ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ସିନେମା ‘କେସରୀ’ ଏବେ ଖୁବ୍‌ ଚର୍ଚ୍ଚାରେ। ଏହାର କାହାଣୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନଜର ପକାଇବା…

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମଗୁଡ଼ିକ ଲଗାତାର ସୁପରହିଟ୍ ହେଉଛି ଏବଂ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଛି। ଏବେ ଅକ୍ଷୟ କୁମାରଙ୍କ ହାତରେ ରହିଛି ବେଶ୍ କେତୋଟି ଫିଲ୍ମ, ଯାହା ବି ଚର୍ଚ୍ଚାର ବିଷୟ ହୋଇ ରହିଛି।

ଅକ୍ଷୟ କୁମାରଙ୍କର ଏକ ଆଗାମୀ ହିନ୍ଦୀ ସିନେମା ହେଲା ‘କେସରୀ’ କରଣ ଜୋହର, ଅରୁଣ ଭାଟିଆ, ହୀରୁ ୟଶ ଜୋହର୍‌, ଅପୂର୍ବା ମେହେଟ୍ଟା ଓ ସୁନୀର କ୍ଷେତ୍ରପଲଙ୍କ ପ୍ରଯୋଜିତ ‘କେସରୀ’ର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ। ଏହାର ଲେଖକ ହେଲେ ଗିରିଶ କୋହଲୀ ଓ ଅନୁରାଗ ସିଂହ।

କାହାଣୀ ଓ କେଉଁ ଭୂମିକାରେ କିଏ?

‘କେସରୀ’ ଏକ ପିରିଅଡିକ୍‌ ଫିଲ୍ମ। ଏହାର କାହାଣୀ ୧୮୯୭ ମସିହାରେ ଘଟିଥିବା ସାରଗାଢ଼ି ଯୁଦ୍ଧ ଉପରେ ଆଧାରିତ। ଏଥିରେ ୨୧ ଜଣିଆ ଶିଖ୍‌ ବାହିନୀ ୧୦ ହଜାର ଆଫଗାନ୍‌ ବାହିନୀର ମୁକାବିଲା କିପରି ସଫଳ ହୋଇଥିଲେ, ତାହା ଦେଖିବାକୁ ମିଳିବ।

‘କେସରୀ’ରେ ହାବିଲଦାର ଇସାର ସିଂହ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର। ହାବିଲଦାର ଇସାର ସିଂହ ସାରଗାଢ଼ି ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିରେ ଇସାର ସିଂହଙ୍କ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି ପରିଣୀତି ଚୋପ୍ରା।

ଖାନ୍‌ ମାସୁଦ୍‌ ଭୂମିକାରେ ଅଛନ୍ତି ମୀର୍‌ ସରୱର୍‌, ଗୁଲବାଦଶାହା ଖାନ୍‌ ଚରିତ୍ରରେ ଅଶ୍ୱଥ୍ ଭଟ୍ଟ ଓ ସିପାହୀ ବୁଟା ସିଂହ ଭୂମିକାରେ ଅଭିନୟ କରିଛନ୍ତି ଜଣାଶୁଣା ଟେଲିତାରକା ମୋହିତ ରେନା। ମୋହିତଙ୍କୁ ଦର୍ଶକ ମେଗା ସିରିଏଲ ‘ଦେବୋ କା ଦେବ୍‌ ମହାଦେବ୍’ରେ ଶିବ ଭୂମିକାରେ ଦେଖିବାକୁ ପାଇଥିଲେ।

ଫାର୍ଷ୍ଟଲୁକ୍‌ ଓ ରିଲିଜ୍‌ ତାରିଖ

ଗତ ସେପ୍ଟେମ୍ବର ୧୨ ତାରିଖରେ ‘କେସରୀ’ର ଫାର୍ଷ୍ଟଲୁକ୍‌ ଜାରି ହୋଇଛି। ଏହି ପୋଷ୍ଟରରେ ଅକ୍ଷୟ କୁମାରଙ୍କୁ ଜଣେ ବାହାଦୂର ଶିଖ ଭାବେ ଦେଖିବାକୁ ମିଳିଛି। ପୋଷ୍ଟରରେ ଅକ୍ଷୟଙ୍କ ସହିତ ପୁରା ଶିଖ୍‌ସେନା ମଧ୍ୟ ନଜର ଆସିଛନ୍ତି।

ସାରାଗଢ଼ି ଦିବସ ହେଉଛି ସେପ୍ଟେମ୍ବର ୧୨। ଏଣୁ ସେହି ଦିନ ହିଁ ଉକ୍ତ ସ୍ମରଣୀୟ ଦିବସକୁ ମନେ ପକାଇ ‘କେସରୀ’ର ଫାର୍ଷ୍ଟ ଲୁକ୍‌ ଜାରି କରାଯାଇଛି। ଅକ୍ଷୟ କୁମାର ଫିଲ୍ମର ପୋଷ୍ଟର ଜାରି କରି ସାରାଗଢ଼ିର ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ନିଜର ଟ୍ୟୁଟରରେ ‘କେସରୀର ପୋଷ୍ଟର ସେୟାର କରି ଲେଖିଛନ୍ତି ‘ଆଜି ମୋର ପଗଡ଼ି ବି କେଶରୀ’ ଯେଉଁ ଲହୁ ବୋହିବ ତାହା ବି କେଶରିଆ; ମୋର ଜବାବ୍‌ ମଧ୍ୟ କେସରୀ। କେସରୀ ୨୦୧୯ ମାର୍ଚ୍ଚ ୨୧ ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହୋଇଛି। ଏହାର ସୁଟିଂ ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା।

ପ୍ରଥମଥର ପାଇଁ ଅକ୍ଷୟଙ୍କ କନ୍ୟା ଭୂମିକାରେ ପରିଣୀତି

ପରିଣୀତି ଚୋପ୍ରା ନିକଟ ଅତୀତରେ ଅକ୍ଷୟ କୁମାରଙ୍କ ସମବୟସ୍କା ଅଭିନେତା ଅଜୟ ଦେବଗନଙ୍କ ବିପକ୍ଷରେ ନାୟିକା ଭୂମିକାରେ ‘ଗୋଲମାଲ୍’ ସିରିଜ୍‌ରେ ଅଭିନୟ କରିଥିଲେ। ହେଲେ ‘କେସରୀ’ରେ ପରିଣୀତା ଅକ୍ଷୟଙ୍କ ନାୟିକା ନୁହେଁ, ବରଂ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ପଣିଣୀତିଙ୍କ ଭୂମିକାଟି ବେଶ୍‌ ଦମ୍‌ଦାର ବୋଲି କୁହାଯାଉଛି।

Comment