ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୁଇ ଖଳନାୟକ ଦୁଇଟି ସମାନ ଟାଇଟଲର ଓଡ଼ିଆ ସିନେମାରେ କାମ କରିଥିଲେ, ଜାଣନ୍ତୁ ସେ ଦୁହେଁ କିଏ?

ଓଲିଉଡରେ ଏମିତି ବି ସିନେମା ବେଳେବେଳେ ନିର୍ମିତ ହୁଏ, ଯାହାର ଟାଇଟଲ୍ କୌଣସି ଏକ ପୂର୍ବ ସିନେମାର ଶୀର୍ଷକ ସହ ସମାନ। ଏମିତି କେତୋଟି ହାତଗଣତି ସିନେମା ନିର୍ମିତ ହୋଇଛି ଓଡ଼ିଆରେ। ଏକ ମଜାଦାର କଥା ହେଲା, ଏକା ଟାଇଟଲରେ ନିର୍ମିତ ହୋଇଥିବା ଉଭୟ ସିନେମାରେ କେତେକ କଳାକାରଙ୍କୁ ଦେଖିବାକୁ ମିଳିଛି। ଆସନ୍ତୁ ସେଭଳି କଳାକାର ଓ ସିନେମା ସମ୍ପର୍କରେ ଜାଣିବା…

ହର ପଟ୍ଟନାୟକ – ‘ସୁନା ସଂସାର’

ହର ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା ଏବଂ ନିର୍ଦ୍ଦେଶକ ଥିଲେ। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ସୁନା ସଂସାର’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୯୭୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସୁନାସଂସାର’ରେ ହର ପଟ୍ଟନାୟକ ଏକ ସଂକ୍ଷିପ୍ତ ଭୂମିକାରେ ଅଭିନୟ କରିଥିଲେ।

ତା’ଛଡ଼ା ସେ ଏଥିରେ ସହକାରୀ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ‘ସୁନା ସଂସାର’ର ମୁଖ୍ୟ କଳାକାରମାନେ ହେଲେ ସାମୁଏଲ୍‌ ସାହୁ(ବାବି), ବିଜୟ ସାମଲ, ନିହାରିକା ଓ ସ୍ୱରୂପ ନାୟକ ପ୍ରମୁଖ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ – ଅରୂପ।

ପାଞ୍ଚଜନ୍ୟ ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ସିନେମା। ଶିଶିର ମିଶ୍ରଙ୍କ ‘ସୁନା ସଂସାର’ ମୁକ୍ତିଲାଭ କରିବାର ପ୍ରାୟ ଉଣେଇଶି ବର୍ଷ ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ସେହି ସମାନ ଟାଇଟଲରେ ଏକ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ। ଏହାର ପ୍ରଯୋଜନା କରିଥିଲେ କେଶବ ରାଉତ।

ଦ୍ୱିତୀୟ ଥର ଲାଗି ‘ସୁନା ସଂସାର’ ଶୀର୍ଷକରେ ନିର୍ମିତ ହୋଇଥିବା ଏହି ସିନେମା ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା। ଏଥିରେ ମଧ୍ୟ ହର ପଟ୍ଟନାୟକ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଦର୍ଶକ ଖଳନାୟକ ଭୂମିକାରେ ଦେଖିବାକୁ ପାଇଥିଲେ।

ଏହି ‘ସୁନା ସଂସାର’ ଫିଲ୍ମରେ ସିଦ୍ଧାନ୍ତ, ମିହିର ଦାସ, ଲିଜା ଦାସ, ସ୍ମିତା ମହାନ୍ତି, ରାଇମୋହନ, ହରପଟ୍ଟନାୟକ, ଉତ୍ତମ ମହାନ୍ତି, ଅପରାଜିତା ଓ ଅଶ୍ରୁମୋଚନ ପ୍ରମୁଖ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୁ ସ୍ୱାଇଁ। ଫିଲ୍ମଟି ସୁପରହିଟ୍ ହୋଇଥିଲା।

ଅସିତ ପତି – ଜଗା ହାତରେ ପଘା

ଓଲିଉଡର ଜଣେ ଲୋକପ୍ରିୟ ଚରିତ୍ର ଅଭିନେତା ହେଲେ ଅସିତ୍ ପତି। ସେ ଖଳନାୟକ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଅସିତ୍‌ ପତି ହେଉଛନ୍ତି ଏମିତି ଜଣେ ଖଳନାୟକ ଯାହାଙ୍କୁ ଦୁଇଥର ‘ଜଗାହାତରେ ପଘା’ ଟାଇଟଲରେ ନିର୍ମିତ ହୋଇଥିବା ଫିଲ୍ମରେ ଦେଖିବାକୁ ମିଳିଛି।

ଏଥିମଧ୍ୟରୁ ପ୍ରଥମ ଥର ପାଇଁ ‘ଜଗା ହାତରେ ପଘା’ ଟାଇଟଲରେ ସିନେମା ପରଦାକୁ ଆସିଥିଲା ୧୯୮୫ ମସିହାରେ। ଏହାର ନିର୍ଦ୍ଦେଶକ ଥିଲେ ସ୍ୱର୍ଗତ ମହମ୍ମଦ ମହସୀନ୍। ଏଥିରେ ଅସିତ ପତି ମୁଖ୍ୟ ଖଳନାୟକ ଶିବୁ ଭୂମିକାରେ ଅଭିନୟ କରିଥିଲେ। ଏହା ଏକ ୟଙ୍ଗ୍ ଚରିତ୍ର ଥିଲା।

‘ଜଗା ହାତରେ ପଘା’ରେ ଉତ୍ତମ ମହାନ୍ତି, ଅପରାଜିତା, ବୈଶାଳୀ ହେମନ୍ତ ଦାସ, ଗ୍ଲୋରିଅ ମହାନ୍ତି ଏବଂ ବିଜୟ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି। ଏହି ସିନେମାର ରୂପା ଶଗଡ଼ିରେ ସୁନା କନିଆଁ… ଗୀତ ଆଜି ବି ଲୋକପ୍ରିୟ। ‘ଜଗା ହାତରେ ପଘା’ ସୁପରହିଟ୍ ମଧ୍ୟ ହୋଇଥିଲା।

ଦ୍ୱିତୀୟ ଥର ‘ଜଗା ହାତରେ ପଘା’ ପରଦାକୁ ଆସିଥିଲା ୨୦୧୫ ମସିହାରେ। କେ.ଏମ୍‌ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମଧ୍ୟ ଖଳନାୟକ ଭୂମିକାରେ ଦେଖା ଦେଇଥିଲେ ବରିଷ୍ଠ ଅଭିନେତା ଅସିତ ପତି। ଏଥିରେ ତାଙ୍କୁ ଫିଲ୍ମର ଅନ୍ୟତମ ଖଳନାୟକ ବୁଦ୍ଧାଦିତ୍ୟଙ୍କ ପିତା ଭୂମିକାରେ ଦେଖିବାକୁ ମିଳିଥିଲା।

ଜଗା ହାତରେ ପଘା (୨୦୧୫)ରେ ଅନୁଭବ, ଏଲିନା, ଝିଲିକ୍, ମୀନକେତନ, ମହାଶ୍ୱେତା ଓ ଅଜିତ୍ ଦାସ ପ୍ରମୁଖ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମା କିନ୍ତୁ ହିଟ୍ ହୋଇନଥିଲା।

Comment