ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛି। ଏଣିକି ମଣ୍ଡିରେ ଧାନ ବିକିବାର ତିନି ଦିନ ଭିତରେ ଚାଷୀଙ୍କୁ ମିଳିବ ଟଙ୍କା। ମଣ୍ଡିରେ ଧାନ ବିକ୍ରି କରିବା ପରେ ଚାଷୀମାନେ ଠିକ୍ ସମୟରେ ଟଙ୍କା ପାଉ ନଥିଲେ। ଫଳରେ ଚାଷୀଙ୍କ ମନରେ ଅସନ୍ତୋଷ ରହିଥିଲା। ଏହି ସମସ୍ୟାକୁ ଆଜି ରାଜ୍ୟ ସରକାର ଦୂର କରିଛନ୍ତି।
ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟ ଟଙ୍କା ଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଏହାସହ ଆଜି କ୍ୟାବିନେଟରେ ଧାନ ଓ ଚାଉଳ ସଂଗ୍ରହ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ଓ ସଂଗ୍ରହ ନୀତିକୁ ମଞ୍ଜୁରୀ ମିଳିଛି।
ଖରିଫ ଓ ରବି ଋତୁ ପାଇଁ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହାଠାରୁ ଯଦି ଅଧିକ ଧାନ ମଣ୍ଡିକୁ ଆସିବ ତାହାଲେ ସରକାର କିଣିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ନଭେମ୍ବର ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ଖରିଫ ଧାନ ଏବଂ ୨୦୧୯ ମେ’ରୁ ଜୁନ ମାସ ମଧ୍ୟରେ ରବି ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ନୂଆ ଗାଇଡଲାଇନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ନୂଆ ପ୍ରକଳ୍ପ ନିର୍ମାଣ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନା ପାଇଁ ୧୨ ହଜାର ୫୦୦ କୋଟି ଟଙ୍କା ବରାଦ କରାଯାଇଛି। ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା ନିୟମ-୨୦୧୮କୁ ଲାଗୁ କରିବା ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।














