ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବା ବେଳେ ଜଳକାର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।

ବାତ୍ୟା ‘ଡାଏ’ର ପ୍ରଭାବ ଯୋଗୁଁ ସାରାରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷକରି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।

ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଆଜି ସକାଳେ ୬.୫୧ ମିଟର ରହିଛି।

ଏହା ଫଳରେ ବସ୍ତା ବ୍ଲକ୍‌ର ମଥାନି, ବାହାର୍ଦ, ଦଧହଂସା, ଗଡ଼ପଦା, ରାଉତପଡ଼ା, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ସଦର ବ୍ଳକ୍‌ର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ପ୍ରଭାବିତ ହୋଇଛି।

ସେହିପରି ବସ୍ତା- ବାଲିଆପାଳର ଲାଇଫଲାଇନ୍‌ କୁହାଯାଉଥିବା ପେଜାଗଳା ଚଟାଣରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ୨ରୁ ୩ ଫୁଟ୍‌ ଉପରେ ଜଳ ପ୍ରବାହିତ ହେଉଛି। ବାଲିଆପାଳ ବ୍ଲକ୍‌ ଜଗତିପୁର ପଞ୍ଚାୟତର ରାଣିଖୁଡ଼ି ଗ୍ରାମର ଏକ ଘର ଭାଙ୍ଗି ଯାଇଛି।

ଅପରପକ୍ଷରେ ବୁଢ଼ାବଳଙ୍ଗ ନଦୀ ବାରୁଣୀ ବ୍ରିଜ୍‌ଠାରେ ବିପଦ ସଙ୍କେତ ପାର କରିଛି। ଏଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୮.୧୬ ମିଟର ରହିଛି। ସେହିପରି ସୋନ ଓ ଗଙ୍ଗାହାର ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ଏହାଛଡ଼ା ସୁନେଇ ଓ କାଳ ଡ୍ୟାମ୍‌ର ୨ଟି ଲେଖାଏଁ ଗେଟ୍ ଖୋଲା ଯାଇଛି।

Comment