ ଥିବା ଜଣେ କଦଳି ବ୍ୟବସାୟୀଙ୍କୁ ଦେଖାଇବାରୁ ତାହା ଜାଲ ବୋଲି ଜଣାପଡ଼ିଥିଲା। ସାଙ୍ଗେସାଙ୍ଗେ ଏହି ଯୁବକୁ କାବୁ କରି ସ୍ଥାନୀୟ ବ୍ୟବସାୟୀମାନେ ନିକଟରେ ଥିବା ରାଜନଗର ପୋଲିସକୁ ଡାକି ହସ୍ତାନ୍ତର କରିଥିଲେ। ରାଜନଗର ପୋଲିସ ଏହି ଯୁବକ ନିକଟରୁ ଆଉ ଏକ ୫୦୦ ଟଙ୍କିଆ ଜାଲ ନୋଟକୁ ଜବତ କରିଥିଲା।

ପରିବା ଦୋକାନରେ ଜାଲନୋଟ କାରବାର କରୁଥିବା ଯୁବକ ଧରା ପଡ଼ିଥିବା ଖବର ଚାରିଆଡ଼େ ପ୍ରଚାର ହୋଇଯିବାରୁ ବହୁ ଲୋକ ଥାନାରେ ପହଞ୍ଚି ଧରାପଡିଥିବା ଯୁବକଙ୍କୁ ଦେଖିବାକୁ ଆସିଲେ। ଜଣେ ଔଷଧ ଦୋକାନୀ ମଧ୍ୟ ଗିରଫ ଯୁବକ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ। ଏହି ଯୁବକ ଜଣକ ମଧ୍ୟ ତାଙ୍କ ଦୋକାନରେ ୨୦୦ ଟଙ୍କା ଦେଇ ୨୦ ଟଙ୍କାର ଔଷଧ କିଣିଥିବା କହିଥିଲେ। ଦୋକାନରେ ଥିବା ସେହି ଟଙ୍କାକୁ ପରୀକ୍ଷା କରିବା ପରେ ତାହା ମଧ୍ୟ ଜାଲ ଥିଲା ବୋଲି ଜଣାପଡ଼ିଲା।

ବଜାରରେ ୩ଟି ସ୍ଥାନରୁ  ୨୦୦ ଟଙ୍କିଆ ଜାଲ ନୋଟ  ମିଳିବା ପରେ ଆହୁରି ଅନେକ ସ୍ଥାନରେ ଏଭଳି କାରବାର ନିଶ୍ଚୟ ହୋଇଥିବ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ଜାଲନୋଟ କାରବାର ଅଭିଯୋଗରେ ରୁବେନ ହୁସେନକୁ ଗିରଫ କରିବା ପରେ ପୋଲିସ ରୁବେନର ଘର ଶାରଦା ପ୍ରସାଦ ଗାଁକୁ ଯାଇ ତଦନ୍ତ କରି ଖାଲି ହାତରେ ଫେରିଛି। ରୁବେନକୁ ପଚରା ଉଚରା କରିବା ପରେ ଏହି ଜାଲ ନୋଟଗୁଡ଼ିକ ଭଦ୍ରକ ଜିଲ୍ଲାର ମହାନ୍ତି ବାବୁ ନାମକ ଜଣେ ଲୋକ ତାଙ୍କ ଘରକୁ ଆସି ଏକ ମାସ ତଳେ ଦେଇଯାଇଥିଲେ ବୋଲି କହିଛି।   ବଜାରରେ ଏହି ନୋଟ ଚଳାଇବାପରେ ଆହୁରି ଅଧିକ ନୋଟ ଦେବାକୁ ମହାନ୍ତି ବାବୁ କହିଥିବା ରୁବେନ ପୋଲିସକୁ କହିଛି।

ତେବେ ଭଦ୍ରକ ଜିଲ୍ଲାର ମହାନ୍ତି ବାବୁ କିଏ ଏବଂ ସେ କ’ଣ କରନ୍ତି ସେ ସମ୍ପର୍କରେ କୌଣସି ସଠିକ୍ ଜବାବ ଦେଇନାହିଁ ଅଭିଯୁକ୍ତ ରୁବେନ। ଆଜି ପୋଲିସ ରୁବେନକୁ ତରବରିଆ ଭାବରେ କୋର୍ଟ ଚାଲାଣ କରିଥିବା ବେଳେ ଏହି ଜାଲ ନୋଟ କାରବାର ସମ୍ପର୍କରେ ଆଉ ଅଧିକ ତଥ୍ୟ ହାସଲ କରିବାକୁ ସମର୍ଥ ହୋଇନି।

ଭଦ୍ରକ ସେ ମହାନ୍ତି ବାବୁ କିଏ ସେନେଇ ଖୋଳତାଡ଼ ହେବା ଦରକାର ବୋଲି ସାଧାରଣରେ ଦାବି ହେଉଛି। ମହନ୍ତି ବାବୁ ରୁବେନକୁ ୧୧୦୦ ଟଙ୍କାର ଜାଲ ନୋଟ ଦେଇଥିଲେ ନା ଆହୁରି ଅଧିକ ତାହା ଠିକ ଭାବରେ ତଦନ୍ତ ହୋଇ ପାରିନି।  ଯଦି ଏକ ମାସ ପୁର୍ବରୁ ମହାନ୍ତି ବାବୁ ରୁବେନକୁ ଏହି ଜାଲ ନୋଟ ଦେଇଥିଲେ ତାହେଲେ ରୁବେନ ନିଜ ପାଖରେ ଏହି ଟଙ୍କା ରଖି ମାସକ ପରେ ମାତ୍ର ୧୧୦୦ ଟଙ୍କା ଚଳାଉଥିଲା ନା ମାସେ ହେଲା ସେ ବିଭିନ୍ନ ବଜାରରେ ଏହି ଜାଲ ନୋଟ ସବୁ ଚଳାଇ ଆସୁଥିଲା ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ରାଜନଗର ଲୋକଙ୍କ ମନରେ ଆନ୍ଦୋଳିତ ହେଉଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଶାରଦା ପ୍ରସାଦ ଗାଁରେ ରୁବେନର ଏକ ନୂଆଁଣିଆ ଚାଳ ଛପର ଘର ରହିଛି। ହେଲେ ଅଧିକାଂଶ ସମୟରେ ଅଜଣା ଲୋକ ଯିବା ଆସିବା କରନ୍ତି ତା’ ଘରକୁ। ତେବେ ଏମାନେ କିଏ ଓ କାହିଁକି ରୁବେନ ଘରକୁ ଯିବା ଆସିବା କରନ୍ତି ତାହା ତଦନ୍ତସାପେକ୍ଷ।

ରୁବେନର ବାପା ଅବ୍ଦୁଲ ହୁସେନର ଘର ରାଜନଗର ବାହାରେ। ସେମାନେ ସପରିବାର ଦୀର୍ଘ ଦିନ ଧରି ଏହି ଗାଁରେ ଘର କରି ରହି ଆସୁଛନ୍ତି। ରାଜନଗର ବ୍ଲକର ତାଳଚୁଆ, କୃଷ୍ଣ ନଗର, ବାଘମାରି, ରଙ୍ଗଣୀ, କେରୁଆପାଳ, ଡାଙ୍ଗମାଳ, ଖମାରସାହି, ଇଶ୍ୱରପୁର ଆଦି ଗ୍ରାମପଞ୍ଚାୟତରେ ବହୁ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ରହି ଆସୁଛନ୍ତି। ସେହିପରି ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକରେ ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହଜାର ହଜାର ସଂଖ୍ୟାରେ ରହିଛି। ଅଧିକାଂଶ ସରକାରୀ ଜମିକୁ ଜବରଦଖଲକରି ରହି ଆସୁଛନ୍ତି। ସମୟକ୍ରମେ କେତେକ ଜମି କିଣି ଏଠାରେ ଘରଦ୍ୱାର କରି ରହିଗଲେଣି ।

ପୂର୍ବରୁ ମହାକାଳପଡ଼ା ବ୍ଲକର ରାମନଗର ଓ ରାଜନଗର ବ୍ଲକର ତାଳଚୁଆଠାରେ ବାଂଲାଦେଶୀମାନଙ୍କଠାରୁ ବହୁ ପରିମାଣରେ ଜାଲ ନୋଟ ଜବତ କରାଯାଇଥିବାର ନଜିର ରହିଛି।

ସମୁଦ୍ରପଥ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟକୁ ଅନୁପ୍ରବେଶ ରୋକିବାକୁ ସରକାର ସାମୁଦ୍ରିକ ଥାନା ସ୍ଥାପନ କରିଥିଲେ। ହେଲେ ଜିଲ୍ଲାରେ ଥିବା ୩ଟି ସାମୁଦ୍ରିକ ଥାନା କେବଳ କାଗଜ କଲମରେ ଚାଲୁଛି। ଏହି ଜାଲ ନୋଟ ସବୁ ବାଙ୍ଗଲାଦେଶରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମୁଦ୍ର ପଥ ଦେଇ ଆସୁଥିବା ସନ୍ଦେହ କରାଯାଉଛି। ଜାଲନୋଟ କାରବାର ପରି ଏକ ସ୍ପର୍ଷକାତର ଘଟଣାକୁ ପୋଲିସ ପ୍ରଶାସନ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରୁଛି ବୋଲି ଜିଲ୍ଲାର ବହୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ରୁବେନକୁ ପୋଲିସ ରିମାଣ୍ଡରେ ଆଣି ଜାଲନୋଟ କାରବାରର ଚେର କେଉଁଠୁ ଲମ୍ବିଛି ତାହାର ଅନୁସନ୍ଧାନ କରିବା ଜରୁରୀ ହୋଇଛି।

LEAVE A REPLY

Please enter your comment!
Please enter your name here