ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ବିଗ୍‌ ବସ୍‌ ସିଜିନ୍-୧୬’ର ଚର୍ଚ୍ଚା ଚାଲିଛି। ଏହି ବିଗ୍‌ ବସ୍‌ ହେଉଛି ଏକ ଲୋକପ୍ରିୟ ରିଆଲିଟି ଶୋ’। ‘ବିଗ୍‌ ବସ୍‌’ ସମ୍ପର୍କିତ କିଛି ଜଣା ଅଜଣା କଥା…

ପ୍ରଥମ ହୋଷ୍ଟ୍ ଥିଲେ ଅରସାଦ୍‌ ୱାରସୀ, ଚତୁର୍ଥରୁ ସଲମାନ୍‌

ବିଗ୍‌ ବସ୍‌ ରିଆଲିଟି ଶୋ’ ହେଉଛି ନେଦରଲ୍ୟାଣ୍ଡସ ଟିଭିରେ ପ୍ରସାରିତ ‘ବିଗ୍‌ ବ୍ରଦର’ ଶୋ’ର ଭାରତୀୟ ସଂସ୍କରଣ। ୨୦୦୬ ମସିହା ନଭେମ୍ବର ୩ ତାରିଖରେ ଏହି ରିଆଲିଟି ଶୋ’ର ପ୍ରସାରଣ ଆରମ୍ଭ ହୋଇଥିଲା ସୋନି ଟିଭିରେ।

ଏହାର ଫିନାଲେ ଅନୁଷ୍ଠିତ ହୋଇଥିଲା ୨୦୦୭ ଜାନୁଆରି ୨୬ ତାରିଖରେ। ‘ବିଗ୍‌ ବସ୍‌’ର ପ୍ରଥମ ହୋଷ୍ଟ୍ ଥିଲେ ଅରସାଦ୍‌ ୱାରସୀ। ‘ବିଗ୍‌ ବସ୍‌- ସିଜିନ୍-୨’ର ହୋଷ୍ଟ୍ ଥିଲେ ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀ।

ଏହାର ତୃତୀୟ ସିଜିନ୍‌ରେ ଅମିତାଭ ବଚ୍ଚନ ହୋଷ୍ଟିଂ କରିଥିଲେ। ‘ବିଗ୍‌ ବସ୍‌-ସିଜିନ୍‌-୪’ରେ ପ୍ରଥମେ ସଲମାନ୍‌ ଖାନ୍‌ ଏହାର ହୋଷ୍ଟ୍ କରିଥିଲେ। ଏହାପରଠୁଁ ପ୍ରତିଟି ସିଜିନରେ ସଲମାନ୍‌ ଖାନ୍‌ଙ୍କୁ ହୋଷ୍ଟ୍ ଭାବେ ଏହି ରିଆଲିଟି ଶୋ’ରେ ଦେଖିବାକୁ ମିଳୁଛି।

ସିଜିନ୍‌-୧୨ର ମଧ୍ୟ ହୋଷ୍ଟ୍ ହେଲେ ସଲମାନ୍ ଖାନ୍‌। ଏଥିମଧ୍ୟରୁ ସିଜିନ୍-୫ରେ ସଲମାନ୍‌ ଖାନ୍‌ଙ୍କ ସହିତ ସଞ୍ଜୟ ଦତ୍ତ ହୋଷ୍ଟ୍ ବନିଥିଲେ।

ଅନ୍ୟାନ୍ୟ ଭାଷାରେ ବିଗ୍‌ ବସ୍‌

ଭାୟାକମ୍‌ ୧୮ ଦ୍ୱାରା ପ୍ରଯୋଜିତ ବିଗ୍‌ ବସ୍ ରିଆଲିଟି ଶୋ’ କେବଳ ଯେ ହିନ୍ଦୀ ଭାଷାରେ ପ୍ରସାରିତ ହେଉଛି, ତା’ ନୁହେଁ, ବରଂ ଏହା ବଙ୍ଗଳା, ତାମିଲ, ତେଲୁଗୁ, କାନ୍ନାଡ଼ା, ମରାଠୀ ଓ ମାଲୟାଲମ୍ ଭାଷାରେ ମଧ୍ୟ ପ୍ରସାରିତ ହେଉଛି।

କନ୍ନଡ଼ାରେ ସୁଦ୍ଦୀପ, ବିଗ୍‌ବସ ବଙ୍ଗଳାରେ ମିଥୁନ ଚକ୍ରବର୍ତ୍ତୀ ଓ ଜୀତ୍, ବିଗ୍‌ବସ ତାମିଲ୍‌ରେ କମଲ ହାସନ୍‌, ବିଗ୍ ବସ୍ ତେଲୁଗୁରେ ଜୁନିଅର୍ ଏନ୍‌ଟି ଆର୍। ନାନୀ, ବିଗ୍‌ବସ୍‌ ମରାଠୀରେ ମହେଶ ମଞ୍ଜରେକର୍ ଓ ମାଲୟାଲାମରେ ମୋହନ ଲାଲ୍ ହୋଷ୍ଟ୍ ଭାବେ ନଜର ଆସିଛନ୍ତି।

ସଲମାନ୍‌ ନୁହେଁ ଶାହରୁଖ୍‌ ଥିଲେ ପ୍ରଥମ ପସନ୍ଦ

ବଲିଉଡର ଦିବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ବିଗ୍‌ ବସ ସିଜିନ୍‌-୧୨ର ପ୍ରସାରଣ ଏଇ ମାସ ୧୬ ତାରିଖରୁ ଆରମ୍ଭ ହେଉଛି। ଏହା କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ। ଏହି ଶୋ’କୁ ସଲମାନ୍ ଖାନ୍‌ ଲଗାତାର ନଅଥର ପାଇଁ ହୋଷ୍ଟ୍ କରୁଛନ୍ତି।

ଗୋଆରେ ବିଗ୍‌ ବସ୍‌ ଶୋ’ର ଲଞ୍ଚ୍ ଅବସରରେ ସଲମାନ୍ ଖାନ୍‌ ମିଡିଆ ସହିତ କଥା ହେବା ସମୟରେ ବିଗ୍ ବସ୍‌ ସମ୍ପର୍କରେ କେତେକ ରୋଚକ ତଥ୍ୟର ଖୁଲାସା କରିଛନ୍ତି।

ସଲମାନ୍‌ ଖାନ୍‌ କହିଛନ୍ତି, “ଏହି ପପୁଲାର ରିଆଲିଟି ଶୋ’ର ହୋଷ୍ଟ୍ ଭାବେ ସେ ପ୍ରଥମ ପସନ୍ଦ ନଥିଲେ ଚ୍ୟାନେଲର।“ ତାଙ୍କ ପୂର୍ବରୁ ଏହି ଶୋ’ର ହୋଷ୍ଟ୍ ହେବା ପାଇଁ ବଲିଉଡ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କୁ ଅଫର୍‌ ଦିଆଯାଇଥିଲା।

ଶାହାରୁଖ୍‌ ଏହି ଶୋ’ର ସମ୍ପୂର୍ଣ୍ଣ ବିବରଣୀ ପାଇବା ପରେ ଉତ୍ସାହିତ ଥିଲେ। କିନ୍ତୁ ସେହି ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିବା ହେତୁ ସେ ଏଥିପାଇଁ ସମୟ ଦେବାକୁ ରାଜି ହୋଇନଥିଲେ। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ତା’ପରେ ବିଗ୍‌ ବସ୍‌ ଶୋ’ର ହୋଷ୍ଟିଂ ପାଇଁ ସଲମାନ୍ ଖାନ୍‌ଙ୍କୁ ଅଫର୍ ମିଳିଥିଲା। ସେତେବେଳେ ସଲମାନ୍‌ ଜାଣିନଥିଲେ ଯେ, ଏଥିପାଇଁ ତାଙ୍କ ପୂର୍ବରୁ ଶାହରୁଖ୍ ଖାନ୍‌ଙ୍କୁ ଅଫର୍ ଦିଆଯାଇଥିଲା। ସେ ଏହି ଶୋ’ର ହୋଷ୍ଟ୍ ହେବାକୁ ରାଜି ହୋଇଥିଲେ। ଯେତେବେଳେ ସେ ଏକଥା ଜାଣିଲେ, ସେତେବେଳେ ସଲମାନ୍ ଖାନ୍‌ ଶାହରୁଖ୍‌ ଖାନ୍‌ଙ୍କୁ ଧନ୍ୟବାଦ ଅବଶ୍ୟ ଦେଇଥିଲେ।

Comment