ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ କେତେକ ନାୟକ ଦୃଷ୍ଟିହୀନ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ସେହି ନାୟକମାନଙ୍କୁ ଜାଣନ୍ତି କି?

ଓଡ଼ିଆ ସିନେମାରେ ନାୟକମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଓ ବିଭିନ୍ନ ରୂପରେ ଦେଖିବାକୁ ପାଆନ୍ତି ଦର୍ଶକମାନେ। କେତେବେଳେ ନାୟକ ଗାୟକ ଭୂମିକାରେ ଥାଏ ତ ପୁଣି କେତେବେଳେ କଲେଜ ଛାତ୍ର ଚରିତ୍ରରେ। ପୁଣି କେତେବେଳେ ଇଞ୍ଜିନିୟର ବନିଥାଏ ତ ପୁଣି କେତେବେଳେ ଡାକ୍ତର।

ହେଲେ ଏମିତି ବି କିଛି ନାୟକ ଅଛନ୍ତି, ଯେଉଁମାନଙ୍କୁ ପରଦା ଉପରେ ଦୃଷ୍ଟିହୀନ ଚରିତ୍ର ନିଭାଇବାର ସୁଯୋଗ ମିଳିଛି। ଆସନ୍ତୁ ସେଭଳି କେତେକ ନାୟକଙ୍କ କଥା ଜାଣିବା…

ସିଦ୍ଧାନ୍ତ

ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏକ ଓଡ଼ିଆ ଚଳଚ୍ଚିତ୍ର ଜଣେ ଦୃଷ୍ଟିହୀନ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିଲେ। ଏହି ଫିଲ୍ମର ନାଆଁ ହେଲା ‘ଧର୍ମର ହେବ ଜୟ’। ଏହି ସିନେମାର ପ୍ରଯୋଜକ ହେଲେ ଜ୍ଞାନ ପଟ୍ଟନାୟକ ଓ ନିର୍ଦ୍ଦେଶକ ସଞ୍ଜୟ ନାୟକ।

‘ଧର୍ମର ହେବ ଜୟ’ର କାହାଣୀ ଅନୁଯାୟୀ ସିଦ୍ଧାନ୍ତ ଜଣେ ପୁଲିସ ଇନସ୍ପେକ୍ଟର। ଖଳନାୟକ ତାଙ୍କ ଉପରେ ଆକ୍ରମଣ କରି ଦୃଷ୍ଟିହୀନ କରିଦିଅନ୍ତି। ତା’ପରେ ସେ ପ୍ରତିଶୋଧ ନେବା ପାଇଁ ତତ୍ପର ହୋଇଉଠନ୍ତି। ସେ ଜଣେ ପ୍ରଶିକ୍ଷକଙ୍କ ମାଧ୍ୟମରେ ଦୃଷ୍ଟିହୀନ ଅବସ୍ଥାରେ ବି କିଭଳି ଲଢ଼େଇ କରିହେବ, ଆକ୍ରମଣ କରି ହେବ ଓ ସେଥିରୁ ରକ୍ଷା ପାଇହେବ, ସେହି ବିଷୟରେ ପ୍ରଶିକ୍ଷଣ ନିଅନ୍ତି। ତା’ପରେ ଦୃଷ୍ଟିହୀନ (ସିଦ୍ଧାନ୍ତ) ଖଳନାୟକଙ୍କୁ ଉପଯୁକ୍ତ ଶାସ୍ତି ଦେଇ ନିଜର ପ୍ରତିଶୋଧ ପୂରଣ କରନ୍ତି।

‘ଧର୍ମର ହେବ ଜୟ’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ଉଷସୀ ମିଶ୍ର। ଏତଦ୍‌ବ୍ୟତୀତ ବିଜୟ ମହାନ୍ତି, ଅନୀତା ଦାସ, କାଜଲ ମିଶ୍ର, କୁନା ତ୍ରିପାଠୀ, ଅକ୍ଷୟ ବସ୍ତିଆ ଓ ଦୁର୍ଗା ଆଚାର୍ଯ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ମଳୟ ମିଶ୍ର।

ଉତ୍ତମ ମହାନ୍ତି ବନିଥାନ୍ତେ ଅନ୍ଧ ଅର୍ଜୁନ

ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତି ଅଶି ଦଶକର ଶେଷ ଭାଗରେ ଏକ ଓଡ଼ିଆ ସିନେମାରେ ଦୃଷ୍ଟିହୀନ ଯୁବକ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମର ଟାଇଟଲ୍‌ ଥିଲା ‘ଅନ୍ଧ ଅର୍ଜୁନ’। ଏହି ସିନେମାର ପ୍ରଯୋଜନା କରୁଥିଲେ ଅମୀୟ ପଟ୍ଟନାୟକ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ବିଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ର।

‘ଅନ୍ଧ ଅର୍ଜୁନ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି। ଏଥିରେ ମହାଶ୍ୱେତା ନାୟିକା ଭୂମିକାରେ ଅଭିନୟ କରିବାର ଥିଲା। ହେଲେ ଗୀତ ରେକର୍ଡିଂ ପରେ ‘ଅନ୍ଧ ଅର୍ଜୁନ’ର କାମ ଆଗେଇ ନଥିଲା। ଏହି କାରଣରୁ ଅନ୍ଧ ଅର୍ଜୁନ ବନିପାରିନଥିଲେ ଉତ୍ତମ ମହାନ୍ତି।

ବାବୁସାନ୍‌

ଓଲିଉଡର ଲାଟେଷ୍ଟ ସୁପରଷ୍ଟାର ବାବୁସାନ୍‌ ଆସୁଛନ୍ତି ଦୃଷ୍ଟିହୀନ ଭୂମିକାରେ। ଯେଉଁ ଫିଲ୍ମ ତାଙ୍କୁ ଏଭଳି ଚରିତ୍ରରେ ଦର୍ଶକ ଭେଟିବାକୁ ଯାଉଛନ୍ତି, ତାହାର ଟାଇଟଲ୍‌ ହେଲା ‘ଶ୍ରୀମାନ୍ ସୁରଦାସ’। ଏଥିରେ ଟାଇଟଲ ରୋଲରେ ବି ଅଛନ୍ତି ବାବୁସାନ୍‌।

ଏହା ଏକ କମେଡି ଫିଲ୍ମ। ବାବୁସାନ ଏଥିରେ ସତସତିକା ଦୃଷ୍ଟିହୀନ ବନିଛନ୍ତି ନା, ଜାଣିଶୁଣି ସେଭଳି ଅଭିନୟ କରୁଛନ୍ତି, ତାହା ଫିଲ୍ମ ରିଲିଜ୍‌ ହେବା ପରେ ଜଣାପଡ଼ିବ।

ବୁଦ୍ଧାଦିତ୍ୟ

ଓଲିଉଡର ବହୁମୁଖୀ ପ୍ରତିଭା ସମ୍ପନ୍ନ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବି ‘ଶ୍ରୀମାନ ସୁରଦାସ’ ଚଳଚ୍ଚିତ୍ରରେ ଆସୁଛନ୍ତି ଜଣେ ଦୃଷ୍ଟିହୀନ ଚରିତ୍ରରେ। ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଭୈରବ।

ଏହା ଏକ ଷ୍ଟାରଲିସ୍ ରୋଲ୍। ସେ ପ୍ରଥମ ଥର ପାଇଁ ଏଭଳି ଦୃଷ୍ଟିହୀନ ଭୂମିକା ନିଭାଇଥିବାରୁ ଖୁବ୍‌ ଉତ୍ସାହିତ ଅଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଶ୍ରୀମାନ ସୁରଦାସରେ ମିହିର ଦାସ ଓ ଅପରାଜିତା ଅଛନ୍ତି ମୁଖ୍ୟ ଭୂମିକାରେ। ଅଶୋକ ପତି ଏହାର ନିର୍ଦ୍ଦେଶକ ଓ ଅଭିଜିତ ମଜୁମଦାର ସଙ୍ଗୀତକାର।

Comment