ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋପାଳପୁରଠାରୁ ୯୦ କିଲୋମିଟର ଦୂରରେ ବାତ୍ୟା
  • ଗୋପାଳପୁରରେ ହିଟ୍ କରିବ ବାତ୍ୟା ଡାଏ
  • ପୁରୀ ଓ ଗୋପାଳପୁରରେ ଲାଗି ରହିଛି ବର୍ଷା
  • ୪୮ ଘଣ୍ଟା ଯାଏଁ ରହିପାରେ ବାତ୍ୟାର ପ୍ରଭାବ

ଗୋପଳପୁର ବନ୍ଦରଠାରୁ ୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ଡାଏ। ଘଣ୍ଟାକୁ ୨୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ମୁହାଁଉଛି ଡାଏ। ଆଉ କିଛି ସମୟ ପରେ ଏହା ଗୋପାଳପୁରଠାରେ ଭୂପୃଷ୍ଠକୁ ଛୁଇଁବ। ଆନ୍ଧ୍ରର କଳିଙ୍ଗପାଟନମ୍ ଏବଂ ପୁରୀ ଦେଇ ଏହା ଗତି କରିବ ବୋଲି ପାଣିପାଗ ବିଭାଗ କହିଛି।

ବର୍ତ୍ତମାନ ପୁରୀ ଏବଂ ଗୋପାଳପୁରରେ ପବନର ବେଗ ବଢ଼ିଛି। ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଝିପିଝିପି ବର୍ଷା ଲାଗି ରହିଛି। ବାତ୍ୟା ଭୂପୃଷ୍ଠ ଛୁଇଁବା ପରେ ପବନର ବେଗ ବଢ଼ିପାରେ। ଘଣ୍ଟାକୁ ୬୦ରୁ ୭୦ କିଲୋମିଟର ପବନ ବହିବା ସହ ବର୍ଷାର ପରିମାଣ ମଧ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରଖାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବାତ୍ୟା ବେଳେ ସମସ୍ତେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ସଚିବାଳୟରେ ବାତ୍ୟା ମୁକାବିଲା ପାଇଁ ସମୀକ୍ଷା କରିଛନ୍ତି।

ବନ୍ଦର ମାନଙ୍କୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବା ଯେ।ଗୁଁ ମତ୍ସ୍ୟଜୀବୀମାନଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ। ତେବେ ୨୨ ତାରିଖଠୁ ବର୍ଷା କମିବାର ସମ୍ଭାବନା ରହିଛି।

ଓଡ଼ିଶା ସମେତ, ଆଭ୍ୟନ୍ତରୀଣ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼, ପୂର୍ବ ରାଜସ୍ଥାନର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।

Comment